ଟ୍ରେନ୍‌ ଦୁର୍ଘଟଣା ପରେ ‘କବଚ’କୁ ନେଇ ପ୍ରଶ୍ନ ଉଠିଲା

ବର୍ଷକରେ ପ୍ରହସନ ପାଲଟିଲା ରେଳମନ୍ତ୍ରୀଙ୍କ ଘୋଷଣା, ମାତ୍ର ୨ ପ୍ରତିଶତ ରେଳ ଲାଇନ୍‌ରେ ଲାଗିଛି

ଭୁବନେଶ୍ବର : ଗୋଟିଏ ଟ୍ରାକ୍‌ରେ ଦୁଇଟି ଟ୍ରେନ୍‌ ଥିଲେ ବି ଧକ୍କା ହେବା ପୂର୍ବରୁ ସ୍ବୟଂଚାଳିତ ବ୍ୟବସ୍ଥା ‘କବଚ’ ଟ୍ରେନ୍‌ ଦୁଇଟିକୁ ବହୁ ଦୂରରୁ ଅଟକାଇଦେବ। ଏଥିପାଇଁ ଲୋକୋ-ପାଇଲଟ୍‌ଙ୍କୁ ମଧ୍ୟ ବିଶେଷ ପରିଶ୍ରମ କରିବାର ଆବଶ୍ୟକତା ନାହିଁ। ସ୍ବଦେଶୀ ଜ୍ଞାନକୌଶଳ ସଂପନ୍ନ ଏହି ପ୍ରଯୁକ୍ତି (କବଚ) ଜରିଆରେ କେବଳ ଭାରତ ନୁହେଁ, ଅନ୍ୟ ଦେଶର ମଧ୍ୟ ରେଳ ଦୁର୍ଘଟଣାକୁ ଶୂନ୍ୟ କରି ଦିଆଯିବ। ‘କବଚ’ର ଟ୍ରାଏଲ-ରନ୍‌ ବେଳେ ଏଭଳି ମନ୍ତବ୍ୟ ଦେଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। କିନ୍ତୁ ଭାରତ ସରକାରଙ୍କ ପାଖରେ ଏତେ ସୁନ୍ଦର ଏବଂ ସୁଦୃଢ଼ ଜ୍ଞାନକୌଶଳ ଥିଲେ ମଧ୍ୟ କାହିଁକି ବାହାନଗା ରେଳ ଦୁର୍ଘଟଣାକୁ ଅଟକା ଯାଇପାରିଲା ନାହିଁ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ଶାସକ-ବିରୋଧୀଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଗଲାଣି।

୨୦୨୨ ମାର୍ଚ୍ଚ ୪ ତାରିଖରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ‘କବଚ’ର ସଫଳ ପରୀକ୍ଷଣ କରାଯାଇଥିଲା। ସେଦିନ ଏ ଅତ୍ୟାଧୁନିକ ବ୍ୟବସ୍ଥା ସଂପର୍କରେ ରେଳମନ୍ତ୍ରୀଙ୍କ ବାର୍ତ୍ତା ଲୋକଙ୍କୁ ଆଶ୍ବସ୍ତ କଲା ଯେ ଏଣିକି ଦେଶରେ ଆଉ ଅନ୍ତତଃ ଦୁଇ ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇ ବଡ଼ଧରଣର ଅନିଷ୍ଟ ହେବନି। କିନ୍ତୁ ପରୀକ୍ଷଣର ବର୍ଷେ ପରେ ଗତକାଲି ଯେଉଁ ଚିତ୍ର ଆସିଛି, ତାହାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି। ଏଠି ଦୋଷ ‘କବଚ’ର ନୁହେଁ, ରେଳ ମନ୍ତ୍ରାଳୟ ଓ ବିଭାଗର ଦାୟିତ୍ବହୀନ ଓ ଅବହେଳାର ବୋଲି ଅଭିଯୋଗ ହେଉଛି। ଯେଉଁ ବ୍ୟବସ୍ଥା ପାଇଁ ରେଳ ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି ମନ୍ତ୍ରୀ କହିଥିଲେ, ସେ ବ୍ୟବସ୍ଥା ଏ ରୁଟ୍‌ରେ ଆଜି ଯାଏ ସ୍ଥାପନା କରାଯାଇନାହିଁ। ଖୁବ୍‌ କମ୍‌ ରେଳ ରୁଟ୍‌ରେ ଏ ଅତ୍ୟାଧୁନିକ ବ୍ୟବସ୍ଥା ସଂଯୋଗ ହୋଇପାରିଛି।

ରେଳବାଇ ପ୍ରବକ୍ତା ଅମିତାଭ ଶର୍ମା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଦିଲ୍ଲୀ-ହାୱଡ଼ା ଏବଂ ଦିଲ୍ଲୀ-ମୁମ୍ବାଇ ରେଳ ସିଷ୍ଟମରେ ‘କବଚ’ ସଂଯୋଗ କରାଯାଉଛି। ଦୁର୍ଘଟଣା ଘଟିଥିବା ଖଡ଼ଗପୁର-ଭଦ୍ରକ-ବାଲେଶ୍ବର-କଟକରେ ଏହି ସିଷ୍ଟମ ଲାଗି ନଥିବାରୁ ଦୁର୍ଘଟଣାକୁ ଏଡ଼ାଯାଇ ପାରିଲା ନାହିଁ।

ଏହାଠୁ ଅଧିକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ପ୍ରଯୁକ୍ତିବିଦ୍ୟା ଆଜିର ନୁହେଁ। ୧୯୯୭ରୁ ୨୦୦୨ ମସିହା ମଧ୍ୟରେ ୧୨୮ ଟ୍ରେନ୍‌ରେ ଏହି ଡିଭାଇସ୍‌ର ପରୀକ୍ଷଣ କରାଯାଇଛି। ଏଥିରେ ୮୨ ପ୍ରତିଶତ ସଫଳତା ମଧ୍ୟ ମିଳିଥିଲା। ୨୦୧୬ ମସିହାରୁ ପ୍ରଥମଥର ପାଇଁ ଯାତ୍ରୀବାହୀ ଟ୍ରେନ୍‌ରେ ଏ ସଂକ୍ରାନ୍ତରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୦୨ ମସିହାରୁ କୋଙ୍କଣ ରେଳବାଇ ପକ୍ଷରୁ ଆଣ୍ଟି କୋଲିଜନ୍‌ ଡିଭାଇସ୍‌ ସିଷ୍ଟମ୍‌ର ପରୀକ୍ଷଣ କରାଯାଉଛି।

ଅନ୍ୟପକ୍ଷରେ ନିକଟ ଅତୀତରେ ଲୋକସଭାରେ ଦିଆଯାଇଥିବା ସୂଚନା ଅନୁସାରେ, କେବଳ ୧୪୫୫ କି.ମି ରେଳ ରୁଟ୍‌କୁ ‘କବଚ’ ସଂଯୋଗ କରାଯାଇଛି। ୨୦୨୨ ସୁଦ୍ଧା ୨୦୦୦ ରେଳ ନେଟ୍‌ୱାର୍କରେ ‘କବଚ’ ଲଗାଇ ଦିଆଯିବ ବୋଲି ରେଳମନ୍ତ୍ରୀ କହିଥିଲେ। ଏହାପରେ ପ୍ରତିବର୍ଷ ୪୦୦୦ରୁ ୫୦୦୦ କି.ମି ରେଳ ନେଟ୍‌ୱାର୍କରେ ‘କବଚ’ ଲଗାଯିବ। କିନ୍ତୁ ଏତେ ବଡ଼ ରେଳ ନେଟ୍‌ୱାର୍କ ଥିବା ଦେଶ ଭାରତରେ ଏହି ସଂଖ୍ୟା ନାମକୁ ମାତ୍ର। ସବୁଠି ‘କବଚ’ ଲଗାଇବା ଆହ୍ବାନଭରା କାମ। ଏଥିପାଇଁ ୧ ଲକ୍ଷ କୋଟି ଖର୍ଚ ହେବା ନେଇ ଆକଳନ କରାଯାଉଛି। କିଲୋମିଟର ପିଛା ‘କବଚ’ ଫିଟ୍ କରିବା ଏବଂ ଚଳାଇବା ପାଇଁ ୫୦ଲକ୍ଷ ଖର୍ଚ୍ଚ ହେଉଛି। ଭାରତର ହୃଦୟରେଖା ରେଳ ସେବାର ଦୁର୍ଘଟଣାକୁ ରୋକିବା ପାଇଁ ସବୁ ଇଞ୍ଜିନ, ଷ୍ଟେସନ ଏବଂ ଲେଭଲ କ୍ରସିଂ ସହିତ ରେଳ ରୁଟରେ କବଚ ଲଗାଇବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର