ଭୁବନେଶ୍ବର: ଆଜି ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ନେତା ତଥା ଦଳର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ୍। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସମୟରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିବାକୁ ଭୁଲି ନାହାନ୍ତି। ପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟରେ ସେ ହର ହର ମହାଦେବ କହି ଭାଷଣ ଆରମ୍ଭ କରିଥିଲେ ଓ ଜୟ ଜଗନ୍ନାଥ କହି ବକ୍ତବ୍ୟ ସାରିଲେ।
ସେ କହିଲେ, ଲିଙ୍ଗରାଜ ମନ୍ଦିରକୁ ମୁଁ ସବୁ ସୋମବାର ଆସେ। ଥରେ ଶିବରାତ୍ରୀ ସମୟରେ ମୁଁ ଦେଖିଲି ମା’ମାନଙ୍କ ପାଇଁ ଛିଡ଼ା ହେବାକୁ ମଧ୍ୟ ଜାଗା ନାହିଁ ଓ ଶାନ୍ତିରେ ଦୀପ ବସାଇ ପାରୁନାହାନ୍ତି। ଏ ବିଷୟ ମୁଖ୍ୟମନ୍ତ୍ରୀଙ୍କୁ କହିବା ପରେ ଆରମ୍ଭ ହେଲା ଏକାମ୍ର ପ୍ରକଳ୍ପ। ଏବେ ମା’ମାନେ ବହୁତ ଶାନ୍ତିରେ ପିଲା ଛୁଆଙ୍କୁ ଧରି ଦୀପ ବସାଇ ପାରୁଛନ୍ତି। ଆପଣମାନେ ସମସ୍ତେ ଏଥିପାଇଁ ତ୍ୟାଗ କରିଛନ୍ତି, ଆପଣଙ୍କ ତ୍ୟାଗ ଇତିହାସ ମନେ ରଖିବ। ଆଗକୁ ଏକାମ୍ର ପ୍ରକଳ୍ପ ଆହୁରି ଆଗେଇବ, ଆହୁରି ଭବ୍ୟ ଓ ଦିବ୍ୟ ହେବ। ଆପଣମାନେ ଆଧ୍ୟାତ୍ମିକ ଅନୁଭବ ପାଇବେ, ହଜାର ହଜାର ପର୍ଯ୍ୟଟକ ଆସିବେ। ଆପଣମାନଙ୍କର ରୋଜଗାର ବଢିବ ଓ ଆପଣମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। କିନ୍ତୁ ଆପଣଙ୍କ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଲିଙ୍ଗରାଜଙ୍କ କାମକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କଲେ, ଏହା ଠିକ୍ କଥା କି ?
ଅପରାଜିତାଙ୍କୁ ଟାର୍ଗେଟ୍, ସାଂସଦ ଛୋଟ କଥାରେ ମାତୁଛନ୍ତି
ଲିଙ୍ଗରାଜ ଆଇନକୁ ଚକ୍ରାନ୍ତ କରି ଦିଲ୍ଲୀରେ ଅଟକାଇଛନ୍ତି: ଅଶୋକ
ଅପରାଜିତାଙ୍କୁ ଟାର୍ଗେଟ୍ କରି ପାଣ୍ଡିଆନ କହିଲେ, ସାଂସଦ ଭାବେ ତାଙ୍କ କାମ ହେଉଛି କେନ୍ଦ୍ର ସରକାରଙ୍କଠାରୁ ବଡ଼ ବଡ଼ ଯୋଜନା ଆଣିବେ। ଫ୍ଲାଏ ଓଭର, ଆଇଟି ପାର୍କ, ଏମ୍ଏସ୍ଏମ୍ଇ, ଦକ୍ଷତା ବିକାଶ ଆଦି ଯୋଜନାରେ ହଜାର ହଜାର କୋଟି ଟଙ୍କା ସେ ଆଣି ପାରିଥା’ନ୍ତେ। ବେଙ୍ଗାଲୁରୁ ଓ ଜୟପୁର ଆଦି ସହରରେ ସାଂସଦମାନେ ସେମାନଙ୍କ ସହର ପାଇଁ ୪୦ ହଜାର, ୫୦ ହଜାର କୋଟି ଟଙ୍କା ଆଣୁଛନ୍ତି। କିନ୍ତୁ ଦୁଃଖର କଥା, ଆପଣଙ୍କ ସାଂସଦ ଛୋଟ କଥାରେ ମାତୁଛନ୍ତି, କର୍ପୋରେଟରମାନଙ୍କ କଥାରେ ମୁଣ୍ଡ ଖେଳାଉଛନ୍ତି। ତାଙ୍କର କିଛି ଉଚ୍ଚ ଚିନ୍ତାଧାରା ନାହିଁ। ଏହି ଅବସରରେ ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା କହିଲେ, ମହାପ୍ରଭୁ ଲିଙ୍ଗରାଜ ଆମର କ୍ଷେତ୍ରାଧିପତି। ଲିଙ୍ଗରାଜ ଆଇନକୁ ଚକ୍ରାନ୍ତ କରି ଦିଲ୍ଲୀରେ ଅଟକାଇଛନ୍ତି ବିରୋଧୀ। ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଛନ୍ତି। ସେମାନଙ୍କୁ ଇତିହାସ କ୍ଷମା ଦେବ ନାହିଁ, ମହାପ୍ରଭୁ କ୍ଷମା ଦେବେ ନାହିଁ। ଏହି କାର୍ଯ୍ୟକ୍ରମରେ ଏକାମ୍ର ନିର୍ବାଚନମଣ୍ଡଳୀର ସବୁ କର୍ପୋରେଟର୍, ବିଜେଡି ନେତା ଓ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/dgdgjgjgjgjd.jpg)