ଭୁବନେଶ୍ବର: ‘ମୁଁ ମଧ୍ୟ ଭାବୁଛି, ଏକାସହିତ ୨୮ ଜଣ ମୃତକ କ’ଣ ଅନାଥ ହୋଇଥିବେ? ସେମାନଙ୍କର କ’ଣ କେହିନଥିବେ? ମା’, ବାପା, ଭାଇ, ଭଉଣୀ, ବନ୍ଧୁ କାହା ପାଖକୁ କ’ଣ ସେମାନଙ୍କ ମୃତ୍ୟୁର ଖବର ପହଞ୍ଚି ପାରିଲା ନାହିଁ? ଏହା ପ୍ରକୃତରେ ରହସ୍ୟମୟ ଲାଗୁଛି। ସେହି ଅପରିଚିତ ଶବଙ୍କ ଅନ୍ତିମ ସଂସ୍କାର ସରିଛି। ଏହାସତ୍ତ୍ବେ ଆଜିବି କେହି ଯଦି ଉପଯୁକ୍ତ ପ୍ରମାଣପତ୍ର ସହିତ ନିଜକୁ ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ସମ୍ପର୍କୀୟ ବୋଲି କହନ୍ତି ତେବେ ପରିଚୟ ଚିହ୍ନଟ ପାଇଁ ଏମ୍‌ସ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯିବ। ସମସ୍ତ ମୃତକଙ୍କ ଡିଏନ୍‌ଏ ସଂଗ୍ରହ ହୋଇଥିବାରୁ ପରିଚୟ ଚିହ୍ନଟରେ କୌଣସି ଅସୁବିଧା ହେବନାହିଁ।’ ଏମିତି କହିଛନ୍ତି ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ। ‘ସମ୍ବାଦ’କୁ ସ୍ବତନ୍ତ୍ର ସାକ୍ଷାତକାରରେ ଡାକ୍ତର ବିଶ୍ବାସ କହିଛନ୍ତି, ବାହାନଗା ରେଳ ଦୁର୍ଘଟଣାର ଶବ ପରିଚାଳନା ବଡ଼ ଶିକ୍ଷା ଦେଇଗଲା। ଏଭଳି ଦୁର୍ଘଟଣା ପୁନର୍ବାର ନ ହେଉ। କିନ୍ତୁ ଭାରତ ଭଳି ଜନବହୁଳ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପୀଡ଼ିତ ଦେଶରେ ଏକାସହିତ ଏତେ ସଂଖ୍ୟକ ମୃତ୍ୟୁର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ଏମ୍‌ସ ଭଳି ଦେଶ ଏବଂ ରାଜ୍ୟର ପ୍ରତ୍ୟେକ ବଡ଼ ଡାକ୍ତରଖାନାମାନଙ୍କରେ ଶବ ସଂରକ୍ଷଣ ପାଇଁ ଅନ୍ୟୂନ ୫୦ରୁ ୧୦୦ ଶଯ୍ୟା ବିଶିଷ୍ଟ ଶବଗୃହ ଏବଂ ପ୍ରତ୍ୟେକ ରାଜ୍ୟରେ ଡିଏନ୍‌ଏ ଏବଂ ଭିସେରା ଟେଷ୍ଟିଂ ବ୍ୟବସ୍ଥା ରହିବା ଉଚିତ।

Advertisment

ବାହାନଗା ଅପରିଚିତଙ୍କୁ ନେଇ ପ୍ରଶ୍ନ ଉଠିଲା
ସମ୍ପର୍କୀୟ ପହଞ୍ଚିଲେ ଆଜିବି ମିଳିପାରିବ ପରିଚୟ: ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ସବୁ ବଡ଼ ଡାକ୍ତରଖାନାରେ ୧୦୦ ଶଯ୍ୟା ବିଶିଷ୍ଟ ଶବ ସଂରକ୍ଷଣ ବ୍ୟବସ୍ଥା ରହିବା ଉଚିତ

ଡାକ୍ତର ବିଶ୍ବାସ କହିଛନ୍ତି, ବାହାନଗା ରେଳ ଦୁର୍ଘଟଣାର ୧୬୨ ମୃତଶରୀର ଏମ୍‌ସକୁ ଆସିଥିଲା। କୌଣସି ଡାକ୍ତରଖାନାରେ ମଧ୍ୟ ୧୦୦ରୁ ୧୫୦ ଶବ ସଂରକ୍ଷିତ କରି ରଖିବାର ସୁବିଧା ନଥାଏ। ତେଣୁ ହଠାତ ଦୁର୍ଘଟଣା ପରେ ଏତେ ସଂଖ୍ୟକ ମୃତଶରୀର ଏମ୍‌ସକୁ ଆସୁଥିବା ନେଇ ସୂଚନା ମିଳିବା ପରେ ଶବ ସଂରକ୍ଷଣର କ୍ଷମତା ବୃଦ୍ଧି କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। ସେଥିରେ ପୁଣି ଖରା ଦିନ। ଆମର ଏତେ ବଡ଼ ହଲ ବି ନଥିଲା। ଶବଗୁଡ଼ିକ ଠିକ ଭାବରେ ରଖାନଗଲେ ଦୁର୍ଗନ୍ଧରେ ଡାକ୍ତରଖାନା ଚତୁଃପାର୍ଶ୍ବର ରୋଗୀ, ସ୍ଥାନୀୟ ଅଧିବାସୀ କିମ୍ବା ବିଦ୍ୟାର୍ଥୀ କେହି ରହିପାରିବେ ନାହିଁ। ମୃତଶରୀରଗୁଡ଼ିକ ପଚିଯାଇ ଖଣ୍ଡବିଖଣ୍ଡିତ ଅବସ୍ଥାରେ ହସ୍ତାନ୍ତରିତ ହୋଇଥିଲା। ତେଣୁ କେବଳ ବରଫ ଉପରେ ରାସାୟନ ପ୍ରଲେପ ଦିଆଯିବା ମଧ୍ୟ ଯଥେଷ୍ଟ ନଥିଲା। ଶବ ସଂରକ୍ଷଣ, ଶବ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ବିଶେଷଜ୍ଞ ଅଭାବ ଥିବାରୁ ବାହାରୁ ଲୋକେ ଆସିଲେ। ସଂରକ୍ଷଣ ପାଇଁ ସ୍ଥାନ ବ୍ୟବସ୍ଥା ହେଲା। ପ୍ରଥମେ ଭାବିଥିଲୁ ୨ରୁ୩ ଦିନ ମଧ୍ୟରେ ମୃତକଙ୍କ ପରିଜନମାନେ ଆସି ଶବ ଚିହ୍ନଟ କରି ନେଇଯିବେ। କିନ୍ତୁ ତାହା ହେଲା ନାହିଁ। ଆଶା ଅନୁସାରେ ଶବ ଚିହ୍ନଟ ପାଇଁ ଲୋକେ ଆସିଲେ ନାହିଁ ।

ଏହା ମଧ୍ୟ ଚିନ୍ତା କରାଯାଇନଥିଲା ଯେ ଶବ ପାଇଁ ଲୋକେ ମୁହାଁମୁହିଁ ହେବେ, ଡିଏନ୍‌ଏ ଟେଷ୍ଟ ପାଇଁ ଦେବାକୁ ହେବ, ୪ ମାସ ଭଳି ଏତେ ଲମ୍ବା ସମୟ ଧରି ଏତେ ସଂଖ୍ୟକ ମରଶରୀର ରଖିବାକୁ ହେବ। ଏହି ସବୁ କାର୍ଯ୍ୟ କରିବାକୁ ହେଲା। ଲମ୍ବା ସମୟ ଧରି ଶବ ରଖିବା ପାଇଁ ପାରାଦୀପ, କୋଲକାତା ବିମାନବନ୍ଦରୁ କଣ୍ଟେନର ଅଣାଗଲା। ୮୧ ଶବଙ୍କ ପରିଚୟ ଚିହ୍ନଟ ପାଇଁ ଡିଏନ୍‌ଏ ପରୀକ୍ଷଣର ଆବଶ୍ୟକତା ପଡ଼ିବାରୁ ବାହାରକୁ ପଠାଗଲା। ଡିଏନ୍‌ଏ ରିପୋର୍ଟ ଆଧାରରେ ୫୩ ଜଣଙ୍କ ଶବ ହସ୍ତାନ୍ତର ହେଲା। ଏକ ମାସ ଧରି କୌଣସି ବ୍ୟକ୍ତି ଶବ ଦାବି କରିବା ପାଇଁ କେହି ନ ଆସିବାରୁ ଅନ୍ତିମ ସଂସ୍କାରର ନିଷ୍ପତ୍ତି ନିଆଯାଇ ଥିଲା। କିନ୍ତୁ ଭାରତ, ଓଡ଼ିଶା ସରକାର, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ବିଏମ୍‌ସି, ବିଦ୍ୟାର୍ଥୀ ସମସ୍ତଙ୍କ ସହଯୋଗରେ ଶବ ପରିଚାଳନା ମିସନ ଭଳି କରାଯାଇଥିବା କହିଛନ୍ତି ଏମସ କାର୍ଯ୍ୟନିର୍ବାହୀ ନିର୍ଦେଶକ ଡାକ୍ତର ବିଶ୍ବାସ।