ପରୀ ପାଇଁ ପଦଯାତ୍ରା ଯଦୁପୁ‌ର‌ରେ ଶେଷ, ଏବେ ଗାଁକୁ ଓହ୍ଲାଇବ ବି‌ଜେପି

ଟ୍ରାଫିକ ଛକରେ ପ୍ରତିବାଦ ସଭା କରି ସରକାରଙ୍କୁ ଟାର୍ଗେଟ୍‌

ନୟାଗଡ଼: ଗତ ୨୦ ତାରିଖରେ ରାଜ୍ୟ ବି‌ଜେପି ଶାଖା ପକ୍ଷରୁ ଭୁବନେଶ୍ବରରୁ ବାହାରିଥିବା ‘ପରୀକୁ ନ୍ୟାୟ ପଦଯାତ୍ରା’ ଆଜି ଯଦୁପୁରରେ ପହଞ୍ଚିଛି। ଲିଙ୍ଗରାଜ ମନ୍ଦିର ନିକଟରୁ ବାହାରିଥିବା ଏହି ପଦଯାତ୍ରୀ ଦଳ ଯଦୁପୁରରେ ପହଞ୍ଚି ଗ୍ରାମ ଠାକୁରଙ୍କ ନିକଟରେ ମାଳ ପିନ୍ଧାଇବା ସହିତ ପରୀ ପରିବାରକୁ ଭେଟିଛନ୍ତି। ଏଥିସହିତ, ଏହି ପଦଯାତ୍ରାର ସମାପ୍ତି ଘୋଷଣା କରିଛନ୍ତି। ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବ‌ିରେ ପରୀ ପାଇଁ ଜିଲ୍ଲା ବିଜେପି ପକ୍ଷରୁ ନୟାଗଡ଼ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିଥିବା ଧାରଣାକୁ ବି ପ୍ରତ୍ୟାହାର କରାଯାଇଛି। ଗତକାଲିଠାରୁ ବିଜେପିର ଏହି ପଦଯାତ୍ରୀ ଦଳ ଆସି ଇଟାମାଟିସ୍ଥିତ ପୁରୁଣା ସିନେମା ହଲ୍‌ ଘରେ ଆଶ୍ରୟ ନେଇଥିଲେ। ପରୀ ଗ୍ରାମକୁ ଯିବା ପୂର୍ବରୁ ବିଜେପି ପକ୍ଷରୁ ଅପରାହ୍ଣ ପ୍ରାୟ ୨ଟା ୩୦ରେ ନୟାଗଡ଼ ଟ୍ରାଫିକ ଛକରେ ପରୀ ମାମଲାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ସଭାପତି ତଥା ସାଂସଦ ବସନ୍ତ ପଣ୍ଡ‌ା, କନକବର୍ଦ୍ଧନ ସିଂହଦେଓ, ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ସରକାର ଏସ୍‌ଆଇଟି ଗଠନ କରି ପ୍ରକୃତ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଥିବା ବିଜେପି ନେତୃବର୍ଗ ଅଭିଯୋଗ କରିଥିଲେ। ପରୀ ମାମଲାରେ ବିଜେଡି ନେତା ବାବୁଲି ନାୟକଙ୍କ ସଂପୃକ୍ତ ଅଭିଯୋଗ ଆସିଥିବା ବେଳେ, ତାଙ୍କୁ କାହିଁକି ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ।

ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା, ସିବିଆଇ ତଦନ୍ତ ଦାବି ଦୋହରାଇଲେ
ଏସ୍‌ଆଇଟି ଅସଲି ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି

ଜିଲ୍ଲା ସଭାପତି ଲାଲାମନୋଜ ରାୟ ସଭାରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଥିଲେ , ଯଦୁପୁରର ପରୀ ସମେତ ରାଜ୍ୟର ୫ ହଜାର ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ବି‌ଜେପିର ଏଭଳି ପ୍ରତିବାଦ ଜାରି ରହିବ। ନୟାଗଡ଼ରେ ଆଜି ପଦଯାତ୍ରା ଶେଷ ହୋଇଥିବା ବେଳେ, ଆଗାମୀ ଦିନରେ ଗାଁଗାଁରେ ପ୍ରତିବାଦ ‌ହେବ। ପରୀ ମାମଲାରେ ସରକାର ଗଠନ କରିଥିବା ଏସ୍‌ଆ‌ଇଟି ମନ୍ତ୍ରୀ ଅରୁଣ ସାହୁଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ମହାନ୍ତି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ପରୀ ମାମଲାରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ନାଟକ କରୁଛନ୍ତି। ସେ ଆଗରୁ ଭଲ ଟ୍ବିଟ୍‌ କରୁଥିବା ବେଳେ, ଏବ‌େ ଭଲ ସ୍କ୍ରିପ୍ଟ ‌ଲେଖୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ବସନ୍ତ ପଣ୍ଡା, ଲେଖାଶ୍ରୀ ସାମନ୍ତସିଂହାର, ନୟାଗଡ଼ର ନେତ୍ରୀ ଇରାନୀ ରାୟ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ ନାଉରୀ ନାୟକ, ମୁକେଶ ମହାଲିଙ୍ଗା, ପ୍ରକାଶ ସୋରେନ୍‌, କୁସୁମ ଟେଟେ, ପୂର୍ବତନ ସାଂସଦ ବିଭୁ ତରାଇ ଏବଂ ଦଳୀୟ କର୍ମକର୍ତ୍ତା ଅନୀତା ପ୍ରିୟଦର୍ଶିନୀ, ଟଙ୍କଧର ତ୍ରିପାଠୀ, ପିଙ୍କି ପ୍ରଧାନ, ଡ. ଯତୀନ ମହାନ୍ତି, ଠାକୁର ରଞ୍ଜିତ ଦାସ, ଇରାସିସ ଆଚାର୍ଯ୍ୟ, ପ୍ରଦୀପ ପୁରୋହିତ, ସିକନ୍ଦର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର