ଦିନକ ପରେ ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା: ଯାଞ୍ଚ ହେଲାନି ଖାଦ୍ୟର ମାନ

ମାନୁନାହାନ୍ତି କଟକଣା, ଭକ୍ତ ଖାଇବେ ଅଖାଦ୍ୟ

ପୁରୀ : ଦିନକ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅଧିକ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ରଥଯାତ୍ରାରେ ଯେଭଳି ଭକ୍ତମାନେ ଅଖାଦ୍ୟ ନ ଖାଆନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ବାସ୍ଥ୍ୟ ବିଭାଗ ବି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ବି ପୁରୀ ଗସ୍ତ କରି ଏହା ଉପରେ ଗୁରୁତ୍ବ ଦେଇଛନ୍ତି। ଯେହେତୁ ଚଳିତ ରଥଯାତ୍ରାରେ ଅଧିକ ଭକ୍ତ ଆସିବେ, ସେ ଦୃଷ୍ଟିରୁ ବିଭିନ୍ନ ଦୋକାନ, ହୋଟେଲ ସବୁରେ ଚଢ଼ଉ କରାଯାଇ ଖାଦ୍ୟର ମାନ ଯାଞ୍ଚ ହେବ। କିନ୍ତୁ ଏବେ ବି ବେଳାମାର୍ଗ, ସହରର ଗଳିକନ୍ଦିରେ ଅଖାଦ୍ୟ ବିକ୍ରି ଚାଲିଛି। ନା ଖାଦ୍ୟର ମାନ ଯାଞ୍ଚ ହେଉଛି ନା କାହାରିକୁ ତାଗିଦ କରାଯାଉଛି।

ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଶ୍ରୀକ୍ଷେତ୍ର ସ୍ବତନ୍ତ୍ର ସ୍ଥାନ ପାଇଥିବାରୁ ଦୈନିକ ଏଠାକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ତଥା ଭକ୍ତଙ୍କ ଆଗମନ ହେଉଛି। ସେହି ଅନୁସାରେ ସହରର ପ୍ରମୁଖ ରାସ୍ତାଘାଟ, ଗଳିକନ୍ଦିରେ ହଜାର ହଜାର ଦୋକାନ ଖୋଲିଛି। ରଥଯାତ୍ରା ପାଇଁ ବଡ଼ଦାଣ୍ଡରୁ ଦୋକାନ ବଜାର ହଟାଇ ଦିଆଯାଇଥିବାବେଳେ ଏବେ ବି ବେଳାମାର୍ଗ ଓ ଅନ୍ୟାନ୍ୟ ସ୍ଥାନରେ ଦୋକାନ ବଜାର ଖୋଲା ରହିଛି। ଫାଷ୍ଟଫୁଡ୍‌ ସହ ଅନ୍ୟାନ୍ୟ ଦୋକାନ ମାଳ ମାଳ ଖୋଲିଛି। ବେଳାମାର୍ଗ ଉପରେ ନଜର ପକାଇଲେ, ଏଠାରେ ବାସୀ ମାଛ, ଚିଙ୍ଗୁଡ଼ି ଆଦି ଛାଣି ବିକ୍ରି କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ଖାଦ୍ୟ ନିରାପତ୍ତାର ସାମାନ୍ୟତମ ନିୟମ ମାନୁନାହାନ୍ତି। ସମାନ ଅବସ୍ଥା ଫାଷ୍ଟଫୁଡ୍‌ ଦୋକାନରେ। ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତି ହେଉଛି ଓ ଖାଦ୍ୟ ପରସା ଯାଉଛି। ତଥାପି ଏଠାରେ ନା ଚଢ଼ଉ ହେଉଛି, ନା ଖାଦ୍ୟର ମାନ ଯାଞ୍ଚ ହେଉଛି। ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ, ଖାଦ୍ୟର ମାନ ଯାଞ୍ଚ ପାଇଁ ଅଧିକ ଖାଦ୍ୟ ନିରାପତ୍ତା ଅଧିକାରୀ ନିୟୋଜିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗ ବି ରଥଯାତ୍ରା ପାଇଁ ପୁରୀରେ ୭ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ନିୟୋଜିତ କରିଥିବା ସୂଚନା ଦେଇ ସାରିଲାଣି। ଏହି ଅଧିକାରୀମାନେ ବି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚି ସାରିଲେଣି। କିନ୍ତୁ ଚଢ଼ଉ ହେଉନଥିବାରୁ ଖାଦ୍ୟର ଗୁଣବତ୍ତା ରକ୍ଷା ହୋଇପାରୁନି। ଫଳରେ ରଥଯାତ୍ରାକୁ ଆସି ଅଖାଦ୍ୟ ଖାଇ ଭକ୍ତମାନେ ରୋଗାକ୍ରାନ୍ତ ହେବା ସହ ନକରାତ୍ମକ ଭାବନା ନେଇ ଫେରିବା ପରିସ୍ଥିତି ଉପୁଜିଛି।

ସମ୍ବନ୍ଧିତ ଖବର