ଭୁବନେଶ୍ବର/ସମ୍ବଲପୁର: ଆଜି ରାଜ୍ୟରେ ଆୟକର ବିଭାଗର ବଡ଼ଧରଣର ଚଢ଼ଉକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ହଠାତ୍‌ ଆୟକର ବିଭାଗର ଏଭଳି ପଦକ୍ଷେପ ରାଜ୍ୟର ଠିକାଦାର ମହଲରେ କମ୍ପନ ସୃଷ୍ଟି କରିଛି। କେନ୍ଦ୍ରୀୟ ସୁରକ୍ଷା ବାହିନୀ ଉପସ୍ଥିତିରେ ୭ଜଣ ସିଭିଲ୍‌ କଣ୍ଟ୍ରାକ୍ଟରଙ୍କ ୪୫ ଜାଗାରେ ଏକକାଳୀନ ଚଢ଼ଉ କରିଛି ଆୟକର ବିଭାଗର ସ୍କ୍ବାଡ୍‌। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସ। ରାସ୍ତା, ବ୍ରିଜ୍‌, ଜାତୀୟ ରାଜପଥ ଓ ରେଳବାଇ କାମ କରିଥିବା ଏହି ଠିକାଦାରମାନେ ଆୟକର ଫାଙ୍କିଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି।  ବିଭିନ୍ନ ସ୍ଥାନରୁ ଆବଶ୍ୟକ ରେକର୍ଡପତ୍ର ଜବତ କରାଯାଇଛି। ଏହି ଅବସରରେ ୨ଜଣ ଠିକାଦାରଙ୍କ ଘରୁ ନଗଦ ‌୧କୋଟି ୭୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଆୟକର ବିଭାଗ ଚଢ଼ଉ କରିଥିବା ୭ଜଣ ଠିକାଦାର ହେଲେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସ, ରାହୁଲ ମିଶ୍ର, ଲାଲମୋହନ ପଣ୍ଡା, ସନ୍ତୋଷ ମିଶ୍ର, ଜଗଦୀପ ବଂଶଲ, ସଞ୍ଜୟ ଅଗ୍ରୱାଲ୍‌ ଓ ତାଙ୍କ ଭାଇ କହ୍ନେୟା ଅଗ୍ରୱାଲ୍‌। ବ୍ରଜକିଶୋରଙ୍କ ଘରେ ଓ କାର୍ଯ୍ୟାଳୟ ହୋଇଥିବା ଚଢ଼ଉକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ଭୁବନେଶ୍ବର, ସମ୍ବଲପୁର, ବଲାଙ୍ଗୀର, କଣ୍ଟାବାଞ୍ଜି, ବୌଦ୍ଧ, ସୋନପୁର, ରାୟପୁର, ଝାରସୁଗୁଡ଼ାରେ ଏହି ଚଢ଼ଉ ଜାରି ରହିଛି। ସବୁଠି ଠିକା କାମର ବିଲ୍‌କୁ ନେଇ ଛାନ୍‌ଭିନ୍‌ ଚାଲିଛି। ବିଭିନ୍ନ ଦଲିଲ୍, ପର୍‌ଚେଜ୍‌ ବିଲ୍‌, ଆୟବ୍ୟୟ ସମ୍ପର୍କିତ ଦସ୍ତାବିଜ ସବୁ ଜବତ କରି ଖୋଳତାଡ଼ ଚାଲିଛି। ସେହିପରି ଠିକାଦାର ରାହୁଲ୍‌ ମିଶ୍ରଙ୍କ ଭୁବନେଶ୍ବରର ପଟିଆ ଓ ଲକ୍ଷ୍ମୀସାଗରସ୍ଥିତ ରାହୁଲ ମିଶ୍ରା ଆଣ୍ଡ୍‌ ଷ୍ଟୋନସ୍ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି।  ବ୍ରଜକିଶୋର ଦାସଙ୍କ ସମ୍ବଲପୁରସ୍ଥିତ ଘର, ବିକେ଼ଡି କନ୍‌ଷ୍ଟ୍ରକ୍‌ସନ୍‌ ଅଫିସ ସମେତ ଅନ୍ୟ କେତେକ ଜାଗାରେ ଆୟକର ଟିମ୍‌ ପହଞ୍ଚିଛି।       

Advertisment

ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୩ଟା ବେଳକୁ ବ୍ରଜକିଶୋର ଦାସଙ୍କ ଧନକଉଡ଼ା ସ୍ଥିତ କାର୍ଯ୍ୟାଳୟ, ବାସଭବନ ଏବଂ ଭଡ଼ାରେ ଥିବା ବାସଭବନରେ ପହଞ୍ଚିଥିଲେ ଆୟକର ବିଭାଗର ଗୋଟିଏ ପରେ ଗୋଟିଏ ଟିମ୍‌ । ପ୍ରାୟ ଦୁଇ ଘଣ୍ଟା ପରେ ସେମାନେ ତାଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ। ବର୍ତ୍ତମାନ ତାଙ୍କ ନିଜ ବାସଭବନରେ ମରାମତି କାର୍ଯ୍ୟ ଚାଲିଥିବାରୁ ନିକଟସ୍ଥ ସ୍ଥାନରେ ଭଡ଼ାରେ ରହୁଛନ୍ତି। ବାସଭବନ ପାଖରେ ଥିବା କାର୍ଯ୍ୟାଳୟରେ ହିଁ ବର୍ତ୍ତମାନ ମୁଖ୍ୟତଃ ଛାନ୍‌ଭିନ୍‌ ଚାଲିଛି। ଚଢ଼ଉ ବେଳକୁ ବ୍ରଜକିଶୋର ଦିଲ୍ଲୀ ଯାଇଥିବା ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି। ବିକେଡି କନ୍‌ଷ୍ଟ୍ରକ୍‌ସନ୍‌ ମାଲିକ ବ୍ରଜକିଶୋର କେନ୍ଦୁଝର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ଦେବଗଡ଼ ସମେତ ବିଭିନ୍ନ ଜିଲ୍ଲାର ରାଜପଥ ନିର୍ମାଣ କାର୍ଯ୍ୟର ପ୍ରମୁଖ ଠିକାଦାର ଅଟନ୍ତି। ସମ୍ବଲପୁର-ଭୁବନେଶ୍ବରର ବିଭିନ୍ନ ରେଳପଥ କାର୍ଯ୍ୟ ମଧ୍ୟ ସେ କରୁଥିଲେ। ଏହାବ୍ୟତୀତ ସମ୍ବଲପୁର ଜିଲ୍ଲା ସାହାସପୁରରେ କ୍ରସର, କେନାଘାଟିରେ ପାଉଁଶ ଇଟା ସମେତ ଆହୁରି କେତେକ କ୍ରସର କମ୍ପାନି ରହିଛି। ବ୍ରଜ ଦାସଙ୍କ ସ୍ତ୍ରୀଙ୍କ ନାମରେ ମଧ୍ୟ ଆଉ ଏକ ନିର୍ମାଣକାରୀ ସଂସ୍ଥା ରହିଛି।  ଅପରପକ୍ଷରେ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ନିକଟରେ ତାଙ୍କ ଝିଅ ଦୀପାଳି ଓ  ପୁଅ ବିଶାଳ ଦାସ ଦାବି କରିଥିଲେ। ଏହାପରେ ନବ ଦାସଙ୍କ ବଡ଼ଭାଇ ବ୍ରଜକି‌ଶୋର ଦାସଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଥିବାରୁ ରାଜନୈତିକ ଚର୍ଚ୍ଚା ସରଗରମ ରହିଛି।