ଜଳାଶୟ ଉପରେ ନିର୍ମାଣ ଚାଲିଛି ରେଳଲାଇନ୍‌, ଖତଗଦାରେ ପ୍ରସ୍ତାବିତ ଇକୋ ଟୁରିଜମ୍‌

ଝାରସୁଗୁଡ଼ା(ପ୍ରଶାନ୍ତ କୁମାର ମିଶ୍ର): ଖଣି ଓ ଶିଳ୍ପ କାରଖାନା ଯୋଗୁଁ ପ୍ରଦୂଷଣ ବଳୟରେ ଥିବା ଝାରସୁଗୁଡ଼ା ବ୍ଲକ୍‌ ଜମେରା ପଞ୍ଚାୟତ ଅନ୍ତର୍ଗତ ଏହି ସିଂହାବଗା ଗ୍ରାମରେ ଏବେ ବି ବିଦେଶୀଙ୍କ ସମାଗମ ରହିଛି। ଯାହାକି, ପରିବେଶବିତ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ସାଧାରଣତଃ ନଭେମ୍ବର/ଡିସେମ୍ବର ମାସରେ ହଜାରହଜାର ସଂଖ୍ୟା‌ରେ ବିଦେଶୀପକ୍ଷୀ ଏଠାକୁ ଆସିଥା’ନ୍ତି। ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲେ ଏଠାରୁ ପ୍ରତ୍ୟାବର୍ତ୍ତନ କରିଥା’ନ୍ତି। ଚଳିତବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯାହାକି, ଅତ୍ୟନ୍ତ ଆଶ୍ବସ୍ତର ବିଷୟ ବୋଲି କୁହାଯାଉଛି। ତେବେ, ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ଜଳାଶୟ ଉପରେ ଯେଉଁଭଳି ଭ‌ାବେ ରେଳାଲାଇନ୍‌ ନିର୍ମାଣ ଚାଲିଛି ତାହା କେବଳ ପକ୍ଷୀଙ୍କ ସମାଗମକୁ ପ୍ରଭାବିତ କରିବନାହିଁ, ପରିବେଶ ସନ୍ତୁଳନକୁ ବି ବିଗାଡ଼ି ଦେବାର ଅାଶଙ୍କା ରହିଛି।
ଝାରସୁଗୁଡ଼ା ଜିଲ୍ଲାରେ ଖଣି ଓ ଶିଳ୍ପ କାରଖାନା ଯୋଗୁ ପରିବେଶ ଅସନ୍ତୁଳିତ ହୋଇପଡ଼ୁଛି। କାରଖାନା ବର୍ଜ୍ୟ ପରିଚାଳନାରେ ଅହେତୁକ ତ୍ରୁଟିବିଚ୍ୟୁତି ଜିଲ୍ଲାରେ ଜୈବ ବିବିଧତା ନଷ୍ଟ କରୁଥିବାବେଳେ ଦ୍ରୁତ ଜଙ୍ଗଲ କ୍ଷୟ ପରିବେଶ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି। ଜିଲ୍ଲାରେ କ୍ରମାଗତ ଭାବେ ବୃଷ୍ଟିପାତ କମି କମି ଯାଉଥିବା ବେଳେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି। ଜଙ୍ଗଲ ନୀତି ଅନୁଯାୟୀ ଜିଲ୍ଲାର କ୍ଷେତ୍ରଫଳର ୩୩ ପ୍ରତିଶତ ଜଙ୍ଗଲ ରହିବା ଉଚିତ। ମାତ୍ର ଏହା ୧୫ ପ୍ରତିଶତ ତଳକୁ ଖସି ଆସିଛି। ଏଭଳି ପ୍ରତିକୂଳ ପରିସ୍ଥିତିରେ ଝାରସୁଗୁଡ଼ାଠାରୁ ମାତ୍ର ଅଳ୍ପଦୂରରେ ଅବସ୍ଥିତ ସିଂହାବଗାରେ ବିଦେଶୀ ପକ୍ଷୀଙ୍କ ସ୍ଥାୟୀ ବସବାସର ଆଭାସ ମିଳିଛି। ପ୍ରକୃତି ପ୍ରତି ସବୁଆଡ଼ୁ ଅତ୍ୟାଚାର ଚାଲିଥିବାବେଳେ ଏଭଳି ଏକ ଖବର ପ୍ରକୃତିପ୍ରେମୀଙ୍କୁ ଆଶ୍ବସ୍ତ କରିବା ସ୍ବାଭାବିକ।

ବିଦେଶୀ ପକ୍ଷୀ ଫେରିନଯାଇ ଏବର୍ଷ ରହିଛନ୍ତି
ଆଗକୁ ସେମାନଙ୍କ ସମାଗମ ପ୍ରଭାବିତ ହେବା ଆଶଙ୍କା


ସୂଚନା ଅନୁସାରେ, ଗତ ୪/୫ ବର୍ଷ ହେଲାଣି ପରିବେଶବିତ୍‌ ଓ ପକ୍ଷୀପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି ସିଂହାବଗା। ଝାରସୁଗୁଡ଼ା ବ୍ଲକ୍‌ ଜମେରା ପଞ୍ଚାୟତ ଅନ୍ତର୍ଗତ ଏହି ସିଂହାବଗା ଗ୍ରାମ ନିକଟରେ ଇବ୍‌ ଓ ଭେଡ଼େନ୍‌ ନଦୀର ପଛୁଆ ଜଳଥିବା ଏକ ବିସ୍ତୀର୍ଣ୍ଣ ଆର୍ଦ୍ର ଭୂମି ଅଞ୍ଚଳକୁ ପ୍ରତିବର୍ଷ ନଭେମ୍ବର/ଡିସେମ୍ବର ମାସରେ ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଥା’ନ୍ତି। ଏମାନେ ଏଠାରେ ଭରପୂର ଖାଦ୍ୟ ଓ ଅନୁକୂଳ ପରିବେଶ ପାଉଥିବାରୁ ଗ୍ରୀଷ୍ମଋତୁ ପର୍ଯ୍ୟନ୍ତ କଟାଇଥା’ନ୍ତି। ଗତ କିଛିବର୍ଷ ହେଲା ଶୀତଦିନରେ ବହୁ ବିଦେଶୀ ପକ୍ଷୀ ଆସି ଗ୍ରୀଷ୍ମ ଆରମ୍ଭ ବେଳେ ଫେରି ଯାଉଥିଲେ। ଏଥର କିନ୍ତୁ ଏହି ବିଦେଶୀ ପକ୍ଷୀଙ୍କ ମଧ୍ୟରୁ ଅନେକ ପ୍ରଜାତି ଏଠାରୁ ଫେରି ନଥିବା ଜଣାଯାଇଛି। ଏହାକୁ ନେଇ ପରିବେଶବିତ୍‌ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେମାନଙ୍କ କହିବାକଥା, ଦେଶର ଶହେ ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ା ସହରର ନାମ କେନ୍ଦ୍ର ପ୍ରଦୂଷଣ ବୋର୍ଡର ତାଲିକାରେ ଉଲ୍ଲେଖ ରହିଛି। ଶିଳ୍ପ ସହିତ କୋଇଲା ପରିବହନ ଏବଂ ବ୍ୟାପକ ମୋବାଇଲ ଟାୱାର ପରିବେଶକୁ ଧ୍ବଂସ ଆଡ଼କୁ ଠେଲିହୋଇଯାଇଛି। ଏହାସତ୍ତ୍ବେ ବି ବିଦେଶୀ ପକ୍ଷୀଙ୍କ ସମାଗମ ଆଶ୍ବାସନାର ବିଷୟ ବୋଲି ସେମାନେ କହିଛନ୍ତି।

ମାତ୍ର, ଜଳାଶୟ ଉପରେ ଗୋଟିଏ ରେଳଲାଇନ ନିର୍ମାଣ ଏଠାକାର ପରିବେଶକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଯେଉଁ ଜଳାଶୟ ମଧ୍ୟରେ ଏହି ବିଦେଶୀ ପକ୍ଷୀଙ୍କ ସମାଗମ ହେଉଛି, ସେହି ସ୍ଥାନ ଧ୍ବଂସମୁହଁକୁ ଠେଲି ଦିଆଯାଉଛି। । ଜଳାଶୟ ଉପରେ ଗୋଟିଏ ପରେ ଗୋଟିଏ ରେଳ ଧାରଣା ନିର୍ମାଣ ହେବାକୁ ଲାଗିଛି। ମୁମ୍ବାଇକୁ ରେଳଲାଇନ୍‌ ପଡ଼ିଥିବାବେଳେ ଏହାକୁ ଲାଗି କୋଇଲା ପରିବହନ ପାଇଁ ସମୁଦାୟ ୬ଟି ରେଳଲାଇନ ନିର୍ମାଣ ହୋଇସାରିଲାଣି। ଫଳରେ, ପକ୍ଷୀ ରହୁଥିବା ସ୍ଥାନ ଧୀରେଧୀରେ ସଂକୁଚିତ ହେବାରେ ଲାଗିଛି। ଏଠାରେ ଏନ୍‌ଏଲ୍‌ସି କମ୍ପାନିକୁ କୋଇଲା ପରିବହନ ପାଇଁ ଆଉ ଏକ ରେଳଲାଇନ୍‌ ବିଛାଇବାକୁ ଅନୁମତି ପ୍ରଦାନ କରାଯାଇଛି। । ଜଙ୍ଗଲ ବିଭାଗ ପକ୍ଷରୁ ଏଠାରେ ଇକୋ ଟୁରିଜମ୍‌ ବିକାଶ ପାଇଁ ପ୍ରସ୍ତାବ ଗୃହୀତ ହୋଇ ଯୋଜନା ପ୍ରସ୍ତୁତ ହୋଇସାରିଛି। ଜିଲ୍ଲା ଖଣିଜ ପାଣ୍ଠିରୁ ଏଥି ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ମଧ୍ୟ ହୋଇଛି। କିନ୍ତୁ ପ୍ରକଳ୍ପ ଆରମ୍ଭ ହୋଇନାହିଁ। ଜଙ୍ଗଲ ବିଭାଗ ଏଠାରେ କିଛି ବୃକ୍ଷରୋପଣ କରିଥିବା ଓ ଏକ ସାଇନବୋର୍ଡ ଲାଗାଇବା ସହିତ ଗଛଗୁଡ଼ିକରେ ପକ୍ଷୀଙ୍କ ରହିବା ପାଇଁ ନୀଡ଼ ବାନ୍ଧି ଚୁପ୍‌ ରହିଛି। ରେଳଲାଇନ ନିର୍ମାଣ ପାଇଁ ଏହି ଜଳାଶୟ ଉପରେ ଜମି ଅଧିଗ୍ରହଣ ପ୍ରାୟ ଶେଷ ପର୍ଯ୍ୟାୟରେ ଥିବାବେଳେ ପ୍ରସ୍ତାବିତ ଇକୋ ଟୁରିଜମ ପ୍ରକଳ୍ପ ଖତଗଦାରେ ପଡ଼ିଛି।

ସମ୍ବନ୍ଧିତ ଖବର