କୁହିକା: ପ୍ରଶାସନ ସହ ବୈଠକରେ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହେଉନଥିବାରୁ ସୁକିନ୍ଦା ଖଣି ଅଞ୍ଚଳରେ ଟ୍ରକ୍ ମାଲିକଙ୍କ ଅସନ୍ତୋଷ ବଢ଼ିଚାଲିଛି। ଆଜି ସୁକିନ୍ଦା କ୍ରୋମାଇଟ ଖଣି ଟ୍ରକ ମାଲିକ ସଂଘ କୁହିକାର ସଭାପତି ବିଶ୍ୱଜିତ ରାଜ ଓ ପୂର୍ବତନ ସଭାପତି ଅମଳେନ୍ଦୁ ବେହୁରାଙ୍କ ପରାମର୍ଶକ୍ରମେ କୁହିକା ହାଟ ପଡ଼ିଆରେ କିଛି ଟ୍ରକ ମାଲିକ ମିଳିତ ହୋଇ ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ସଂଘର ଉପସଭାପତି ରଞ୍ଜନ କୁମାର ନାୟକଙ୍କ ଆହ୍ୱାନରେ ଆହୂତ ଉକ୍ତ ବୈଠକରେ ସମ୍ପାଦକ ଅରୁଣ କୁମାର ପରିଡ଼ା ଆଲୋଚନାକୁ ଆଗେଇ ନେଇଥିଲେ। ବିଗତ ଦିନରେ ଚାଲାଣରେ ଟନ୍ ପ୍ରତି ପରିବହନ ଭଡ଼ା ଦର ଉଲ୍ଲେଖ କରିବା, ସଂଘ ନିର୍ଦ୍ଧାରିତ ଦରରେ ଭଡ଼ା ପ୍ରଦାନ କରିବା, ଚାଲାଣ ଡିପୋଜିଟର ସାତ ଦିନ ମଧ୍ୟରେ ପରିବହନ ଠିକାଦାର ଭଡ଼ା ପ୍ରଦାନ କରିବା ଆଦି ପ୍ରସଙ୍ଗକୁ ନେଇ ପ୍ରଶାସନ ଉପସ୍ଥିତିରେ ନିଷ୍ପତ୍ତି ପରେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ।
ସେହିପରି ବିଗତ ଦିନରେ ପରିବହନରେ ନିୟୋଜିତ ଟ୍ରକର ଡିଜେଲ ଦର ଓ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ହେତୁ ପରିବହନ ଭଡ଼ାର ମୂଳଦର ବୃଦ୍ଧି ପାଇଁ ଟ୍ରକ ମାଲିକଙ୍କ ବାରମ୍ବାର ଦାବି ପରେ ବିଧାୟକଙ୍କ ଉପସ୍ଥିତିରେ ଆୟୋଜିତ ସମାଧାନ ବୈଠକରେ ୨୦ ପ୍ରତିଶତ ଭଡା ବଢ଼ିବାକୁ ସ୍ଥିର ହୋଇଥିଲା। ୧୦ ପ୍ରତିଶତ ଭଡ଼ା ବଢ଼ିଥିବାବେଳେ ପ୍ରାୟ ଦେଢ଼ବର୍ଷରୁ ଅଧିକ ସମୟ ବିତିଯାଇଥିବା ସତ୍ତ୍ବେ ଆଉ ୧୦ ପ୍ରତିଶତ ଭଡ଼ା ବଢ଼ିପାରିନାହିଁ। ସେହିପରି ସୁକିନ୍ଦା ଅଞ୍ଚଳର ଟ୍ରକ ମାଲିକଙ୍କୁ ପରିବହନରେ ଅଗ୍ରାଧିକାର ଦେଇ ସଂଘ ମାଧ୍ୟମରେ ଶୃଙ୍ଖଳିତ ଭାବେ ଗାଡ଼ି ଚଲାଇବା ନିଷ୍ପତ୍ତିରେ କୁହିକା ଟ୍ରକ ମାଲିକ ସଂଘର ସମ୍ପାଦକ ଲିଖିତ ସ୍ୱୀକୃତି ସତ୍ତ୍ବେ କାହିଁକି ଏ ପର୍ଯ୍ୟନ୍ତ ଏହା ସମ୍ଭବ ହୋଇପାରିନାହିଁ ବୋଲି ପ୍ରଶ୍ନ ଉଠିଥିଲା। ଖୁବ୍ଶୀଘ୍ର ସଂଘରେ ଥିବା ଓ ସଂଘ ସହ ସମ୍ପର୍କରେ ଥିବା ଟ୍ରକ ମାଲିକଙ୍କୁ ନେଇ ବୈଠକ ଆୟୋଜନ ହେବା ସହ ଆନ୍ଦୋଳନକୁ ତୀବ୍ରତର କରିବାକୁ ନିଷ୍ପତ୍ତି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/18-5.jpg)