ଶିଳ୍ପମନ୍ତ୍ରୀଙ୍କ ପ୍ରତିଶ୍ରୁତି ଫଳିବ! ଜିଲ୍ଲାରେ ବଦୁଳିନି ଶିଳ୍ପର ଭାଗ୍ୟ

ଲେଖାରେ ସୀମିତ ବଣିକ ସଂଘର ପ୍ରସ୍ତାବ

ରାଉରକେଲା: ଶିଳ୍ପକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଶିଳ୍ପମନ୍ତ୍ରୀ ଜିଲ୍ଲା ଗସ୍ତ କରି ଶିଳ୍ପପତି ଓ ବଣିକ ସଂଘର ପ୍ରତିନିଧିଙ୍କ ବୈଠକ ପରେ ବୈଠକ କରୁଛନ୍ତି। ବଣିକ ସଂଘ ପକ୍ଷରୁ ଶିଳ୍ପର ବିକାଶ ପାଇଁ ଅନେକ ପ୍ରସ୍ତାବ ଦିଆଯାଉଛି। ଏସବୁ କେବଳ ସମୀକ୍ଷା ବୈଠକ ଓ ଆଲୋଚନାରେ ସୀମିତ ରହିଯାଉଛନ୍ତି। ଶିଳ୍ପସମୃଦ୍ଧ ଜିଲ୍ଲା ସୁନ୍ଦରଗଡ ହେଉଛି ଏହାର ଜ୍ବଳନ୍ତ ଉଦାହରଣ। କାରଣ ୧୫ ବର୍ଷ ମଧ୍ୟରେ ଅନେକ ଶିଳ୍ପମନ୍ତ୍ରୀ ରାଉରକେଲା ଗସ୍ତ ଆସିଛନ୍ତି। ବଣିକ ସଂଘ ପକ୍ଷରୁ ଆୟୋଜିତ ବୈଠକରେ ଜିଲ୍ଲାରେ ଶିଳ୍ପର  ସ୍ଥିତି ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛନ୍ତି। ଛୋଟ ବଡ ଶିଳ୍ପ ପ୍ରତିଷ୍ଠା ପାଇଁ  ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଦିଆଯିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

କିନ୍ତୁ ଏସବୁ ପ୍ରତିଶ୍ରୁତି ସେହି ପ୍ରତିଶ୍ରୁତିରେ ରହି ଯିବାର ଅନେକ ଆଶଙ୍କା ରହିଛି। ଏକଦା ଦିବ୍ୟଶଙ୍କର ମିଶ୍ର ଶିଳ୍ପମନ୍ତ୍ରୀ ହେବା ପରେ ରାଉରକେଲା ଗସ୍ତରେ ଆସିଥିଲେ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।  ନିର୍ମାଣଧୀନ ହକି ଷ୍ଟାଡିୟମ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଷ୍ଟାଡୟିମ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଶ୍ଚର୍ଯ୍ୟ କଥା, ଜିଲ୍ଲାରେ ରୁଗ୍‌ଣସ୍ଥିତିରେ ଚାଲିଥିବା ‌କଳ କାରଖାନାଗୁଡ଼ିକ କିପରି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଏବଂ ଜିଲ୍ଲାର ନିଯୁକ୍ତି ସୃଷ୍ଟି ‌ହେବ, ସେ ସଂକ୍ରାନ୍ତରେ ବିଶେଷ ଆଲୋଚନା କରି ନଥିଲେ। କେବଳ ପଞ୍ଚାୟତସ୍ତରରେ ବିଭିନ୍ନ ଶିଳ୍ପର ପୁନରୁଦ୍ଧାର କରାଯାଇ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମନ୍ତ୍ରୀ ବୋଲି କହି କାମ ସାରିଦେଇଥିଲେ।

ସେତେବେଳେ ବଣିକ ସଂଘର ପ୍ରତିନିଧି ରୁଗ୍‌ଣ ଅବସ୍ଥାରେ ଚାଲିଥିବା ଶିଳ୍ପକୁ ଚଲାଇବାକୁ ବିଦ୍ୟୁତ୍‌ ବିଲ୍‌ ହ୍ରାସ କରିବାକୁ ଶିଳ୍ପମନ୍ତ୍ରୀଙ୍କୁ ଅନେକଥର ଅନୁ‌ରୋଧ କରିଥିଲେ। ବିଡମ୍ବନା, ଆଜି ପର୍ଯ୍ୟନ୍ତ ସରକାର ଏ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନେଇନାହାନ୍ତି। ଅନୁରୂପ ଭାବେ ନିକଟରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେଓ ରାଉରକେଲା ଗସ୍ତରେ ଆସିଥିଲେ। ବଣିକ ସଂଘ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଥିଲେ ବଣିକ ସଂଘ ଓ ଜିଲ୍ଲାର ଶିଳ୍ପପତି। ଜିଲ୍ଲାରେ ରୁଗ୍‌ଣ ସ୍ଥିତିରେ ଚାଲୁଥିବା ଶିଳ୍ପ ଓ ବନ୍ଦ ପଡିଥିବା ଶିଳ୍ପଗୁଡ଼ିକ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ବଣିକ ସଂଘର ପ୍ରତିନିଧିମାନେ ଶିଳ୍ପମନ୍ତ୍ରୀଙ୍କୁ ବିଭିନ୍ନ  ସମସ୍ୟା ସଂକ୍ରାନ୍ତରେ ଅବଗତ କରାଇଥିଲେ। ମନ୍ତ୍ରୀ ଶ୍ରୀ ଦେଓ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସରକାରଙ୍କ ପକ୍ଷରୁ ସହଯୋଗ କରାଯିବ ମଧ୍ୟ ଆଶ୍ବାସନା ଦେଇଛନ୍ତି। କିନ୍ତୁ ପୂର୍ବ ଶିଳ୍ପମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରି ଶ୍ରୀ ଦେଓଙ୍କ ପ୍ରତିଶ୍ରୁତି କେବଳ କାଗଜପତ୍ରରେ ସୀମିତ ହୋଇ ରହି ଯିବନି ତ ? ଏହାକୁ ନେଇ ଅନେକ ଶିଳ୍ପପତିଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। କାରଣ ବିଗତରେ ଅନେକ ଶିଳ୍ପମନ୍ତ୍ରୀ  ରାଉରକେଲା ଗସ୍ତରେ ଆସିଛନ୍ତି। ଜିଲ୍ଲାରେ ଶିଳ୍ପର ବିକାଶକୁ ନେଇ ଏମିତି ଅନେକ କଥା କହି ଚାଲି ଯାଇଛନ୍ତି। ଫଳ କିନ୍ତୁ ଶୂନ୍‌।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ରେ ପରିଚାଳନାତ ତ୍ରୁଟି , ବ୍ୟାଙ୍କ ଋଣ ବୋଝ, ବର୍ଦ୍ଧିତ  ବିଦ୍ୟୁତ୍‌ ବିଲ୍‌ ମାଡ଼, ଆବଶ୍ୟକ କଞ୍ଚାମାଲ ଅଭାବରୁ ବର୍ଷ ବର୍ଷ ଧରି ଚାଲିଥିବା ପ୍ରାୟ ୧୫୦୦ରୁ ଅଧିକ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ତାଲା ଝୁଲୁଛି। ଯେଉଁ କେ‌ତୋଟି ଚାଲିଛି, ତା’ର ସ୍ଥିତି ମଧ୍ୟ ଦୟନୀୟ। ମହାମାରୀ କରୋନା ମାଡ଼ରେ  ରୁଗ୍‌ଣ ସ୍ଥିତିରେ ଚାଲିଥିବା ଏସବୁ କାରଖାନାଗୁଡ଼ିକ ସ୍ଥିତି  ଆହୁରି ସଙ୍ଗିନ ହୋଇ ପଡିଛି। ଜିଲ୍ଲାର ପ୍ରାୟ ୪୫ରୁ ଅଧିକ ସ୍ପଞ୍ଜ କାରଖାନାଗୁଡ଼ିକ ମଧ୍ୟରୁ  ୭୦% ବନ୍ଦ ପଡିଛି। ମାତ୍ରାଧିକ ବିଜୁଳି ବିଲ୍‌ ଓ ଠିକ୍‌ ଆବଶ୍ୟକ କଞ୍ଚାମାଲ ଅଭାବରୁ ଅବଶିଷ୍ଟ ଶିଳ୍ପ କାରଖାନା ମଧ୍ୟରୁ ଅଧିକାଂଶ ଗୋଟିଏ ପରେ ଗୋଟିଏ ବନ୍ଦ ହେବାକୁ ବସିଛି। ତେବେ ଶିଳ୍ପକୁ ପ୍ରାଥମିକତା ଦିଆଯାଉଥିବା କଥା କହୁଥିବା ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଉନାହାନ୍ତି। ସେପଟେ ଶିଳ୍ପ ଉପରେ ପ୍ରତ୍ୟେକ୍ଷ ଓ ପରୋକ୍ଷ  ଭାବେ ନିର୍ଭରଶୀଳ ସୁନ୍ଦରଗଡ଼ ଜିଲ୍ଲାର  ଲକ୍ଷାଧିକ ଶ୍ରମିକ କର୍ମସଂସ୍ଥାନ ହରାଇଛନ୍ତି।

ସେମିତି ରୁଗ୍‌ଣସ୍ଥିତିରେ ଚାଲିଥିବା କାରଖାନା ଅଧିକାଂଶ ଶ୍ରମିକଙ୍କୁ ଛଟେଇ କରିବାରୁ ଜିଲ୍ଲାର ଶ୍ରମିକଙ୍କ  ଆର୍ଥିକ ସ୍ଥିତି ଆହୁରି ଦୟନୀୟ ହୋଇପଡିଛି। ଜିଲ୍ଲାରେ ପ୍ରାୟ ୨ ହଜାର ୫୦୦ରୁ ଅଧିକ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପଞ୍ଜିକୃତ ହୋଇଛି। ୮ଟି ବ୍ଲକ ଯଥା ବଣାଇଗଡ, କୋଇଡା, ଗୁରୁଣ୍ଡିଆ, ଲହୁଣିପଡା, ଲାଠିକଟା, କୁଆରମୁଣ୍ଡା, ନୂଆଗାଁ ଓ ବିଶ୍ରା ବ୍ଲକରେ ମୋଟ ୧୨୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ  ରହିଛି। ୪୦୦ରୁ ଅଧିକ ଶିଳ୍ପରେ ତାଲା ଝୁଲୁଛି। ସେମିତି ସୁନ୍ଦରଗଡ଼ ସଦର, ରାଜଗାଙ୍ଗପୁର, କୁତ୍ରା, ବଡଗାଁ, ହେମଗିରି, ଟାଙ୍ଗରପାଲି, ବାଲିଶଙ୍କରା, ଲେଫ୍ରିପଡା, ସବ୍‌ଡେଗାରେ ମୋଟ ୧୫୦୦ରୁ ଅଧିକ ଛୋଟ, ବଡ କଳକାରଖାନା ରହିଛି। ଏଥିରୁ ୮୦୦ରୁ ଅଧିକ ଯେନତେନ ପ୍ରକାରେ ଚାଲୁଥିବାବେଳେ ୭୦୦ ଶିଳ୍ପ କାଖାନା ବନ୍ଦ ପଡିଛି।

ସମ୍ବନ୍ଧିତ ଖବର