ଭୁବନେଶ୍ବର: କୋଭିଡ୍ ସମୟରେ ମାସ୍କ ଓ ପିପିଇ କିଣାରେ ହୋଇଥିବା ବ୍ୟାପକ ଦୁର୍ନୀତି ଅଭିଯୋଗ ଘଟଣାରେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି ଲୋକାୟୁକ୍ତ। ଆସନ୍ତା ୨୩ ତାରିଖ ସୁଦ୍ଧା ଏ ନେଇ ଉତ୍ତର ରଖିବା ଲାଗି ଲୋକାୟୁକ୍ତ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ରାଜ୍ୟରେ କରୋନା ଯୁଦ୍ଧ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲ ଓ ଡାକ୍ତରଙ୍କ ପାଇଁ ମାସ୍କ ଓ ପିପିଇ କିଣାଯାଇଥିଲା। ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍ଏମ୍ସିଏଲ) ପକ୍ଷରୁ ଏସବୁ କୋଭିଡ୍ ସାମଗ୍ରୀ କିଣାଯାଇଥିବା ବେଳେ ତହିଁରେ ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କାରେ ଏସବୁ କିଣା ଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଲୋକାୟୁକ୍ତ ଗ୍ରହଣ କରିବା ସହିତ ଓଏସ୍ଏମ୍ସିଏଲ ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ ଓ ତତ୍କାଳନୀ ପରଚେଜ୍ କମିଟି ମୁଖ୍ୟ ହେମନ୍ତ ଶର୍ମାଙ୍କୁ ନୋଟିସ୍ ଜାରି ହୋଇଥିଲା। ମାତ୍ର ପ୍ରଥମଥର ଦୁହେଁ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ ନ ଥିବା ବେଳେ ସେପ୍ଟେମ୍ବର ୧୪ତାରିଖରେ ହାଜର ହେବା ସହିତ ନିଜର ପକ୍ଷ ରଖିଥିଲେ।
ଆଜି ଦ୍ବିତୀୟ ଥର ଶୁଣାଣି ହୋଇଥିବା ବେଳେ ଦୁଇ ବରିଷ୍ଠ ଆଇଏଏସ୍ ଅଧିକାରୀ ଲୋକାୟୁକ୍ତରେ ହାଜର ହୋଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏକ ଉତ୍ତର ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଛନ୍ତି। ତେବେ କରୋନା ମୁକାବିଲା ପାଇଁ ଗଠିତ କ୍ରୟ କମିଟି ବାରମ୍ବାର କାହିଁକି ପରିବର୍ତନ ହେଲା ଓ ସ୍ବାସ୍ଥ୍ୟ ସଚିବଙ୍କ ପରିବର୍ତେ ଶିଳ୍ପ ସଚିବ କାହିଁକି କ୍ରୟ କମିଟିର ଅଧ୍ୟକ୍ଷ ହେଲେ ତାହାକୁ ନେଇ ଲୋକାୟୁକ୍ତ ଦୁଇ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ତେବେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ମୁତାବକ ଏଥିରେ ପରିବର୍ତନ କରାଯାଇଥିବା ଦୁହେଁ ମତ ରଖିଥିଲେ। ପରେ ଲୋକାୟୁକ୍ତ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ଆସନ୍ତା ୨୩ତାରିଖ ସୁଦ୍ଧା ଉତ୍ତର ରଖିବା ଲାଗି ନିର୍ଦେଶ ଦେଇଛନ୍ତି। ଆବେଦନକାରୀ ସୁଦର୍ଶନ ଦାସ କହିଛନ୍ତି ଯେ ଅଧିକ ଟଙ୍କାରେ ମାସ୍କ କାହିଁକି କିଣାଗଲା ତାହାର ଉତ୍ତର ସରକାରଙ୍କ ପକ୍ଷରୁ ଦିଆଯାଇ ନାହିଁ। ପ୍ରତିପକ୍ଷର ସମସ୍ତ ଉତ୍ତର ପାଇବା ପରେ ହିଁ ତାଙ୍କୁ ପ୍ରତ୍ୟୁତ୍ତର ରଖିବା ଲାଗି ନିର୍ଦେଶ ଦେବା ସହିତ ଲୋକାୟୁକ୍ତ ଚୂଡ଼ାନ୍ତ ଶୁଣାଣି କରିବେ ବୋଲି ଶ୍ରୀ ଦାସ କହିଛନ୍ତି। ଶ୍ରୀ ଦାସଙ୍କ ସହିତ ବିଜୟ ପ୍ରଧାନ ଶୁଣାଣି ସମୟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ।