ବ୍ରହ୍ମପୁର/ଗୋପାଳପୁର : କରୋନା ମହାମାରୀ ପର୍ଯ୍ୟଟନ ଶିଳ୍ପରେ ତାଲା ପକାଇ ଦେଇଥିଲା। କଟକଣା ଯୋଗୁଁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ବନ୍ଦ ରହିଥିଲା। କରୋନା ନିୟନ୍ତ୍ରଣକୁ ଆସିବା ପରେ ଏବେ ସରକାର କଟକଣାଗୁଡ଼ିକ ଉଚ୍ଛେଦ କରିଛନ୍ତି। ପୁଣିଥରେ ଲୋକେ ସ୍ବାଭାବିକ ଜୀବନଯାତ୍ରା ଜାରି ରଖିଛନ୍ତି। ଶୀତ ପଡ଼ିବା କ୍ଷଣି ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଜମିବା ଆରମ୍ଭ ହେଲାଣି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କଟକରେ ବାଲିଯାତ୍ରା ବେଶ୍‌ ଧୂମଧାମ୍‌ରେ ଚାଲିଥିବା ବେଳେ ଆଗକୁ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆୟୋଜନ କରାଯିବ। ସେହିପରି ବିଭିନ୍ନ ଜିଲ୍ଲାରେ ଶୀତଦିନରେ ନାନା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଣୁ ଗୋପାଳପୁରରେ ଚଳିତ ବର୍ଷ ବେଳାଭୂମି ମହୋତ୍ସବ ହେବ ତ ବୋଲି ଗଞ୍ଜାମବାସୀ ପ୍ରଶ୍ନ କରିଛନ୍ତି।

Advertisment

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଗୋପାଳପୁର ବେଳାଭୂମିର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଏହି ବେଳାଭୂମିକୁ ଅନ୍ତର୍ଜାତୀୟସ୍ତରରେ ପରିଚୟ ଦେବା ପାଇଁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଗୋପାଳପୁର ବେଳାଭୂମିରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ବର୍ଷକର ୧୨ମାସ ଏଠାରୁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି। ବିଶେଷ କରି ଶୀତଦିନ ନଭେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ଅଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏପରିକି ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ମଧ୍ୟ ହୋଇଥାଏ। ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମି ପ୍ରତି ଆକୃଷ୍ଟ କରିବା ନିମନ୍ତେ ପ୍ରତିବର୍ଷ ଡିସେମ୍ବର ଶେଷ ସପ୍ତାହରେ ବେଳାଭୂମି ମହୋତ୍ସବ ଆୟୋଜନ କରାଯାଇଥାଏ। ପ୍ରାୟ ୫ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ହାତରେ ଆଉ ମାତ୍ର ଦେଢ଼ମାସ ସମୟ ବାକି ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମହୋତ୍ସବ ଆୟୋଜନ ସମ୍ପର୍କରେ ପ୍ରଶାସନ ତରଫରୁ କୌଣସି ଘୋଷଣା କରାଯାଇ ନାହିଁ।

ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହା ସହିତ ମହୋତ୍ସବରେ ଓଲିଉଡ଼ ଓ ବଲିଉଡ଼ର ବହୁ ଖ୍ୟାତନାମା ତାରକା ଷ୍ଟେଜ୍‌ ସୋ’ କରି ଦର୍ଶକଙ୍କ ମନୋରଂଜନ କରିଥାନ୍ତି। କିନ୍ତୁ କରୋନା କଟକଣା ଯୋଗୁଁ ଦୀର୍ଘ ୨ବର୍ଷ ହେଲା ବେଳାଭୂମି ମହୋତ୍ସବ ବନ୍ଦ ରହିଛି। ଏହି ସମୟରେ ଗୋପାଳପୁରରେ ଥିବା ହୋଟେଲ୍‌ ବ୍ୟବସାୟୀ ଓ ଅନ୍ୟ ବ୍ୟବସାୟୀ ବେଶ୍‌ କିଛି ରୋଜଗାର କରିଥାନ୍ତି। ସେହିପରି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର କଳାକାରମାନେ ତାଙ୍କର କମାଲ୍‌ ଦେଖାଇବାର ସୁଯୋଗ ପାଇଥାନ୍ତି। ଚଳିତ ବର୍ଷ ଚାରିଆଡ଼େ ବଡ଼ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସରକାର ଅନୁମତି ଦେଇଛନ୍ତି। ସେଠାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଛି। ଏଣୁ ଗୋପାଳପୁର ବେଳାଭୂମି ମହୋତ୍ସବ ମଧ୍ୟ ମହାଆଡ଼ମ୍ବରରେ ଆୟୋଜନ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ମହୋତ୍ସବ ଦ୍ବାରା କ୍ଷତିରେ ଚାଲିଥିବା ଗୋପାଳପୁରର ହୋଟେଲ୍‌ ଶିଳ୍ପ କିଛିଟା ଲାଭବାନ ହେବା ସହିତ ସ୍ଥାନୀୟ ବ୍ୟବସାୟୀ ମଧ୍ୟ ଉପକୃତ ହେବେ ବୋଲି ଆଶା ବାନ୍ଧିଛନ୍ତି। ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପଚାରିରୁ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ବେଳାଭୂମି ମହୋତ୍ସବ ଆୟୋଜନ ସମ୍ପର୍କରେ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇ ନାହିଁ। ଆଗକୁ ବୈଠକ  କରି ବିଭିନ୍ନ ଦିଗରେ ଆଲୋଚନା କରିବା ପରେ ମହୋତ୍ସବ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।