କେନ୍ଦୁଝର: କେନ୍ଦୁଝରର ରାଷ୍ଟ୍ରଦେବତା ଶ୍ରୀବଳଦେବଜିଉଙ୍କ ବୃହତ୍‌ ନନ୍ଦିଘୋଷ ରଥ ଦୁଇଦିନରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି। ଗତକାଲି ସମସ୍ତ ନୀତିକାନ୍ତି ସରିଥିଲେ ମଧ୍ୟ ସନ୍ଧ୍ୟା ହୋଇଯିବାରୁ ରଥଟଣା ଆରମ୍ଭ ହୋଇପାରି ନଥିଲା। ଆଜି ପୂର୍ବାହ୍ନ ୧୦ଟାରେ ରଥଟଣା ଆରମ୍ଭ ହୋଇଥିଲା। ଅପରାହ୍ଣ ୧୨ଟା ୨୦ ବେଳକୁ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ଶ୍ରୀବଳଦେବଜିଉଙ୍କ ରଥଯାତ୍ରା ପାଇଁ ଗତକାଲି ସକାଳୁ ପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥିଲା। ଭୋର ୫ଟାରେ ଅବକାଶ ଶେଷ ହେବାପରେ ନେତ୍ରଦାନ, ଉଭା, ସକାଳ ଧୂପ, ଲୁଗାଲାଗି, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି ଦିଆଯାଇଥିଲା। ଅପରାହ୍ନ ସାଢ଼େ ୪ଟାବେଳେ ଶ୍ରୀଜିଉମାନଙ୍କୁ ପହଣ୍ଡି କରି ରଥାରୂଢ଼ କରାଯାଇଥିଲା। ଅପରାହ୍‌ଣ ସାଢ଼େ ୫ଟାରୁ ଛେରାପହଁରା ଆରମ୍ଭ ହୋଇ ସନ୍ଧ୍ୟା ସାଢ଼େ ୬ଟାରେ ଶେଷ ହୋଇଥିଲା। ସନ୍ଧ୍ୟା ହୋଇଯିବାରୁ ରଥଟଣା ହୋଇପାରି ନଥିଲା। ବଡ଼ଦାଣ୍ଡରେ ରଥ ଅଟକି ରହିଥିଲା।

Advertisment

ଆଜି ଦ୍ବିତୀୟ ଦିନରେ ରଥଟଣା ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ରଥଟଣା ଆରମ୍ଭ ହୋଇ ୧୨ଟା ୨୦ ବେଳକୁ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ବଡ଼ଦାଣ୍ଡ ମଧ୍ୟ ଭାଗରେ ଗଳଗଣ୍ଡି ପୂଜା ସହ ରଥ ପହଞ୍ଚିବା ପରେ ରାତି ୮ଟା ସମୟରେ ଧାଡ଼ି ପହଣ୍ଡିରେ ଶ୍ରୀଜିଉମାନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଯାଇଥିଲା। ହରିବୋଲ, ହୁଳହୁଳିରେ ବଡ଼ଦାଣ୍ଡ କମ୍ପି ଉଠିଥିଲା। ଏସ୍‌ପି ନୀତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସୌମ୍ୟ ସାର୍ଥକ ମିଶ୍ର, ଅତିରିକ୍ତ ଏସ୍‌ପି ଆଟ୍‌କୋ କୁଜୁର, ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ତତ୍ତ୍ୱାବଧାନରେ ରଥଟଣା ସମ୍ପନ୍ନ ହୋଇଥିଲା।