ଜାତୀୟ ରାଜପଥରେ ଜବରଦଖଲ ହଟାଇବା ପ୍ରକ୍ରିୟା ଆରମ୍ଭ

ବରପାଲି: ବରଗଡ଼-ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥ ବରପାଲିଠାରେ ପ୍ରଶାସନ ପକ୍ଷରୁ ଜବରଦଖଲ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଜାତୀୟ ରାଜପଥର ପ୍ରଶସ୍ତୀକରଣ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଜବରଦଖଲରେ ଥିବା ସରକାରୀ ଜମି ଉପରୁ ଉଚ୍ଛେଦ ଆରମ୍ଭ ହୋଇଛି। ଏଥିପାଇଁ ବହୁ ଆଗରୁ ନୋଟିସ୍‌ କରାଯିବା ପରେ ମାଇକରେ ପ୍ରଚାର କରାଯାଇଥିଲା। ଆଜି ସ୍ଥାନୀୟ ତହସିଲଦାର ଅକ୍ଷୟ ବାଗଙ୍କ ନେତୃତ୍ୱରେ ଓ ଜାତୀୟ ରାଜପଥର ଏସ୍‌ଡିଓ ନିର୍ମଳ ଚନ୍ଦ୍ର ପଣ୍ଡା ତଥା ପୁଲିସ୍‌ ଫୋର୍ସର ଉପସ୍ଥିତିରେ ମହିଳା ମହାବିଦ୍ୟାଳୟ ସମ୍ମୁଖରୁ ଆରମ୍ଭ କରାଯାଇଥିଲା।

ଉଭୟ ପାର୍ଶ୍ବରେ ଥିବା ପାଚେରି ଓ କେତେକ ଝୁପୁଡ଼ି ଘରକୁ ଆଜି ଭଙ୍ଗା ଯାଇଥିଲା। ହେଲେ ଆଜି ଗୋଟିଏ ଦିନ ପରେ ଆଗକୁ ବରପାଲିର ଶୀତଳଷଷ୍ଠୀ ଯାତ୍ରା ଥିବାରୁ ଯାତ୍ରା ପରେ ପୁଣି ଏହି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ହେଲେ ବରପାଲି ସହର ଭିତରେ ଏହି ଉଚ୍ଛେଦ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖା ଦେବା ସମ୍ଭାବନା ରହିଛି। ସହର ଭିତରେ ଉଚ୍ଛେଦ କରାଗଲେ ସହରର ସୁନ୍ଦରତା ନଷ୍ଟ ହେବ ବୋଲି ବାଇପାସ ସଡ଼କ ନିର୍ମାଣ ପାଇଁ ଦାବି ହୋଇ ଆସୁଛି।

ହେଲେ ବର୍ତ୍ତମାନ ପରିସ୍ଥିତିରେ ଆସନ୍ତା ୩୧ ତାରିଖରୁ ବରପାଲିର ୧୪୫ତମ ଶୀତଳଷଷ୍ଠୀ ଯାତ୍ରା ରହିଥିବାବେଳେ ଏଥିରେ ରାସ୍ତାକଡ଼ ଦୋକାନୀମାନେ କିଛି ରୋଜଗାରକ୍ଷମ ହେବା ପାଇଁ ଆଶାବାନ୍ଧି ଥିବା ସମୟରେ ପ୍ରଶାସନର ଏପରି ନୀତିକୁ ନିନ୍ଦା ପ୍ରକାଶ କରାଯାଇଛି। ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ଯାତ୍ରା ମହୋତ୍ସବ ପରେ ଏହି ପ୍ରକ୍ରିୟାକୁ ଆଗେଇବା ପାଇଁ ଯାତ୍ରା କମିଟି ପକ୍ଷରୁ ନିବେଦନ କରାଯାଇଥିଲେ ହେଁ ଏହାର କୌଣସି କାର୍ଯ୍ୟକାରୀ ହେଉନଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର