‘ଆର’ ଭ୍ୟା‌ଲୁ ବଢ଼ିଲାଣି, ଟିପିଆର ୧% ନିକଟତର: ସ୍ଥିତି ବିଗାଡ଼ିପାରେ ପାର୍ବଣ ଭିଡ଼

କୋଭିଡ ଗାଇଡଲାଇନ୍ ପାଳନ କରିବାକୁ ବିଶେଷଜ୍ଞଙ୍କ ନିବେଦନ

ଭୁବନେଶ୍ବର: ରାଜ୍ୟରେ ପ୍ରାୟ ସପ୍ତାହ ହେବ ଦୈନିକ ସଂକ୍ରମଣ ୫ଶହ ଉପରେ ରହୁଛି। ଯଦିଓ ଏଥିରୁ ସିଂହ ଭାଗ ଆକ୍ରାନ୍ତ କେବଳ କଟକ ଓ ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି। ମାତ୍ର ପାର୍ବଣ ସମୟରେ ଲୋକଙ୍କ ଅସମ୍ଭାଳ ଭିଡ଼ ପୁଣିଥରେ ରାଜ୍ୟବ୍ୟାପୀ ସଂକ୍ରମଣକୁ ବଢ଼ାଇବାର ଆଶଙ୍କା ସୃଷ୍ଟି କଲାଣି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ଲୋକମାନେ କଟକଣାକୁ ମାନିବାକୁ ନାରାଜ। ପରିଣାମସ୍ବରୂପ କରୋନାର ରିପ୍ରଡକସନ୍‌ ବା ‘ଆର’ ଭ୍ୟାଲୁ କିଛି ମାତ୍ରାରେ ବୃଦ୍ଧି ପାଇଛି। ଏହାସହ ଦୈନିକ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ମଧ୍ୟ ୧ ପ୍ରତିଶତ ନିକଟତର ହେଲାଣି। ଏଭଳି ପରିସ୍ଥିତିରେ କ୍ରମାଗତ ଭାବେ କରୋନା କଟକଣାରେ ସାମାନ୍ୟ ଅବହେଳା ରାଜ୍ୟରେ କରୋନା ସ୍ଥିତିକୁ ବିଗାଡ଼ି ଦେଇପାରେ।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ ଗତ ୩ମାସ ହେବ ସଂକ୍ରମଣ ଉପର-ତଳ ରହୁଛି। ଭୁବନେଶ୍ବରରେ ପ୍ରତ୍ୟେକ ଦିନ ୨୦୦-୩୦୦ ଭିତରେ ସଂକ୍ରମଣ ରହୁଛି। ଏହାଭିତରେ ‘ଆର’ ଭ୍ୟା‌ଲୁ ମଧ୍ୟ କିଛି ବଢ଼ିଛି। ତେଣୁ ପାର୍ବଣ ସମୟରେ କିଭଳି ସଂକ୍ରମଣକୁ କମାଯାଇ ପାରିବ ତାହା ହିଁ ପ୍ରମୁଖ ଆହ୍ବାନ। ପାର୍ବଣ ସମୟରେ ଲୋକଙ୍କ ବଜାରରେ ଭିଡ଼ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କଲାଣି। ଏସବୁ ଭିତରେ ଆଶ୍ବସ୍ତିକର ଖବର ହେଉଛି ହସ୍ପିଟାଲରେ ଗୁରୁତର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। ଭେଣ୍ଟିଲେଟରରେ ଆଡମିଟ ଥିବା ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍ ରହିଛି। ଏହାସହ ଆଇସିୟୁରେ ଛୋଟ ପିଲାଙ୍କ ଆଡମିସନ ସଂଖ୍ୟା ୧ ପ୍ରତିଶତରୁ କମ୍ ରହିଛି। ବର୍ତମାନ ସମୟରେ ଶହେରୁ ୮୦ଜଣ ଆକ୍ରାନ୍ତ ଲକ୍ଷଣ ବିହୀନ ରହିଥିବା ଡା.ମହାପାତ୍ର କହିଛନ୍ତି।

ସେହିପରି ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି ମଧ୍ୟ ପାର୍ବଣ ସମୟରେ ସତର୍କତା ଅବଲମ୍ବନ କରିବା ଲାଗି ନିବେଦନ କରିଛନ୍ତି। ପ୍ରଫେସର ମହାନ୍ତି କହିଛନ୍ତି ଯେ କୋଭିଡ ସମୟରେ ପାର୍ବଣ ଆଉ ଜୀବନ ଭିତରେ ଯୁଦ୍ଧ ଚାଲିଛି। ନିଜକୁ ସୁରକ୍ଷିତ ରଖି ପାର୍ବଣ ଖୁସି ପାଳିବ ତାହା ଲୋକମାନଙ୍କୁ ଉପରେ ନିର୍ଭର କରେ। ହେଲେ ଏବେ ବଜାର ଘାଟରୁ ଲୋକଙ୍କ ଭିଡ଼ର ଯାହା ଚିତ୍ର ଆସୁଛି ତାହାକୁ ଅନୁଶୀଳନ କରିବାର ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତିରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଲୋକମାନେ କୋଭିଡ ଗାଇଡ ଲାଇନ୍‌କୁ ପାଳନ କରିବା ଜରୁରୀ। ପାର୍ବଣ ଆସନ୍ତା ବର୍ଷ ବି ଆସିବ। ପ୍ରଥମେ ଜୀବନ ରକ୍ଷା କରିବା ପ୍ରାଥମିକତା ହେବା ଉଚିତ୍ ବୋଲି ସେ କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨୯ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ବା ଟିପିଆର ୦.୯୪ ପ୍ରତିଶତକୁ ବୃଦ୍ଧି ପାଇଛି। ଖୋର୍ଧାରୁ ସର୍ବାଧିକ ୨୭୪, କଟକ ୩୭, ମୟୂରଭଞ୍ଜ ୨୩, ବାଲେଶ୍ବର ୨୦, ଯାଜପୁର ୧୫, ପୁରୀ ୧୩ ଲେଖାଏ, ସମ୍ବଲପୁର-କେନ୍ଦ୍ରାପଡ଼ା ୧୧ ଲେଖାଏ, ସୁନ୍ଦରଗଡ଼ ୧୦ ଓ ଷ୍ଟେଟ୍‌ ପୁଲ ୬୩ଜଣଙ୍କୁ ଚିହ୍ନଟ କରାଯାଇଛି। ଯାହାଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୩୨ହଜାର ୬୭୩କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ଆଉ ୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ମୃତକଙ୍କ ଭିତରେ ଖୋର୍ଧାରୁ ୨, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁରରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୮୨୬୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୫୪୬ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୫୯୫କୁ ଖସି ଆସିଛି। ଅନ୍ୟପକ୍ଷରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୧୯ହଜାର ୨୧୮କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୮ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର