ନୂଆପଡ଼ା : ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ବଢ଼ିବାରେ ଲାଗିଛି ବନ୍ୟଜନ୍ତୁ ଶିକାର। ସୁନାବେଡ଼ା ଅଭୟାରଣ୍ୟ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପରେ ଏବେ ଅସୁରକ୍ଷିତ ରହୁଛନ୍ତି ବନରାଜି। ସରକାର ୧୯୮୪ ମସିହାରେ ସୁନାବେଡ଼ା ଅଭୟାରଣ୍ୟ ଘୋଷଣା କରିଥିଲେ। ଓଡ଼ିଶା-ଛତିଶଗଡ଼ ରାଜ୍ୟ ସୀମାନ୍ତରେ ବାଘ ତଥା ଅନ୍ୟାନ୍ୟ ବନ୍ୟଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷିତ ବାସସ୍ଥାନ ପାଇଁ ୬ ଶହ ବର୍ଗ କିମି ଆୟତନ ବିଶିଷ୍ଟ ଜଂଗଲକୁ ଏଥିରେ ସାମିଲ କରାଯାଇଛି। ସୁନାବେଡ଼ା ପ୍ରସ୍ତାବିତ ବ୍ୟାଘ୍ର ଅଭୟାରଣ୍ୟ ଓ ଉଦନ୍ତୀ ସୀତାନଦୀ ବ୍ୟାଘ୍ର ପ୍ରକଳ୍ପ ଅଭୟାରଣ୍ୟ ସଂଲଗ୍ନ ହୋଇ ରହିଥିବାରୁ ଏକଦା ଏଠାରେ ବାଘ ବଂଶ ବୃଦ୍ଧି ପାଇଥିଲା।

Advertisment

publive-image Smithsonian Magazine

୧୯୯୬ରେ କେନ୍ଦ୍ର ସରକାର ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିଲେ। ୨୦୧୮ ଫେବ୍ରୁଆରିରେ ବନ୍ୟପ୍ରାଣୀ ବିଭାଗ ତରଫରୁ ଅଭୟାରଣ୍ୟରେ ପଗମାର୍କ ଓ କ୍ୟାମେରା ଟ୍ରାକିଂ ସାହାଯ୍ୟରେ ତୃଣ‌ଭୋଜି ଓ ମାଂସାସୀ ପ୍ରାଣୀଙ୍କ ଗଣନା କରାଯାଇଥିଳା। ପ୍ରାରମ୍ଭିକ ରିପୋର୍ଟରୁ ୧୪ରୁ ୧୬ଟି ମହାବଳ ଓ କଲରପତରିଆ ବାଘ ରହିଥିବା ଅନୁମାନ କରାଯାଇଥିଲା। ଅଭୟାରଣ୍ୟରେ ବିରଳ ପ୍ରଜାତିର ବ୍ଲାକ୍ ଟାଇଗର ରହିଥିବା ଜଣାପଡ଼ିଥିଲା। ୨୦୧୯ ଅଗଷ୍ଟ ୨୨ ତାରିଖରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଓଡ଼ିଶା- ଛତିଶଗଡ଼ ରାଜ୍ୟ ବନ୍ୟପ୍ରାଣୀ ବିଭାଗର ବରିଷ୍ଠ ଅଧିକାରୀ ସୁନାବେଡ଼ା ଅଭୟାରଣ୍ୟ ପ୍ରସ୍ତାବିତ ବ୍ୟାଘ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆଲୋଚନା କରିଥିଲେ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ସୁନାବେଡ଼ା ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ଘୋଷଣା ପାଇଁ ମଞ୍ଜୁରି ଦେଇସାରିଥିବା ବେ‌ଳେ ରାଜ୍ୟ ସରକାରଙ୍କଠାରେ ପ୍ରସ୍ତାବ ଅଟକି ରହିଛି।

publive-image Tierpark Berlin

ଅନ୍ୟପକ୍ଷରେ ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ଅନ୍ତଃରାଜ୍ୟ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ପରିଣାମ ସ୍ବରୂପ ଅଭୟାରଣ୍ୟର ବନ୍ୟପ୍ରାଣୀ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏହା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ନଦେଲେ ସୁନାବେଡ଼ା ଅଭୟାରଣ୍ୟ ବାଘ ଶୂନ୍ୟ ହୋଇଯିବ ବୋଲି ପରିବେଶବିତ୍‌ମାନେ ଉଦବେଗ ପ୍ରକାଶ କରିଛନ୍ତି। ବନ୍ୟପ୍ରାଣୀ ବିଭାଗର ନିରବତା ଯୋଗୁଁ ସିନାପାଲି ଓ ଗରିଆବନ୍ଧ ଜିଲ୍ଲା ସୀମାନ୍ତରେ ବାଘ ସହ ଅନ୍ୟ ବନ୍ୟପ୍ରାଣୀଙ୍କ ଅଂଗ ପ୍ରତ୍ୟଙ୍ଗ ଚାଲାଣ ଚାଲିଛି। ଗତ ବର୍ଷ ଜୁନ ୭ ତାରିଖ ଦିନ ଗରିଆବନ୍ଧ ଜିଲ୍ଲା ଉଦନ୍ତୀ ସୀତାନଦୀ ଅଭୟାରଣ୍ୟ ଅଧୀନ ଇନ୍ଦାଗାଁ ଥାନା କୁଲିହାଡ଼ିହି ଗାଁ ଧେଲେନ ନାଳ ନିକଟରୁ ଏକ କଲରାପତରିଆ ବାଘକୁ ଦରପୋଡ଼ା ଅବସ୍ଥାରେ ଛତିଶଗଡ଼ ବନ ବିଭାଗ ଜବତ କରିଥିଲା। ବର୍ଷକ ଭିତରେ ସୀମାନ୍ତ ଅଞ୍ଚଳରେ ଗରିଆବନ୍ଧ ଜିଲ୍ଲା ବନ ବିଭାଗ ଏବଂ ଓଡ଼ିଶା ସ୍ପେସାଲ ଟାକ୍ସଫୋର୍ସ ଟିମ୍ ଅନେକ ସ୍ଥାନରେ ଚଢ଼ଉ କରି ବାଘଛାଲ, ନଖ, ବଜ୍ରକାପ୍ତା କାତି ଭଳି ବନ୍ୟଜନ୍ତୁ ଦେହାବଶେଷକୁ ଜବତ କରିଛି। ମାତ୍ର ନୂଆପଡ଼ା ଜିଲ୍ଲାରେ ବନ ବିଭାଗ କୌଣସି ବନ୍ୟଜନ୍ତୁଙ୍କ ଦେହାବଶେଷ ଜବତ କରିପାରି ନାହିଁ। ଏଭଳି ଛତିଶଗଡ଼ ବନ ବିଭାଗକୁ ବହୁ ସଫଳତା ମିଳିଥିବା ବେଳେ ଓଡ଼ିଶା ବନ ବିଭାଗର ଅପାରଗତା ପଦ‌ାରେ ପଡ଼ିଥିବା ଚର୍ଚ୍ଚା ହେଉଛି। ସେ ଯାହା ହେଉନା କାହିଁକି ବର୍ତ୍ତମାନ ସୁନାବେଡ଼ା ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଇଛି। ନଚେତ ଆଗାମୀ ଦିନରେ ଅଭୟାରଣ୍ୟ ବନ୍ୟପ୍ରାଣୀ ଶୂନ୍ୟ ବିଶେଷ କରି ବାଘଶୂନ୍ୟ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।