ପୁରୀ: ପ୍ରଭୁ ଲୋକନାଥ ହେଉଛନ୍ତି ଶ୍ରୀମନ୍ଦିର ଭଣ୍ଡାର ରକ୍ଷକ। ଏଣୁ ଆଜି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଭଣ୍ଡାର ରକ୍ଷକ ବାବା ଲୋକନାଥଙ୍କଠାରୁ ଆସିଥିଲା ଆଜ୍ଞାମାଳ। ପ୍ରଭୁ ଲୋକନାଥଙ୍କ ମନ୍ଦିରଠାରୁ ଲୋକନାଥଙ୍କ ସେବକମାନେ ଘଣ୍ଟଛତ୍ରି ସହକାରେ ଶୋଭାଯାତ୍ରାରେ ଆଜ୍ଞାମାଳ ଆଣିବା ପରେ ଏହାକୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। ପରେ ଚଳନ୍ତି ଭଣ୍ଡାର, ବାହାର ଭଣ୍ଡାର ଓ ଭିତର ଭଣ୍ଡାର ଖୋଲାଯାଇଥିଲା। ପରେ ରତ୍ନଭଣ୍ଡାରରେ ବିଜେ ବାବା ଲୋକନାଥଙ୍କୁ ବି ପୂଜାର୍ଚ୍ଚନା କରାଯାଇଥିଲା। ଯେହେତୁ ମହାଲକ୍ଷ୍ମୀ ରତ୍ନଭଣ୍ଡାରର ମାଲିକାଣୀ ଓ ମା’ ବିମଳା ଶ୍ରୀମନ୍ଦିରର ମାଲିକାଣୀ, ସେମାନଙ୍କ ପାଖରେ ବି ପୂଜାର୍ଚ୍ଚନା କରାଯାଇ ଆଶୀର୍ବାଦ ନେଇଥିଲେ ସମସ୍ତ ସଦସ୍ୟ। ମା’ ବିମଳାଙ୍କ ନିକଟରେ ଗୁଆ ଟେକାଯାଇଥିଲା। ଏହା ପରେ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ଆଜି ରତ୍ନଭଣ୍ଡାର ତଦାରଖ କମିଟି ଓ ଅନ୍ୟ ବିଶେଷଜ୍ଞ ଦଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲିଥିଲେ।
ଭିତର ରତ୍ନଭଣ୍ଡାରରେ ୧୨, ବାହାର ରତ୍ନଭଣ୍ଡାରରେ ପଶିଲେ ୧୧ ସଦସ୍ୟ
ପୁରୀ, ୧୪/୭(ଇମିସ): ଖୋଲିଛି ରତ୍ନଭଣ୍ଡାର। ମହାପ୍ରଭୁଙ୍କ ଏହି ଭଣ୍ଡାରକୁ ବେହରଣ ଦ୍ବାର ଦେଇ ପ୍ରବେଶ କରିଛନ୍ତି ସ୍ବତନ୍ତ୍ର ଟିମ୍। ୧୫ ଜଣ ସଦସ୍ୟ ବିଶିଷ୍ଟ କମିଟି ଗଠନ ହୋଇଥିଲା।। ତେବେ ବାହାର ଭଣ୍ଡାରକୁ ୧୧ ଜଣ ସଦସ୍ୟ ଓ ଭିତର ଭଣ୍ଡାରକୁ ୧୨ ଜଣ କମିଟି ସଦସ୍ୟ ଯାଇଥିଲେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, କମିଟି ସଦସ୍ୟ ପ୍ରଫେସର ସି.ବି.କେ ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ରତ୍ନଭଣ୍ଡାର ସବ୍କମିଟିର ଦୁର୍ଗା ଦାସ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧୀକ୍ଷକ ଡି.ବି ଗଡ଼ନାୟକ, ଗଜପତିଙ୍କ ପ୍ରତିନିଧି ଭାବେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉନ୍ନୟନ ପ୍ରଶାସକ ଅଜୟ ଜେନା, ଶ୍ରୀମନ୍ଦିର କୋର ୍କମିଟି ସଦସ୍ୟ ଏନ୍.ସି ପାଲ୍, ଶ୍ରୀମନ୍ଦିରର ସ୍ବତନ୍ତ୍ର ପଦାଧିକାରୀ ଆଶିଷ କୁମାର ସୁବୁଦ୍ଧି, ଭଣ୍ଡାର ମେକାପ ଗଣେଶ ମେକାପ, ତଢ଼ାଉକରଣ ହିମାଂଶୁ ଶେଖର ପଟ୍ଟନାୟକ ଓ ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ପ୍ରମୁଖ ଟିମ୍ରେ ରହିଥିଲେ।
ଜଉମୁଦ ଦିଆ ଗୋଲାପୀ ଲଫାପାରେ ଗଲା ଚାବି
ରତ୍ନଭଣ୍ଡାରର ଚାବି ଟ୍ରେଜେରିରେ ମହଜୁଦ ରହିଥିଲା। ଆଜି ଭଣ୍ଡାର ଖୋଲିବା ଆଗରୁ ଚାବିଟି ଜଣେ ଅଧିକାରୀ ଆଣି ଶ୍ରୀମନ୍ଦିର ପ୍ରଶାସନରେ ଜିମା ଦେଇଥିଲେ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ଏହି ଚାବିଟି ଶ୍ରୀମନ୍ଦିର ପ୍ରଶାସନକୁ ଆସିବା ପରେ ନୀତି ପ୍ରଶାସକ ଏକ ଦେଢ଼ ଫୁଟରେ ଏକ ଫୁଟ ବିଶିଷ୍ଟ ଜଉମୁଦ ଦିଆ ଗୋଲାପୀ ଲଫାପାରେ ଚାବି ନେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ ବୋଲି ସୂଚନା ମିଳିଛି।
କାହାକୁ ସହାୟକ ନିଯୁକ୍ତ କରାଗଲା
ତାଲା ଭାଙ୍ଗିବାକୁ ନିୟୋଜିତ: ପ୍ରବୋଧ ପରିଡ଼ା, ଜଟାଧାରୀ ସ୍ୱାଇଁ, ଆଦିତ୍ୟ ପ୍ରସାଦ ନାୟକ
ଭିଡିଓ ଉତ୍ତୋଳନ : ବିଷ୍ଣୁ ପ୍ରସାଦ ମହାପାତ୍ର, ଜଗଦୀଶ ସାହୁ
ଅଳଙ୍କାର ସ୍ଥାନାନ୍ତର କଲେ: ଘନ ଗୋଚ୍ଛାୟତ, ଜଗନ୍ନାଥ ରାଉତ, ରାମଚନ୍ଦ୍ର ଗୋଚ୍ଛାୟତ, ଲକ୍ଷ୍ମୀଧର ଗୋଚ୍ଛାୟତ, ରବିନାରାୟଣ ଗୋଚ୍ଛାୟତ, ହରେକୃଷ୍ଣ ଗୋଚ୍ଛାୟତ, ମୃତ୍ୟୁଞ୍ଜୟ ରାଉତ, ବିଜୟ ଗୋଚ୍ଛାୟତ, ସଞ୍ଜୟ ଗୋଚ୍ଛାୟତ, ସୌମ୍ୟରଞ୍ଜନ ଗୋଚ୍ଛାୟତ, ଜଗନ୍ନାଥ ଗୋଚ୍ଛାୟତ, ଆଶ୍ରିତ ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ, ନାରାୟଣ ରାଉତ, ଲକ୍ଷ୍ମୀଧର ବିଶ୍ୱାଳ
ଫୋରେନ୍ସିକ୍ ଟିମ୍: ଶ୍ୟାମମଣି ସାହୁ, ଆଲୋକ ମଲ୍ଲିକ, ଜନ୍ମେଜୟ ସାହୁ, ଲଗ୍ନା ବେବର୍ତ୍ତା, ସସ୍ମିତା ନାୟକ
ଅଳଙ୍କାର ରଖିବାକୁ ଆସିଲା ୬ ସିନ୍ଦୁକ
ରତ୍ନ ଭଣ୍ଡାର ଖୋଲିବା ପରେ ସଙ୍ଗେସଙ୍ଗେ ଗଣତି ହେବନାହିଁ। ଅଳଙ୍କାରଗୁଡ଼ିକୁ ସ୍ଥାନାନ୍ତର କରି ଦୁଇଟି ଷ୍ଟ୍ରଙ୍ଗରୁମ୍ରେ ରଖାଯିବ। ଏଥିପାଇଁ ଚାଙ୍ଗଡ଼ା ଘର ଓ ଖଟଶେଜ ଘରକୁ ଦୁଇଟି ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କରାଯାଇଛି। ରତ୍ନ ଅଳଙ୍କାରକୁ ସିନ୍ଦୁକରେ ରଖି ଷ୍ଟ୍ରଙ୍ଗରୁମ୍ରେ ରଖାଯିବ। ଏଥିପାଇଁ କଟକର ଦିଲୀପ କନ୍ଷ୍ଟ୍ରକ୍ସନର କାରିଗରଙ୍କ ଦ୍ବାରା ୬ଟି ସିନ୍ଦୁକ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିରରେ ପହଞ୍ଚିଛି। ଶାଗୁଆନ କାଠରେ ନିର୍ମିତ ସିନ୍ଦୁକ ଭିତର ଓ ଉପର ପାର୍ଶ୍ବ ପିତଳ ମଣ୍ଡଣି କରାଯାଇଛି। ସିନ୍ଦୁକଗୁଡ଼ିକର ଲମ୍ବ ପ୍ରାୟ ୪ ଫୁଟ, ଓସାର ଅଢ଼େଇ ଫୁଟ ଏବଂ ଉଚ୍ଚତା ପ୍ରାୟ ୩ ଫୁଟ। ସିନ୍ଦୁକକୁ ସ୍ଥାନାନ୍ତର କରିବା ପାଇଁ ଉଭୟ ପାର୍ଶ୍ବରେ ଦୁଇଟି କଡ଼ା ସଂଯୋଗ ହୋଇଛି। ତାଲା ପକାଇବା ପାଇଁ ଦୁଇଟି ବ୍ୟବସ୍ଥା ରହିଛି। ୮ଦିନ ପୂର୍ବରୁ ସିନ୍ଦୁକ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଗତ ୩ ଦିନ ହେଲା ୨୦ ଜଣ କାରିଗର ରାତିଦିନ ପରିଶ୍ରମ କରି ଏହାକୁ ପ୍ରସ୍ତୁତ କରିଛନ୍ତି। କାରିଗରଙ୍କ କହିବା ମୁତାବକ, ସିନ୍ଦୁକ ୫ ପା ଶାଗୁଆନ କାଠରେ ପ୍ରସ୍ତୁତ ହେବା ପରେ ପିତଳର ମଣ୍ଡଣି କରାଯାଇଛି। ଏହାର ଓଜନ ପ୍ରାୟ ଅଢ଼େଇ କୁଇଣ୍ଟାଲ ହେବ ବୋଲି କାରିଗରମାନେ କହିଛନ୍ତି। ଗୋଟିଏ ସିନ୍ଦୁକ ଉଠାଇବା ପାଇଁ ୬ ଜଣଙ୍କର ଆବଶ୍ୟକତା ପଡ଼ିବ ବୋଲି କାରିଗରଙ୍କ ସୂତ୍ରରୁ ପ୍ରକାଶ।
ସାଙ୍ଗରେ ନେଇଥିଲେ ତାଲା କାଟିବାକୁ ମେସିନ୍
ରତ୍ନଭଣ୍ଡାର ପ୍ରବେଶ ଦ୍ବାରରେ ତାଲା ପଡ଼ିଛି। ତେଣୁ ତାଲା ଖୋଲିବା ପାଇଁ ଚାବି ଯାଇଥିଲା। ମାତ୍ର ଯଦି ଚାବିରେ ତାଲା ନଖୋଲେ, ତେବେ ତାଲା ଭାଙ୍ଗିବା ପାଇଁ ମେସିନ ତଥା ୨ଟି ବଡ଼ ଆକାରର ଲକ୍ କଟର ନିଆଯାଇଥିଲା। ଗୋଟିଏ ବିଦ୍ୟୁତ ଚାଳିତ ଅଢ଼େଇ ଫୁଟର ଏବଂ ଆଉ ଗୋଟିଏ ପ୍ରାୟ ଦୁଇ ଫୁଟର ତାଲା କଟା ମେସିନ ନିଆଯାଇଥିଲା। ଭିତର ରତ୍ନଭଣ୍ଡାରରେ ବିଦ୍ୟୁତ ସରବରାହ ବ୍ୟବସ୍ଥା ନଥିବାରୁ ଅନ୍ଧାର ଦୂର କରିବା ପାଇଁ ହାଇମାଷ୍ଟ ଲାଇଟ୍, ମିନିଏଚର ଲାଇଟ ପଠାଯାଇଥିଲା। ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ୨୪ ଘଣ୍ଟିଆ ସର୍ଭେଲାନ୍ସ ବ୍ୟବସ୍ଥା ହୋଇଛି। ହାଇରିଜଲୁସନ କ୍ୟାମେରା ସହ ସିସିଟିଭି ରଖାଯାଇଛି। ମେଟାଲ ଡିଟେକ୍ଟର ସହ ହ୍ୟାଣ୍ଡ୍ ମେଟାଲ ଡିଟେକ୍ଟର ମଧ୍ୟ ନିଆଯାଇଛି।
ଭିତର ରତ୍ନଭଣ୍ଡାରରେ ପଡ଼ିଲା ନୂଆ ତାଲା
ଭିତର ଭଣ୍ଡାରର ତାଲା କାଟି ଯାଞ୍ଚ ଦଳ ଭିତରକୁ ପ୍ରବେଶ କରିଛନ୍ତି। ଟ୍ରେଜେରିରୁ ଆସିଥିବା ଚାବିରେ ତାଲା ଖୋଲିନଥିଲା। ତେଣୁ ତିନିଟିଯାକ ତାଲା ଭାଙ୍ଗିବାକୁ ପଡ଼ିଛି। ତାଲା ନଖୋଲିଲେ ଲକ୍ କଟରରେ ତାଲା ଖୋଲିବାକୁ ଏସ୍ଓପିରେ ସୂଚନା ଥିବାରୁ ଏହି ଆଧାରରେ ବିଦ୍ୟୁତ ଚାଳିତ ଲକ୍ କଟର ମେସିନ ସହାୟତାରେ ତାଲା କଟାଯିବା ପରେ ଭିତର ରତ୍ନଭଣ୍ଡାରକୁ ଟିମ୍ ପ୍ରବେଶ କରିଥିଲେ। ପୁରୁଣା ତାଲା କଟା ଯାଇଥିବାରୁ ତିନିଟି ନୂଆ ତାଲା ପକାଯାଇ ସିଲ୍ କରାଯାଇଛି। ଉକ୍ତ ତାଲାର ଚାବିକୁ ଟ୍ରେଜେରିକୁ ପଠାଯାଇଛି।
ଯାଞ୍ଚ ପୂର୍ବରୁ ତିନି ଦ୍ବାର ବନ୍ଦ, ସିଂହଦ୍ବାର ଖୋଲା
ରତ୍ନଭଣ୍ଡାର ଯାଞ୍ଚ ପୂର୍ବରୁ ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ତିନି ଦ୍ବାର ବନ୍ଦ ରଖି କେବଳ ସିଂହଦ୍ବାର ଖୋଲା ରଖାଯାଇଥିଲା। ଏହି ବାଟ ଦେଇ ରତ୍ନଭଣ୍ଡାର ଯାଞ୍ଚ କମିଟି ସହ ପ୍ରଶାସନିକ ଅଧିକାରୀ ଓ ଅନ୍ୟମାନେ ଯା’ଆସ କରିଥିଲେ। ଓଡ୍ରାଫ୍, ପୁଲିସ ଓ ଅନ୍ୟମାନେ ଏହି ବାଟ ଦେଇ ଯା’ଆସ କରିଥିଲେ। ସିଂହଦ୍ବାରରେ ଏଥିପାଇଁ କଡ଼ା ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା।
ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କଲେ ଆଇନମନ୍ତ୍ରୀ
ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ଶ୍ରୀମନ୍ଦିର ଆସି ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ରତ୍ନଭଣ୍ଡାର ଯାଞ୍ଚ କମିଟି ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ। ପ୍ରକ୍ରିୟା ଠିକ୍ ଚାଲିଛି କି ନାହିଁ, ପଚାରି ବୁଝିଥିଲେ। ଏହି ଅବସରରେ ସେ ମହାଲକ୍ଷ୍ମୀ ଓ ପାର୍ଶ୍ବ ଦେବବେଦୀଙ୍କୁ ଦର୍ଶନ କରି ଫେରିଥିଲେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ ବ୍ୟବସ୍ଥା, ନୀତିକାନ୍ତି ଅନୁଧ୍ୟାନ କରିଥିଲେ।
ଜ୍ବରରୁ ଉଠି ଆସିଥିବା ଏସ୍ପି ଅସୁସ୍ଥ
ଦୁଇଦିନ ହେବ ଜ୍ବରରେ କମ୍ପୁଛନ୍ତି। ତଥାପି ହାତରେ ଭେନ୍ଫ୍ଳନ୍ ଲାଗିଥିବା ଅବସ୍ଥାରେ ଆଜି ପୁରୀ ଏସ୍ପି ପିନାକ ମିଶ୍ର ଶ୍ରୀମନ୍ଦିର ଆସି ରତ୍ନଭଣ୍ଡାର ଯାଞ୍ଚ ବ୍ୟବସ୍ଥା ବେଳେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ଏସ୍ପି ଶ୍ରୀ ମିଶ୍ର କିଛିଟା ଅସୁସ୍ଥତା ଅନୁଭବ କରିଥିଲେ। ଏଥିପାଇଁ ବେହେରଣ ଦ୍ବାର ପାଖରେ ବସି ପଡ଼ିଥିଲେ। ପରେ ଶ୍ରୀମନ୍ଦିରରେ ନିୟୋଜିତ ଡାକ୍ତରୀ ଦଳ ସ୍ବାସ୍ଥ୍ୟାବସ୍ଥା ଦେଖିବା ପରେ ଏସ୍ପି ସୁସ୍ଥ ଅନୁଭବ କରିଥିଲେ। ପରେ ଶ୍ରୀମନ୍ଦିର ବାହାରକୁ ଆସି ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଓ ତାଙ୍କର କିଛି ହୋଇନଥିବା କହିଥିଲେ। ଆଜି ମଧ୍ୟାହ୍ନରେ ଏସ୍ପି ଶ୍ରୀ ମିଶ୍ର ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିବା ପରେ ସାଷ୍ଟାଙ୍ଗ ପ୍ରଣାମ ଜଣାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ପରେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଏସ୍ପି ଶ୍ରୀ ମିଶ୍ର ସୋସିଆଲ ମିଡିଆରେ ନିଜେ ସୁସ୍ଥ ଥିବା କଥା ଜଣାଇବା ସହ ଡିହାଇଡ୍ରେସନ ଯୋଗୁ ଅସୁସ୍ଥ ହୋଇପଡ଼ିଥିବା ସୂଚାଇଛନ୍ତି।
ପାଟ, ମକୁଟା ପିନ୍ଧି ପଶିଲେ
ରତ୍ନଭଣ୍ଡାର ଯାଞ୍ଚ ପାଇଁ ଆଜି ୧୫ଜଣିଆ କମିଟି ଶ୍ରୀମନ୍ଦିରକୁ ଯାଇଥିଲେ। ରତ୍ନଭଣ୍ଡାରକୁ ପ୍ରବେଶ ପୂର୍ବରୁ ସମସ୍ତେ ଶୁଦ୍ଧପୂତ ଭାବେ ପ୍ରବେଶ କରିଛନ୍ତି। ଶ୍ରୀମନ୍ଦିର ବାହାରୁ ପିନ୍ଧି କରି ଯାଇଥିବା ପୋଷାକପତ୍ର ଖୋଲିବା ପରେ ଶ୍ରୀମନ୍ଦିର ଭିତରେ ପାଟ, ମକୁଟା ଆଦି ପରିଧାନ କରି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରି ରତ୍ନଭଣ୍ଡାରକୁ ପ୍ରବେଶ କରିଛନ୍ତି।
ମହାପ୍ରସାଦ ସେବନକଲେ
ଶ୍ରୀମନ୍ଦିରରେ ଆଜି ରତ୍ନଭଣ୍ଡାର ଯାଞ୍ଚ କରୁଥିବା ସମସ୍ତ ସଦସ୍ୟଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଆଜି ପ୍ରଥମ ଭୋଗମଣ୍ଡପରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଥିବା ଆଡ଼ପଅବଢ଼ା ସଦସ୍ୟଙ୍କ ପାଇଁ ଶ୍ରୀମନ୍ଦିର ନିଆଯାଇଥିଲା। ଆଜି ଅପରାହ୍ଣରେ ଯାଞ୍ଚ ଶେଷ ପରେ ସମସ୍ତ ସଦସ୍ୟ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ ପରେ ଫେରି ଯାଇଥିଲେ।
ସ୍ନେକ୍ ହେଲ୍ପଲାଇନ୍ର ୧୨ ସଦସ୍ୟ
ରତ୍ନଭଣ୍ଡାର ମଧ୍ୟରେ ସାପ ଥିବା ନେଇ ଚର୍ଚ୍ଚା ହେଉଥିବାରୁ ଏହାମଧ୍ୟକୁ ପ୍ରବେଶ କରୁଥିବା କମିଟି ସଦସ୍ୟଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ନେକ୍ ହେଲ୍ପ ଲାଇନ୍ର ୧୨ ଜଣ ସଦସ୍ୟଙ୍କୁ ନିୟୋଜିତ କରାଯାଇଥିଲା। ସ୍ନେକ୍ ହେଲ୍ପ ଲାଇନ୍ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା ଅନୁଯାୟୀ, ମୋଟ୍ ୧୨ ଜଣ ଏହି ଉଦ୍ଦେଶ୍ୟରେ ନିୟୋଜିତ ହୋଇଛନ୍ତି। ଶ୍ରୀମନ୍ଦିର ମଧ୍ୟରେ ୩ ଜଣ ରହିଛନ୍ତି। ଅନ୍ୟ ୯ଜଣ ମନ୍ଦିର ବାହାରେ ରହିଛନ୍ତି। ତେବେ ରତ୍ନଭଣ୍ଡାର ମଧ୍ୟକୁ ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟମାନେ ଯିବେ ନାହିଁ। ଯଦି ସାପ ଥିବା ସୂଚନା ମିଳେ ତେବେ ଏହି ସଦସ୍ୟମାନେ ଭିତରକୁ ଯାଇ ସାପ ଉଦ୍ଧାର କରି ଆଣି ବାହାରେ ଥିବା ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟମାନଙ୍କୁ ଦେବେ। ସେମାନେ ସାପକୁ ବ୍ୟାଗରେ ରଖିବା ପରେ ତାକୁ ଶ୍ରୀମନ୍ଦର ପ୍ରଶାସନର ନିର୍ଦ୍ଦେଶରେ ଯଥାସ୍ଥାନରେ ଛାଡ଼ିବେ ବୋଲି ସ୍ଥିର ହୋଇଥିଲା। ଆମେ ପ୍ରସ୍ତୁତ ଥିଲୁ। ଆମର ଆବଶ୍ୟକତା ପଡ଼ିନଥିବାରୁ ଡକାଯାଇନାହିଁ ବୋଲି ସେ କହିଛନ୍ତି। ସେ ଏକଥା ବି କହିଛନ୍ତି, ମହାପ୍ରଭୁଙ୍କ କାର୍ଯ୍ୟରେ ପିମ୍ପୁଡ଼ି ଭଳି ଯଦି କିଛି ଶ୍ରମ ଦେଇପାରିଲୁ ତାହା ଆମ ପାଇଁ ଗର୍ବର କଥା।