ଶୂନ୍ୟ କାଳର ଯଥାର୍ଥତା ନେଇ ପ୍ରଶ୍ନ ଉଠିଲା

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠୁଛି। କିନ୍ତୁ ତାହାର ଫଳାଫଳ କ’ଣ ବିଧାୟକମାନେ ଜାଣିପାରୁ ନାହାନ୍ତି। ବୁଧବାର ଦିନ ଶୂନ୍ୟକାଳରେ ଏମିତି ପ୍ରସଙ୍ଗ ଉଠାଇଥିଲେ ଉଭୟ ଶାସକ ଓ ବିରୋଧୀ ଦଳର ସଭ୍ୟ। ପାରମ୍ପରିକ ଭାବେ ଏହା ଚାଲୁଥିବାରୁ ଏ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଶାସକ ଦଳ ସଭ୍ୟ ଅରବିନ୍ଦ ଢାଲି ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ। ନିଜ ଅଞ୍ଚଳର ଏକ ସଂରକ୍ଷିତ ଜଙ୍ଗଲର ସମସ୍ୟା ସମ୍ପର୍କରେ କହୁଥିବା ବେଳେ ସେ ଅସନ୍ତୋଷ ପ୍ରକାଶ କରିଥିଲେ ଯେ ଶୂନ୍ୟକାଳରେ ଆମ୍ଭେମାନେ ଯେଉଁ ପ୍ରଶ୍ନ କରୁଛୁ ତାହା ସଂପୃକ୍ତ ବିଭାଗକୁ ଯାଉଛି କି ନାହିଁ ସନ୍ଦେହ। କାରଣ ଆମକୁ କିଛି ଉତ୍ତର ମିଳୁନି କି ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ତାଙ୍କୁ ସମର୍ଥନ କରିଥିଲେ। ସେ କହିଥିଲେ, ପାରମ୍ପରିକ ଢାଞ୍ଚାରେ ଶୂନ୍ୟକାଳରେ ଆମେ ବିଭିନ୍ନ ପ୍ରସଙ୍ଗ ଉଠାଉଛୁ। କିନ୍ତୁ କାର୍ଯ୍ୟକାରୀ କେତେ ହେଉଛି? ବାଚସ୍ପତି ତାହା ଗୃହକୁ ଜଣାନ୍ତୁ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ମଧ୍ୟ କ୍ଷୋଭ ପ୍ରକାଶ କରି କହିଥିଲେ, ସଂସଦରେ ଶୂନ୍ୟକାଳରେ ସାଂସଦ ଯାହା ପଚାରୁଛନ୍ତି ସେମାନଙ୍କୁ ସଂପୃକ୍ତ ବିଭାଗ ଉତ୍ତର ଦେଉଛି। କିନ୍ତୁ ଏଠି ଶୂନ୍ୟକାଳରେ ଆମେ ଯେତେ ପ୍ରସଙ୍ଗ ଉଠାଉଛୁ, କିନ୍ତୁ ତାହାର ଉତ୍ତର ଆସୁନି। ମନ୍ତ୍ରୀ, ସଚିବଙ୍କୁ ଚିଠି ଲେଖିଲେ ବି ତାହାର ଉତ୍ତର ଆସୁନି। ଶୂନ୍ୟକାଳରେ ଉଠୁଥିବା ପ୍ରସଙ୍ଗର ଯେପରି ଉତ୍ତର ମିଳିବ, ତାହାର ବ୍ୟବସ୍ଥା ବାଚସ୍ପତି କରନ୍ତୁ।

ସମ୍ବନ୍ଧିତ ଖବର