ମହାନଦୀ ପାଣି ନମିଳିଲେ ପ୍ରକଳ୍ପ ଠପ୍‌ , ହଜାରହଜାର କୋଟିର ପ୍ରକଳ୍ପକୁ ନେଇ ଆଶଙ୍କା

ଗଙ୍ଗାଧର ମେହେର ପ୍ରକଳ୍ପ, ଇଥାନଲ୍‌ ପ୍ଲାଣ୍ଟ ପ୍ରଭାବିତ ହେବ
ମହାନଦୀ ଜଳବିବାଦ ଶୀଘ୍ର ସମାଧାନ ନହେଲେ ସମସ୍ୟା

ବରଗଡ଼ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳବିବାଦର ଶୀଘ୍ର ସମାଧାନ ନହେଲେ ଆଗାମୀ ଦୁଇବର୍ଷ ପରେ ଏହାର ପ୍ରଭାବ ପଡ଼ିବ। ବରଗଡ଼ ଓ ଏହାର ଆଖାପାଖ ଅଞ୍ଚଳରେ ଭୟଙ୍କର ପାଣି ସମସ୍ୟା ଦେଖାଯିବ। ଏପରିକି ହୀରାକୁଦ ଜଳଭଣ୍ଡାର ଉପରେ ମାତ୍ରାଧିକ ବୋଝ ପଡ଼ିବ। ଯେଉଁଥିପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଠପ୍‌ ହୋଇଯିବା ନେଇ ଏବେଠୁ ଆଶଙ୍କା ପ୍ରକାଶ ପାଇଛି।

ବର୍ତ୍ତମାନ କଲ୍‌ମା ବ୍ୟାରେଜ୍‌କୁ ଛତିଶଗଡ଼ ସଂପୂର୍ଣ୍ଣ ବନ୍ଦ ରଖିଥିବାରୁ ଓଡ଼ିଶା ପଟେ ମହାନଦୀ ସଂପୂର୍ଣ୍ଣ ଶୁଖିଲା ରହିଛି। ଛତିଶଗଡ଼ର ମନମୁଖି ଜଳ ପରିଚାଳନା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ଅଳ୍ପ ପାଣି ପହଞ୍ଚୁଛି। ଆଗକୁ ଛତିଶଗଡ଼ ପୂର୍ଣ୍ଣମାତ୍ରାରେ ନିଜ ବ୍ୟାରେଜ୍‌ଗୁଡ଼ିକ କାର୍ଯ୍ୟକ୍ଷମ କରିବ। ଫଳରେ, ହୀରାକୁଦ ଜଳଭଣ୍ଡାରକୁ ଆହୁରି କମ୍‌ ପାଣି ପହଞ୍ଚିବାନେଇ ଅନୁମାନ କରାଯାଉଛି। ଫଳରେ, ଗଙ୍ଗାଧର ମେହେର ବୃହତ୍‌ ଜଳସେଚନ ପ୍ରକଳ୍ପ ଏବଂ ନିର୍ମାଣାଧିନ ଇଥାନଲ୍‌ ପ୍ଲାଣ୍ଟ ଉପରେ ଏହାର ପ୍ରଭାବ ପଡ଼ିବ। ଏହାବାଦ୍‌ ବରଗଡ଼ କେନାଲ୍‌ ଏବଂ ଅନ୍ୟ ଶାଖା କେନାଲ୍‌ ମଧ୍ୟ ଠିକଣା ସମୟରେ ଆବଶ୍ୟକ ଜଳ ଯୋଗାଇ ପାରିବନାହିଁ। ହୀରାକୁଦ ଜଳଭଣ୍ଡାରରେ ୫୯୦ ଫୁଟ୍‌ ପାଣି ରହିଲେ ହିଁ ବରଗଡ଼ କେନାଲ୍‌କୁ ଜଳ ଯୋଗାଣ ସମ୍ଭବ। ବରଗଡ଼ କେନାଲରେ ସାଧାରଣତଃ ୩,୮୦୦ କ୍ୟୁସେକ୍‌ ପାଣି ଛଡ଼ାଯାଇଥାଏ।  ୮୪ କିଲୋମିଟର୍‌ ଯାଏଁ ଲମ୍ବିଥିବା ଏହି କେନାଲ୍‌ ବରଗଡ଼, ସୋନପୁର, ବଲାଂଗୀର ଏବଂ ସମ୍ବଲପୁର ଜିଲ୍ଲାର କିଛି ଅଂଶକୁ ଜଳ ଯୋଗାଇ ଥାଏ। କିନ୍ତୁ ମୁଖ୍ୟ କେନାଲ୍‌ରେ ପର୍ଯ୍ୟାପ୍ତ ପାଣି ନଆସିଲେ ଜଳସେଚିତ ଅଂଚଳରେ ମଧ୍ୟ ଚାଷବାସ ବଂଚାଇବା କାଠିକର।

top-rated.online

ସୂଚନା ଅନୁସାରେ, ଆସନ୍ତାବର୍ଷ ଗଙ୍ଗାଧର ମେହେର ବୃହତ୍‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ ପାଇଁ ହୀରାକୁଦ ଜଳଭଣ୍ଡାରରୁ ହିଁ ପାଣି ଆସିବ। ପ୍ରକଳ୍ପର ପ୍ରାଥମିକ ପର୍ଯ୍ୟାୟରେ ତିନୋଟି ବ୍ଲକ୍‌ ବିଜେପୁର, ସୋହେଲା ଏବଂ ବରପାଲି ବ୍ଲକ୍‌ ସମେତ ସୋନପୁର ଜିଳ୍ଲା ଡୁଂଗୁରିପାଲି ବ୍ଲକ୍‌ର ମୋଟ୍‌ ୧୨୯ ଗାଁର ୨୫,୬୦୦ ହେକ୍ଟର ଜମିକୁ ପାଣି ମାଡ଼ିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅତିକମ୍‌ରେ ସୋହେଲାର ୨୫ଟି ଗାଁର ୬,୪୦୦ ହେକ୍ଟର, ବିଜେପୁରର ୭୫ଟି ଗାଁର ୧୫,୨୦୦ ହେକ୍ଟର, ବରପାଲି ବ୍ଲକ୍‌ ୨୨ଟି ଗାଁର ୩,୮୪୦ ହେକ୍ଟର ଏବଂ ସୋନପୁର ଜିଲ୍ଲା ଡୁଂଗୁରିପାଲିର ୭ଟି ଗାଁର ୧୬୦ ହେକ୍ଟର ଜମି ଜଳସେଚିତ ହେବ। ଏହି ପ୍ରକଳ୍ପ ପାଇଁ ୨୫ଶହ କୋଟି ଟଙ୍କା ମଞ୍ଜୁର ପରେ କାମ ଆରମ୍ଭ ହୋଇଛି। ସେହିପରି ପ୍ରକଳ୍ପର ପରିବର୍ଦ୍ଧିତ ପ୍ରକ୍ରିୟାରେ ଏଥିରେ ବରଗଡ଼ ବ୍ଲକ୍‌ର ୭ଟି ପଞ୍ଚାୟତ ସାମିଲ କରାଯାଇଛି। ଏଥିପାଇଁ ଅତିରିକ୍ତ ୯୨୦କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟାପ୍ତ ପାଣି ନରହିଲେ ଏହି ପ୍ରକଳ୍ପ ବି କିଛି କାମରେ ଲାଗିବ ନାହିଁ।

ସେହିପରି ଆଉ ଦୁଇ ବର୍ଷ ଭିତରେ ବରଗଡ଼ ଜିଲ୍ଲାରେ ଇଥାନଲ୍‌ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ। ଏହି ପ୍ଲାଣ୍ଟକୁ ପାଣି କେଉଁଠୁ ଆସିବ, ତାହା ବଡ଼ ପ୍ରଶ୍ନ ଥିଲା। ବରଗଡ଼ କେନାଲ୍‌ରୁ ପାଣି ଉତ୍ତୋଳନ କରିବାକୁ ପ୍ରଥମେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପରେ ହୀରାକୁଦ ଜଳଭଣ୍ଡାରରୁ ଏଠାକୁ ପାଣି ଆଣିବାକୁ ଯୋଜନା ରହିଛି। ଯାହାଦ୍ବାରା ଜଳଭଣ୍ଡାର ଉପରେ ଜଳବୋଝ ପଡ଼ିବ। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ମନମାନି ବନ୍ଦ ନହେଲେ, ଏହି ବହୁ କୋଟି ଟଙ୍କାର ପ୍ରକଳ୍ପ କିଛି କାମ‌ରେ ଲାଗିବ ନାହିଁ।

ସମ୍ବନ୍ଧିତ ଖବର