ବ୍ୟାସନଗର: ବ୍ୟାସନଗର ତହସିଲ୍ ଅନ୍ତର୍ଗତ ବୈତରଣୀ ନଦୀ ପାର୍ଶ୍ବରେ କୋରେଇ ବ୍ଲକ୍‌ର ସାଆଁଳା, ଶାଳବା, ମୁକୁନ୍ଦପୁର, ନୟାହାଟପାଟଣା, ଗହ୍ମାରିଆ ନିକଟରୁ ବେଧଡ଼କ ବାଲି ପରିବହନ ଚାଲିଛି। ଏହାର ପ୍ରତିବାଦରେ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୫ ତାରିଖରୁ କୋରେଇ ସଂଗ୍ରାମ ସମିତି ପକ୍ଷରୁ ଗଣଧାରଣା ଦିଆଯାଇଛି। ଧାରଣାକୁ ୬ ଦିନ ପୂରିଯାଇଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ। ଯାହାକୁ ନେଇ ଧାରଣାକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆସନ୍ତାକାଲି ପୌର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଜନଶୁଣାଣି ଶିବିରରେ ହରତାଳ କରିବା ପାଇଁ ସଂଗ୍ରାମ ସମିତି ପକ୍ଷରୁ ଘୋଷଣା କରାଯାଇଛି।

Advertisment

ଏଥିପାଇଁ ଆଜି ବ୍ୟାସନଗର ସାପଗଡ଼ିଆସ୍ଥିତ କାର୍ଯ୍ୟାଳୟରେ ସଂଗ୍ରାମ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇଛି। ସମିତିର ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ୨ ଶହରୁ ଅଧିକ ପୁରୁଷ ଓ ମହିଳାଙ୍କୁ ନେଇ ଗୋପବନ୍ଧୁ ଛକ ନିକଟରୁ ଏକ ପଦଯାତ୍ରା ବ୍ୟାସନଗର ପୌର କାର୍ଯ୍ୟାଳୟ ପର୍ଯ୍ୟନ୍ତ କରାଯିବ। ଶୋଭାଯାତ୍ରାକାରୀ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ବେଆଇନ୍‌ ବାଲି ପରିବହନ ସମ୍ପର୍କରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ। ଏହି ଅଞ୍ଚଳରେ ଥିବା ବାଲିଘାଟକୁ କୋଟିକୋଟି ଟଙ୍କାରେ ନିଲାମ ଦିଆଯାଇଛି। ହେଲେ ଏହାର ୧ ପ୍ରତିଶତ ଅର୍ଥ ଜନସାଧାରଣଙ୍କ ଗମନାଗମନ କ୍ଷେତ୍ରରେ ଖର୍ଚ୍ଚ କରାଯାଉନାହିଁ ବୋଲି ସମିତିର ସଭାପତି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଆସନ୍ତାକାଲି ଧାରଣାକୁ ଅଧିକ ତୀବ୍ରତର କରିବା ପାଇଁ ଶ୍ରୀ ମହାନ୍ତି ଆହ୍ଵାନ ଦେଇଛନ୍ତି।