ଭୁବନେଶ୍ବର: କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଏନ୍‌ଡିଏ ନେତାମାନେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପିସିସି ଷ୍ଟିୟରିଂ କମିଟିର ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ମହମ୍ମଦ ମୋକିମ୍‌ଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ବିଜେପି କାର୍ଯ୍ୟାଳୟ ଆଡ଼କୁ ମୁହାଁଉଥିବା ବେଳେ ଶ୍ରୀୟା ଛକ ନିକଟରେ ପୁଲିସ ଅଟକାଇଥିଲା। ସେଠାରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଶତାଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା। ପରେ କଂଗ୍ରେସ ପକ୍ଷରୁ ଖାରବେଳନଗର ଥାନାରେ ଏନ୍‌ଡିଏ ନେତାଙ୍କ ବିରୋଧରେ ଏତଲା ଦିଆଯାଇଛି।

Advertisment

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରେ ବିଜେପି ଓ ଏହାର ସହଯୋଗୀ ଦଳର ନେତାମାନେ ବିରୋଧୀ ଦଳର ନେତାଙ୍କ ପ୍ରତି ଲଗାତାର ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି। ରାହୁଲ ଗାନ୍ଧୀଙ୍କ ପ୍ରତି କେନ୍ଦ୍ର ମନ୍ତ୍ରୀ ରବିନୀତ ସିଂହ ବିଟ୍ଟୁ, ପୂର୍ବତନ ବିଧାୟକ ତଲବିନ୍ଦର ମରୱା, ଶିବସେନା(ସିନ୍ଦେ ଗ୍ରୁପ)ବିଧାୟକ ସଞ୍ଜୟ ଗାଏକ୍ବାଡ୍‌ଙ୍କ ଭଳି ଅନେକ ନେତା କଟୁ ମନ୍ତବ୍ୟ ଦେଇଛନ୍ତି। ଏହାକୁ ଦେଶବାସୀ କଦାପି ବରଦାସ୍ତ କରିବେ ନାହିଁ। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସୂଚନା ଦେଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ। ବିଜେପିର ନେତାମାନେ ଯଦି ଏଭଳି ଭାବେ ବୟାନ ଦେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ପାଇଁ ଉଦ୍ୟମ କରିବେ ତାହେଲେ କଂଗ୍ରେସ ନେତା ଓ କର୍ମୀ ଚୁପ୍ ବସିବେ ନାହିଁ। ଗାନ୍ଧୀଜୀଙ୍କ ଅହିଂସା ନୀତିକୁ ଆପଣାଇ ପ୍ରଧାନମନ୍ତ୍ରୀଙ୍କ ପରବର୍ତ୍ତୀ ଓଡ଼ିଶା ଗସ୍ତ ସମୟରେ ଓଡ଼ିଶା ମାଟିରେ ଓହ୍ଲେଇ ଦେବେନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ବିଶ୍ବରଂଜନ ମହାନ୍ତି, ଅଶୋକ ଦାସ, ବିଧାୟିକା ସୋଫିଆ ଫିର୍‌ଦୋସ, କିଶୋର ଜେନା, ସନତ ଦାସ, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ବିଶ୍ବଜିତ ଦାସ, କୃଷ୍ଣଚନ୍ଦ୍ର ଶଗରିଆ, ମନୋରଂଜନ ଦାଶ, ରଣଜିତ ଦାଶ, ରଜନୀ ମହାନ୍ତି, ବିଶ୍ବଜିତ ଦାଶ, ଜୟଶ୍ରୀ ପାତ୍ର, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ସୁସ୍ମିତା ସିଂହଦେଓ, ରଣଜିତ ଦାଶ, ଜୟରାମ ପଟ୍ଟନାୟକ, ସ୍ମୃତି ରଂଜନ ଲେଙ୍କା, ରଣଜିତ ପାତ୍ର ଓ ଲଲାଟେନ୍ଦୁ ମହାପାତ୍ରଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।