ଭୁବନେଶ୍ବର: ରାଜ୍ୟରେ ଏବେ ହାଡ଼ଫୁଟି (ଚିକେନ୍ ପକ୍ସ) ବ୍ୟାପିବାରେ ଲାଗିଛି। ବିଶେଷ କରି ବୟସ୍କ ବ୍ୟକ୍ତିମାନେ ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ନଭେମ୍ବର-ଫେବ୍ରୁଆରି ମାସ ଭିତରେ ସାଧାରଣ ଭାବେ ହାଡ଼ଫୁଟି ବ୍ୟାପିଥାଏ। ମାତ୍ର ଏବେ ଜୁନ୍ ଓ ଜୁଲାଇ ମାସରେ ରାଜ୍ୟରେ ବହୁ ସଂଖ୍ୟାରେ ରୋଗୀ ଏଥିରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ତେଣୁ ରୋଗ ସଂକ୍ରମଣ ପ୍ରକ୍ରିୟାରେ ଏଭଳି ପରିବର୍ତ୍ତନ ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନାହିଁ।
ଭାରିସେଲାଜୋଷ୍ଟର ଭୂତାଣୁ ଯୋଗୁଁ ହାଡ଼ଫୁଟି ହୋଇଥାଏ। ଏହା ଏକ ସଂକ୍ରାମକ ରୋଗ ହୋଇଥିବା ବେଳେ ଏହି ଭୂତାଣୁ ବେଶ୍ ପୁରୁଣା। ଆକ୍ରାନ୍ତଙ୍କ ମୁହଁ ଓ ଶରୀରରେ ଫୋଟକା ହେବା ସହ ଜ୍ବର ଓ ଅସୁସ୍ଥତା ପ୍ରକାଶ ପାଇଥାଏ। ତେବେ କୋଭିଡ୍ ପରବର୍ତ୍ତୀ ସମୟରେ ହାଡ଼ଫୁଟିରୁ ସୁରକ୍ଷା ପାଇଁ ଟିକା ନେଇଥିବା ବ୍ୟକ୍ତିଙ୍କ ନିକଟରେ ଦ୍ବିତୀୟ ଥର ଲାଗି ଏହା ଦେଖିବାକୁ ମିଳୁଥିବା ନଜରକୁ ଆସୁଛି। ମାତ୍ର ଏହାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୨୧ ମସିହାରେ ଦେଶରେ ୧୦ହଜାରରୁ ଅଧିକ ମାମଲା ନଜରକୁ ଆସିଥିଲା। ୨୦୨୨ ମସିହାରେ ଏହା ୨୦ହଜାର ଟପିଥିଲା। ଏହି ବର୍ଷ ମୃତ୍ୟୁସଂଖ୍ୟା ୧୦ରୁ ଅଧିକ ରହିଥିଲା। ୨୦୨୨ ମସିହାରେ ଓଡ଼ିଶାରେ ୫ଶହରୁ ଅଧିକ ମାମଲା ନଜରକୁ ଆସିଛି। ମାତ୍ର କୌଣସି ମୃତ୍ୟୁ ରେକର୍ଡ ହୋଇନାହିଁ।
ସରକାରୀ ବ୍ୟବସ୍ଥାରେ ଦିଆଯାଉନି ପିଲାଙ୍କୁ ହାଡ଼ଫୁଟି ଟିକା
ରାଜ୍ୟରେ ହାଡ଼ଫୁଟି ପ୍ରାଦୁର୍ଭାବ ନାହିଁ: ସ୍ବାସ୍ଥ୍ୟ ବିଭାଗ
ରାଜ୍ୟରେ ହାଡ଼ଫୁଟି ପ୍ରାଦୁର୍ଭାବ ନାହିଁ: ସ୍ବାସ୍ଥ୍ୟ ବିଭାଗ
ଟିକା ନେଇଥିବା ପିଲା ହାଡ଼ଫୁଟିରେ ଆକ୍ରାନ୍ତ ହେବାର ଆଶଙ୍କା କମ୍। ଯେଉଁମାନେ ବି ସଂକ୍ରମିତ ହୋଇଥା’ନ୍ତି, ସେମାନଙ୍କଠାରେ କମ୍ ଲକ୍ଷଣ ଦେଖିବାକୁ ମିଳିଥାଏ। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଥିବା ଟିକାକରଣ କାର୍ଯ୍ୟକ୍ରମରେ ହାଡ଼ଫୁଟି ପାଇଁ କୌଣସି ଟିକା ଦିଆଯାଉନାହିଁ। ଏଥିପାଇଁ ଅଭିଭାବକମାନଙ୍କୁ ବାହାରୁ ଟିକା କିଣି ଦେବାକୁ ପଡ଼ୁଛି। କ୍ୟାପିଟାଲ ହସ୍ପିଟାଲ ଶିଶୁରୋଗ ବିଶେଷଜ୍ଞ ଡା.ବିଶ୍ବରଂଜନ ପାଢ଼ୀଙ୍କ ମତରେ ଟିକା ନେଉଥିବା ପିଲାଙ୍କ କ୍ଷେତ୍ରରେ ଏହା ଜୀବନ ବ୍ୟାପୀ ରକ୍ଷା କବଚ ପାଲଟିଥାଏ। ମାତ୍ର ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଟିକା ତାଲିକାରେ ଏହା ସ୍ଥାନ ପାଇନାହିଁ। ହାଡ଼ଫୁଟି ପ୍ରାୟତଃ ନଭେମ୍ବର-ଫେବ୍ରୁଆରି ମାସରେ ଦେଖିବାକୁ ମିଳିଥାଏ। ମାତ୍ର ଅନ୍ୟ ସମୟରେ ଏହା ବ୍ୟାପିବା ପଛରେ କାରଣ ହେଉଛି ଦେଶାନ୍ତର ବା ମାଇଗ୍ରେସନ୍। ବାହାରୁ ଲୋକଙ୍କ ଯିବା ଆସିବା ଲାଗି ରହିଥିବାରୁ ଏବେ ହାଡ଼ଫୁଟି ବ୍ୟାପିବାର କୌଣସି ନିର୍ଦ୍ଦିଷ୍ଟ ସମୟ ହୋଇ ରହିନାହିଁ। କେବଳ ପିଲା ନୁହେଁ, ବୟସ୍କ ମଧ୍ୟ ବହୁ ମାତ୍ରାରେ ଏଥିରେ ସଂକ୍ରମିତ ହେଉଥିବା ଡା. ପାଢ଼ୀ କହିଛନ୍ତି।
ଅପର ପକ୍ଷରେ ହାଡ଼ଫୁଟିକୁ ନେଇ ଲୋକମାନଙ୍କ ଭିତରେ କିଛିଟା ଅନ୍ଧବିଶ୍ବାସ ରହିଛି। ଏଥିରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି ଲିମ୍ବ ପତ୍ରରେ ଶୋଇବା ଓ ଅନ୍ୟାନ୍ୟ ପାରମ୍ପରିକ ପଦ୍ଧତି ଆପଣାଇଥା’ନ୍ତି। ବିଶେଷଜ୍ଞଙ୍କ ମତରେ ଲିମ୍ବ ପତ୍ରରେ ଶୋଇବା ଫଳରେ ହାଡ଼ଫୁଟିରୁ ରକ୍ଷା ମିଳିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଏହା ଏକ ଭୂତାଣୁ ସଂକ୍ରମିତ ରୋଗ ହୋଇଥିବା କାରଣରୁ ଆକ୍ରାନ୍ତ ବ୍ୟକ୍ତି ନିଜର ଜଳୀୟ ଅଂଶ ବଜାୟ ରଖିବା ଉଚିତ। କ୍ୟାପିଟାଲ ହସ୍ପିଟାଲ ଭେଷଜ ବିଶେଷଜ୍ଞ ଡା. ଶ୍ୟାମସୁନ୍ଦର ମହାପାତ୍ର କହିଛନ୍ତି, ହାଡ଼ଫୁଟି ସାଧାରଣ ଭାବେ ଶୀତ ଦିନେ ଅଧିକ ହୋଇଥାଏ। ତେବେ ଖରା ଦିନେ କମ୍ ଓ ବର୍ଷା ଦିନରେ ମଧ୍ୟ କିଛିଟା ଦେଖିବାକୁ ମିଳିଥାଏ। ଛୋଟ ପିଲାଙ୍କ କ୍ଷେତ୍ରରେ ହାଡ଼ଫୁଟିର କମ୍ ଲକ୍ଷଣ ଦେଖିବାକୁ ମିଳୁଥିବା ବେଳେ ବୟସ୍କଙ୍କ କ୍ଷେତ୍ରରେ ଏହା ଗୁରୁତର ହୋଇଥାଏ। ବୟସ୍କଙ୍କ ଶରୀରରେ ବଡ଼ ଫୋଟକା ହେବା ସହ ଶୁଖିବା ଲାଗି ଦୀର୍ଘ ସମୟ ନେଇଥାଏ। ତେବେ ପାରମ୍ପରିକ ଭାବେ ଲୋକମାନେ ଲିମ୍ବ ପତ୍ର ବ୍ୟବହାର କରୁଥିବା ନେଇ ଯଦିଓ ବୈଜ୍ଞାନିକ ପ୍ରମାଣ ନାହିଁ, ମାତ୍ର ଲିମ୍ବ ପତ୍ର ଖାଇବା କିମ୍ବା ଏଥିରେ ଝାଡ଼ି ହେଲେ କିଛି ସମସ୍ୟା ନାହିଁ। ହାଡ଼ଫୁଟିରେ ଆକ୍ରାନ୍ତ ବ୍ୟକ୍ତି ଅତିକମ୍ରେ ୭ଦିନ ଏକାନ୍ତବାସରେ ରହିବା ଉଚିତ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ହାଡ଼ଫୁଟି ହୋଇଥାଏ। ଏହା କେବଳ ଛୋଟ ପିଲାଙ୍କ ଠାରେ ସୀମିତ ନୁହେଁ। ବୟସ୍କମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ରାଜ୍ୟରେ ହାଡ଼ଫୁଟି ଆଉଟବ୍ରେକ୍ ନେଇ କୌଣସି ସୂଚନା ନ ଥିବା ସେ କହିଛନ୍ତି।