୧୧୦ କୋଟି ନଦେବାରୁ ଜାଗା ଛାଡ଼ୁନି ରେଳବାଇ: ଅଧାରେ ଅଟକିଛି ରେଲୱେ କଲୋନି ରାସ୍ତା ସମ୍ପ୍ରସାରଣ

ରାଉରକେଲା: ରେଳବାଇ ଜମି ବିବାଦରୁ ଶେଷ ହୋଇପାରୁନି ଇସ୍ପାତସହରର ମାଲଗୋଦାମ- ରେଲୱେ କଲୋନି ବିଏସ୍‌ଏନ୍‌ଏଲ୍‌ ମୁଖ୍ୟ ରାସ୍ତା ସମ୍ପ୍ରସାରଣ କାମ। ମଝିରେ ପଡୁଥିବା ରେଳବାଇ ଜମି କାରଣରୁ ପ୍ରାୟ ୪ ବର୍ଷ ଧରି ଅଟକି ରହିଛି ଏହି ୩.୮୨୫ କି.ମି. ସଂପ୍ରସାରଣ କାମ। ଏହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ରେଳାବାଇ ଉଚ୍ଚ ଅଧିକାରୀଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି। କିନ୍ତୁ ରେଳବାଇ କ୍ଷତିପୂରଣ ବାବଦରେ ୧୧୦ କୋଟି ଦେବାକୁ ଦାବି କରୁଛି, ଯାହା ଅତ୍ୟଧିକ ବୋଲି କୁହାଯାଉଛି।

ଏହି ରାସ୍ତା ସଂପ୍ରସାରଣ ପାଇଁ ୧୧ କୋଟି ଟଙ୍କା ହିଁ ମଞ୍ଜୁର ହୋଇଛି। ଜମି ବିବାଦ ମାମଲା ରେଳବାଇର ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତତ୍କାଳୀନ ରେଳାବାଇ ମନ୍ତ୍ରୀଙ୍କ ନିକଟରେ ମଧ୍ୟ ପହଞ୍ଚିଥିଲା। ଏପରିକି ସ୍ଥାନୀୟ ବିଜେପି ନେତାମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଅପର‌ପକ୍ଷେ ଏହାର ପ୍ରତିବାଦରେ ଉଭୟ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଳାଇଥିଲେ। ବିଭାଗୀୟ ଅଧିକାରୀଙ୍କ ଜରିଆରେ ରେଳମନ୍ତ୍ରୀ ଓ ଜିଏମ୍‌ଙ୍କୁ ଦାବିପତ୍ର ଦେଇଥିଲେ। କିନ୍ତୁ ଲାଭ ହୋଇନାହିଁ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଉକ୍ତ ଜମି ପ୍ରକୃତରେ ରେଳବାଇର ମଧ୍ୟ ନୁହେଁ। ଓଡ଼ିଶା ସରକାର ସାଧାରଣ ଲୋକଙ୍କଠାରୁ ଜମି ଅଧିଗ୍ରହଣ କରି ରେଳବାଇକୁ ଜମି ଲିଜ୍‌ ଦେଇଛନ୍ତି। ଏବେ ସର୍ବସାଧାରଣଙ୍କ ରାସ୍ତା ନିର୍ମାଣ ପାଇଁ ରେଳବାଇଠାରୁ ଜମି ଆଣି ନପାରିବା ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଛିଡା କରିଛି। ସୂଚନାଯୋଗ୍ୟ ଯେ ୨୦୧୭ରେ ବାସନ୍ତୀକଲୋନି ମାଲଗୋଦାମରୁ ରିଂରୋଡ ବିଏସ୍‌ଏନ୍‌ଏଲ୍‌ ଛକ ପର୍ଯ୍ୟନ୍ତ ପ୍ରାୟ ୩.୮୨୫ ମିଟର ରାସ୍ତା ପାଇଁ ପ୍ରାୟ ୧୧ କୋଟି ଟଙ୍କା ମଞ୍ଜୁରି ହୋଇଥିଲା। କାମ ନେଇଥିବା ଠିକା ସଂସ୍ଥା ଉଭୟ ବାସନ୍ତୀ କଲୋନି ଓ ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ପାର୍ଶ୍ବରୁ ନିର୍ମାଣ କାମ ଆରମ୍ଭ କରିଥିଲେ। ବର୍ଷକ ମଧ୍ୟରେ କାମ ଶେଷ କରିବାକୁ ଲକ୍ଷ୍ୟ ରହିଥିଲା। ତେବେ ରେଲୱେ କଲୋନି ପୋଖରୀ ନିକଟରୁ ରେଲୱେ ସାଇଡିଂ ପର୍ଯ୍ୟନ୍ତ ପ୍ରାୟ ୧୨୦୦ ମିଟର ରାସ୍ତାରେ ନିଜ ଜମି ପଡୁଥିବାରୁ ରେଳ କର୍ତ୍ତୃପକ୍ଷ କାମ କରିବାକୁ ଦେଇ ନଥିଲେ।

ସମ୍ବନ୍ଧିତ ଖବର