ବର୍ଷା ଆସିଲାଣି, ନାଳ  ସଫେଇ କାମ ସରିବା ନାଁ ନେଉନି

ଜୟପୁର: ଜୟପୁରରେ ନାଳନର୍ଦ୍ଦମା ସଫା କାମ ସରିବା ନାଁ ନେଉନି।    ସାମାନ୍ୟ ବର୍ଷା ହେବା ମାତ୍ରକେ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ଏପ୍ରିଲରୁ ମେ ମାସ ଶେଷ ସୁଦ୍ଧା ପୌର ପ୍ରଶାସନ ସହର ବିଭିନ୍ନ ଛୋଟ ବଡ ନାଳକୁ ସଫା କରିଥାଏ।  ହେଲେ ଆଜି ପର୍ଯ୍ୟନ୍ତ ସହରର ସବୁ ନାଳର ସଫେଇ ସମ୍ପୂର୍ଣ୍ଣ ହୋଇ ପାରିନି।  ଜୁନ ଦ୍ୱିତୀୟ ସପ୍ତାହରେ ଓଡିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରି ସୂଚନା ଦେଇଛି। ଏଣୁ ଏଥର ସହରରେ କୃତ୍ରିମ ବନ୍ୟା ହେବା ଜଳ ଜଳ ଦିଶୁଛି।  ସହରରେ ଚିକିଟି ନାଳ ପ୍ରମୁଖ ନାଳ ରହିଛି ।

ଏହା ସହ ମୁଖ୍ୟ ରାସ୍ତା ପାର୍ଶ୍ୱ ଗଳି ଗୁଡିକରେ ଡ୍ରେନ ରହିଛି । ହେଲେ ଏବେ ନାଳରେ ଅଳିଆ ଆବର୍ଜନା ପଡି ରହିଛି। ଅନାବନା ଲଟା ସହ ପଙ୍କରେ ପୋତି ହୋଇଛି। ବାରମ୍ବାର ଅଭିଯୋଗ କଲା ପରେ ପ୍ରଶାସନ ପକ୍ଷରୁ ମାତ୍ର ହାତ ଗଣତି କେତୋଟି ଶ୍ରମିକ ଲଗାଇ ସଫେଇ କାମ ଆରମ୍ଭ କରାଯାଇଛି। ହେଲେ ତାହା ଯଥେଷ୍ଟ ନୁହେଁ । ଅଳ୍ପ ବର୍ଷା ହେଲେ ମଧ୍ୟ ମୁଖ୍ୟରାସ୍ତା, ନୂଆସାହି, ସିନେମାସାହି, ଲକ୍ଷ୍ମୀ ଟକିଜ ରୋଡ, ବେଲ ରୋଡ, ରାଜନଅର ଆଦି ଅଂଚଳର ରାସ୍ତାରେ ପାଣି ଚାଲିବା ଗତ ବର୍ଷାରେ ଦେଖା ଦେଇଥିଲା । ସେହିପରି ଗତ ବର୍ଷ ବନ୍ୟାରେ ତଳି ଅଞ୍ଚଳର ଶତାଧିକ  ଘର କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ରହିଛି । ଗତ କାଳି କାଳବୈଶାଖୀ ବର୍ଷାରେ ନୂଆସାହିର ୫ମ ଲାଇନ, ସିନେମାସାହି ଆଦି ଅଂଚଳରେ ପାଣିର ସୁଅ ଚାଳିବା ସହ ଘର ମଧ୍ୟକୁ ପଶିଥିଲା।

ସେଭଳି ବିଜୁ ରାଜନଗର ଅଂଚଳରେ ବି ପାଣି ଜମା ହେଉଥିବା ଅଭିଯୋଗ ହୋଇଛି। ସହରରେ ଥିବା ବିଭିନ୍ନ ଦୋକାନୀ ମାନେ ନିଜ ଦୋକାନର ପଲିଥିନ ଜରି ଓମଇଳା ନାଳରେ ପକାଉଥିବାରୁ ଏହା ଜମା ହୋଇ ରହି ବର୍ଷା ସମୟରେ କୃତ୍ରିମ ପୋଖରୀ ଭଳି ପାଣି ଜମା ହେଉଛି। ଏବେ ବି ହେଉଥିବା କାଳବୈଶାଖୀ ବର୍ଷାରେ ବେଲରୋଡ, ରାଜନଅର, ମୁଖ୍ୟରାସ୍ତା, ଏମଜିରୋଡରେ ନାଳର ପାଣି ରାସ୍ତା ଉପରେ ଚାଳୁଥିବା ଦେଖିବାକୁ ମିଳିଛି। ପାଣି ଠିକ ଭାବେ ନିଷ୍କାସନ୍ ହୋଇ ନ ପାରି ଜମା ହୋଇ ମଶା ମାଛି ସୃଷ୍ଟି ହେଉଛି। ‌ପୁତ୍ତିଗନ୍ଦମୟ ପରିବେଶରେ ଲୋକେ ହନ୍ତସନ୍ତ ହେଉଛନ୍ତି। ମୁଖ୍ୟ ଚିକିଟି ନାଳ ସହ ବହୁ ନାଳରେ ଜେସିବି ମେସିନ୍ ଲଗାଇ ବି ସଫେଇ କାମ ଜାରୀ ରହିଛି। ଅଳ୍ପ କିଛି ନାଳର ସଫେଇ ବାକି ରହିଛି। ଅମାନିୟା ଦୋକାନୀଙ୍କ ଯୋଗୁଁ ସହରର ସ୍ବେରେଜ୍ ବ୍ୟବସ୍ଥା ବିଗୁଡୁଛି ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ  ସିଦ୍ଧାର୍ଥ ପଟ୍ଟନାୟକ। ସେ ନିଜେ ସବୁ ସାହିର ଗଳିର ନାଳ ନର୍ଦ୍ଧମା ସଫେଇର ତଦାରଖ ପୁଣି କରିବେ ବୋଲି କହିଛନ୍ତି ପୌରନିର୍ବାହୀ ଅଧିକାରୀ।

ସମ୍ବନ୍ଧିତ ଖବର