ଝଙ୍କଡ଼ବାସିନୀ ମା ଶାରଳାଙ୍କ ସଂପତ୍ତି ହରିଲୁଟ୍
ଜଗତସିଂହପୁର: ପ୍ରସିଦ୍ଧ ଝଙ୍କଡ଼ ପୀଠରୁ ହେଉଥିବା ଆୟକୁ ହରିଲୁଟ୍ କରାଯାଉଛି। ମୁଖ୍ୟ ଆୟ ଉତ୍ସ ଭୋଗ, ଦୀପ ଦୋକାନକୁ ବାଦ୍ ଦେଲେ ମାଙ୍କ ଜମି ଓ ରୟତଙ୍କ ଠାରୁ ମିଳୁଥିବା ଆୟ ମଧ୍ୟ ମନ୍ଦିର ଖର୍ଚ୍ଚରେ ଲାଗୁଛି। କିନ୍ତୁ ମନ୍ଦିର ଆୟରୁ ଶ୍ରଦ୍ଧାଳୁଙ୍କ କଲ୍ୟାଣ ପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଉ ନାହିଁ। ମନ୍ଦିର ଆୟର ଭାଗ ବଣ୍ଟା ହେଉଥିବା ବେଳେ ମନ୍ଦିରର ଉନ୍ନତି ଦିଗରେ ଲାଗୁନି। ଏମିତିକି ମାଙ୍କ ନାମରେ ଥିବା ୧୩୦.୪୫ ଏକର ଜମିରୁ ଆସୁଥିବା ଆୟ ସେହି ମନ୍ଦିର ପରିଚାଳନାରେ ହିଁ ଖର୍ଚ୍ଚ ହୋଇଯାଉଛି। ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପଡ଼ିଥିବା ମାଙ୍କ ଜମିକୁ ଦଖଲକୁ ଆଣିବା ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ବଦଳି ପରେ ଏହି ଯୋଜନା ଅଧାରେ ରହିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ମୁତାବକ, ତିର୍ତୋଲ ତହସିଲ ଅଧୀନରେ ମାଙ୍କର ୮୭.୦୭ ଏକର ଜମି ରହିଥିବା ବେଳେ ବାଲିକୁଦା ତହସିଲ ଅଧୀନରେ ୫.୫ ଏକର, ଏରସମାର ୧୮.୫୫, ରଘୁନାଥପୁରରେ ୧.୯୭, ଜଗତସିଂହପୁର ୧.୯୧, କୁଜଙ୍ଗ ବ୍ଲକ୍ରେ ୧୭.୮୦ ଏକର ଜମି ରହିଛି। ଜଗତସିଂହପୁର ଜିଲ୍ଲାର ବିରିଡ଼ି ଓ ନାଉଗାଁରେ ମାଙ୍କର ଆଦୌ ଜମି ନଥିବା ସଂକ୍ରାନ୍ତରେ ରିପୋର୍ଟ ଆସିଥିଲା। ମାତ୍ର ଜଗତସିଂହପୁର ଜିଲ୍ଲାର ଜମି ତାଲିକାଭୁକ୍ତ ହେବା ପରେ ପୁଣି ଥରେ ଏହାକୁ ନେଇ ସନ୍ଦେହ ବଢିଛି। ମା’ ଶାରଳାଙ୍କ ନାମରେ ଶତାଧିକ ଏକର ଜମି ରହିଥିଲେ ମଧ୍ୟ ଏହାର କୌଣସି ପ୍ରମାଣପତ୍ର ମିଳୁ ନଥିବା ଅଡିଟ୍ରୁ ଜଣାପଡ଼ିଥିଲା। ୧୯୪୭ରେ ମନ୍ଦିରର ପୂର୍ବତନ ପରିଚାଳନା ସମିତି ସଭ୍ୟ ଚିନ୍ତାମଣି ଆଚାର୍ଯ୍ୟଙ୍କ ଦ୍ବାରା ପ୍ରକାଶିତ ପୁସ୍ତକରେ ମନ୍ଦିରର ୫୧୬.୨୪ ଏକର ଜମି ରହିଥିବା ଉଲ୍ଲେଖ କରାଯାଇଛି। ମାତ୍ର ଏଜିଙ୍କ ପକ୍ଷରୁ କରାଯାଇଥିବା ଅଡିଟ୍ ସମୟରେ ମନ୍ଦିର ପ୍ରଶାସନ ଆଦୌ ପ୍ରମାଣପତ୍ର ଦେଖାଇ ପାରିନଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।
ମାଙ୍କର ଜମି କେବଳ ତିର୍ତୋଲ ତହସିଲ ନୁହଁ ବରଂ ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକ୍ ସହ କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ରହିଥିବା କେତେକ ପୁରୁଣା ସେବାୟତ ମତ ଦିଅନ୍ତି। ଶ୍ରଦ୍ଧାଳୁମାନେ ନିଜ ମାନସିକ ପୂରଣ ହେବା ପରେ ଦୂର ଦୂରାନ୍ତରୁ ମାଙ୍କୁ ଜମି ଦାନ କରିଛନ୍ତି। ଏହି ଜମି ଗୁଡ଼ିକୁ ହିସାବ କରିବା ସ୍ବାଭାବିକ ଭାବେ ଜିଲ୍ଲା ପ୍ରଶାସନ ପ୍ରତି ସେତେ ସହଜ ହେଉ ନାହିଁ। ତେବେ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ବଦଳି ପରେ ପଡ଼ୋଶୀ ଜିଲ୍ଲା ଗୁଡ଼ିକରେ କେତେ ଜମି ରହିଛି, ଏହାର ତର୍ଜମା କରିବାକୁ କେହି ନାହିଁ। ଏଣୁ ଏ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।
ବିଭିନ୍ନ ଜିଲ୍ଲାରେ ପଡ଼ି ରହିଥିବା ଜମି ପୁନରୁଦ୍ଧାର କ୍ଷେତ୍ରରେ ପ୍ରଶାସନ ନିଷ୍କ୍ରିୟ
ଦୋକାନ ପିଛା ମାସିକ ଭଡ଼ା ମିଳୁଛି ୪୫ ଟଙ୍କା!
ବିଭିନ୍ନ ସ୍ଥାନରେ ଜମି ଚାଷ କରୁଥିବା ରୟତଙ୍କ ଠାରୁ ଧାନ ମୁଗ, ବିରି ବାବଦରେ ବାର୍ଷିକ ପ୍ରାୟ ୬୦ରୁ ୭୦ ହଜାର ଟଙ୍କା ଆୟ ହେଉଛି ବୋଲି ରାଜସ୍ବ ଆଦାୟ ଦାୟିତ୍ବରେ ଥିବା ସୁଦର୍ଶନ ମହାନ୍ତି ସୂଚନା ଦେଇଛନ୍ତି। ଗତ ବର୍ଷ ପ୍ରାୟ ୬୬ ହଜାର ଟଙ୍କା ରାଜସ୍ବ ଆଦାୟ କରାଯିବା ସହିତ ଦୋକାନ ଭଡ଼ା ଓ ହାଟ ବଜାର ମହାସୁଲ ବାବଦରେ ଆଦାୟ ଅର୍ଥ ମିଶାଇ ୧ ଲକ୍ଷ ଟଙ୍କାରୁ କିଛି ଅଧିକ ଆୟ ହୋଇଛି। ତେବେ ସମତୁଲ ଭଡ଼ା ନିର୍ଦ୍ଧାରଣ ହୋଇ ନଥିବାରୁ ମନ୍ଦିରକୁ ଏହି ସ୍ବଳ୍ପ ଆୟ ମିଳୁଛି। ଏହା ବୃଦ୍ଧି ହୋଇ ପାରନ୍ତା ବୋଲି ଶ୍ରୀ ମହାନ୍ତି ମତ ଦେଇଛନ୍ତି।
ମାଙ୍କ ଜମିରେ ହାଟ ବଜାରରେ ନିର୍ମିତ କେତେକ ଦୋକାନା ଘରର ଭଡ଼ା ବାବଦ ଆୟରେ କୌଣସି ସମାନତା ନାହିଁ। କାହିଁ କେଉଁ କାଳରୁ ଘର ଭଡ଼ା ବାବଦରେ ଦୋକାନ ପିଛା ମାସକୁ ୪୫ ଟଙ୍କା ଜମା ହେଉଛି। ଅବଶ୍ୟ ଆଉ କେତେକ ଦୋକାନରୁ ୨ଶହରୁ ୫ଶହ ଟଙ୍କା ଭଡ଼ା ମିଳୁଛି। କନକପୁର ବଜାରରେ ଥିବା ୧୫ଟି ଦୋକାନଗୃହ ବାବଦରେ ଯେଉଁ ଭଡ଼ା ମିଳୁଛି ତାହା ଦୀର୍ଘ ବର୍ଷ ହେଲା ସଂଶୋଧନ ହୋଇନାହିଁ। ମନ୍ଦିର ଆୟ ପନ୍ଥା ବୃଦ୍ଧି ଦିଗରେ କୌଣସି ନିର୍ବାହୀ ଅଧିକାରୀ ମୁଣ୍ଡ ପୂରାଉ ନାହାନ୍ତି। ସେହିପରି ମନ୍ଦିରର ଅନ୍ୟ ଆୟ ଉତ୍ସ ଶାରଳା ହାଟରେ ଥିବା ୩୦ ଦୋକାନରୁ ସ୍ବଳ୍ପ ପରିମାଣର ଭଡ଼ା ଆଦାୟ ହେଉଛି। କେତେକ ଦୋକାନୀଙ୍କ ଠାରୁ ବର୍ଷ ବର୍ଷ ଧରି ଭଡ଼ା ଆଦାୟ ହୋଇ ନଥିବା ସୂଚନା ମିଳିଛି।