କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳବାଇ ଜମିରେ ରହୁଥିବା ଅନେକ ପରିବାରକୁ ରେଳ ବିଭାଗ ନୋଟିସ୍ ଜରିଆରେ ଜବରଦଖଲ ଉଚ୍ଛେଦ ପାଇଁ କହିଛି। ସେମାନଙ୍କ ଥଇଥାନ ପାଇଁ ଏନ୍ଏସି ପ୍ରଶାସନ ସରକାରୀ ଜମି ଖୋଜୁଥିବା ବେଳେ ତୁରେକେଲା ବ୍ଲକ ଦାବିରି ଗାଁ ନିକଟରେ ପ୍ରାୟ ୧୦ ଏକର ଜମିରେ ଥଇଥାନ କରିବା ପାଇଁ ପ୍ରୟାସ କରୁଥିଲା। ଗତ ମାର୍ଚ୍ଚ ୧୭ ତାରିଖରେ କଣ୍ଟାବାଞ୍ଜି ତହସିଲ ଏକ ବିଜ୍ଞପ୍ତି ଦେଇ ଏହି ଗୋଚର ଜମିରେ କାହାର ଅଭିଯୋଗ ନଥିଲେ ବସୁନ୍ଧରା ଯୋଜନାରୁ କଣ୍ଟାବାଞ୍ଜି ରେଲୱେ ଜମିରେ ରହୁଥିବା ପରିବାରଗୁଡ଼ିକୁ ଘରଡିହ ଦିଆଯିବ ବୋଲି ଉଲ୍ଲେଖ କରିଥିଲେ।
ଏହାକୁ ନେଇ ସୋମବାର ଦାବିରି ଗାଁ ଲୋକ ବିରୋଧ କରିଛନ୍ତି। ଏହି ଜମିକୁ ମଶାଣି ଓ ଗୋଚର ଭାବରେ ବ୍ୟବହାର କରାଯାଉଥିବାରୁ ଘରଡ଼ିହ ପ୍ରଦାନ କଲେ ତାହା ବାଧାପ୍ରାପ୍ତ ହେବ ବୋଲି ଦର୍ଶାଇ ତହସିଲଦାର ଅମୃତଲାଲ ବେହେରାଙ୍କୁ ଅଭିଯୋଗପତ୍ର ଦେଇଛନ୍ତି। ଏହି ସମୟରେ ହିଆଁଲ ସରପଞ୍ଚ ସୁରୁବାଲି ମାଝୀ, ମାଁ’ ଦୁଆରଶନୀ ଯୁବକ ସଂଘ ସଭାପତି ରାଜୁ ଛତ୍ରିଆ, ୱାର୍ଡସଭ୍ୟ ଲିଙ୍ଗରାଜ ସୁନା, ନଲୀନ ଭୁଏ, ଗୋକୁଳ କୁଅଁର, ସଂଘ ସମ୍ପାଦକ ଚମ୍ପେଶ୍ୱର ନାଗ, ମୁକେଶ ବାଗଙ୍କ ସହ ଅନ୍ୟ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତଥିଲେ। ଏହାକୁ ନେଇ ତହସିଲଦାର ଜିଲ୍ଲାପାଳଙ୍କୁ ଜଣାଇ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି।