ଦଶପଲ୍ଲା: ଛେନାପୋଡ଼କୁ ଜିଆଇ ମାନ୍ୟତା ଦେବା ପାଇଁ ଦାବି ଉଠୁଛି। ହେଲେ ଓଡ଼ିଶାର ଏହି ପାରମ୍ପରିକ ମିଠାକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି। ଛେନାପୋଡ଼ ପ୍ରସ୍ତୁତିର ପ୍ରକୃତ ସୂତ୍ରଧର କିଏ, କେଉଁଠୁ ଏହା ଉଦ୍ଭାବନ ହୋଇଥିଲା, କ’ଣ ରହିଛି ଏହାର ଇତିହାସ.. ଏସବୁର ବାସ୍ତବତାକୁ ପରଖିବା ବଦଳରେ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ୍ ୧୧କୁ ଛେନାପୋଡ଼ ଦିବସ ଭାବେ ପାଳନ କରୁଛନ୍ତି। ଅନ୍ୟପକ୍ଷରେ ଆଉ ଏକ ଗୋଷ୍ଠୀ ଏହାର ତଥ୍ୟ ଓ ସତ୍ୟକୁ ଉପସ୍ଥାପନ କରିବା ସହ ଏହାର ସ୍ରଷ୍ଟା ବିଦ୍ୟାଧର ସାହୁ ବୋଲି ଦର୍ଶାଇ ତାଙ୍କର ତିରୋଧାନ ଦିବସ ଡିସେମ୍ବର ୩୧କୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ ପାଇଁ ଦାବି ଉଠାଇଛନ୍ତି। ଏହାଦ୍ବାରା କେବଳ ଦୁଇ ଗୋଷ୍ଠୀ ନୁହେଁ, ପରିବାର ମଧ୍ୟରେ ବିବାଦର ପାଚେରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଗତ ଡିସେମ୍ବର ୩୧ ତାରିଖରେ ବିଦ୍ୟାଧର ସାହୁ ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟ ସମେତ ଛେନାପୋଡ଼ର ଉତ୍ପତ୍ତିସ୍ଥଳ ନୟାଗଡ଼ ଜିଲ୍ଲା ଓ ରାଜ୍ୟସ୍ତରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ବ ଛେନାପୋଡ଼ ଦିବସ ପାଳନ କରାଯାଇଛି। ଛେନାପୋଡ଼କୁ ଜିଆଇ ମାନ୍ୟତା ପାଇଁ ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସ୍ତରରେ ଦାବି ଉପସ୍ଥାପନ କରାଯାଇଛି। ଆଜି ଅର୍ଥାତ୍ ଏପ୍ରିଲ୍ ୧୧ ତାରିଖକୁ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ଛେନାପୋଡ଼ ଦିବସ ଭାବେ ପାଳନ କରିଛନ୍ତି। ଯାହାକୁ ନେଇ ବ୍ଲକ୍ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ପ୍ରତିବାଦ ଉଠିବା ସହ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଛେନାପୋଡ଼ର ପ୍ରକୃତ ସ୍ରଷ୍ଟା ବିଦ୍ୟାଧର ସାହୁ ହୋଇଥିବା ଦର୍ଶାଇ ଏହା ପଛର ତଥ୍ୟ ଓ ସତ୍ୟକୁ ଅନୁସନ୍ଧାନ କରିବା ପାଇଁ ଦାବି ଉଠିଛି। ମିଥ୍ୟା ତଥ୍ୟ ବଳରେ ରାଜନୈତିକ ଅଭିସନ୍ଧି ରଖି ଏପ୍ରିଲ୍ ୧୧କୁ ଛେନାପୋଡ଼ ଦିବସ ଭାବେ ଯେଉଁ କେତେକ ସ୍ଥାନରେ ପାଳନ କରାଯାଉଛି, ତଦ୍ବାରା ଏହାର ପ୍ରକୃତ ସ୍ରଷ୍ଟାଙ୍କୁ ଆଢ଼ୁଆଳରେ ରଖିବାକୁ ଅପଚେଷ୍ଟା କରାଯାଉଥିବା ପ୍ରସଙ୍ଗ ମୁଣ୍ଡ ଟେକିଛି।
ଏପ୍ରିଲ ୧୧କୁ ବିରୋଧ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବିପତ୍ର
ଛେନାପୋଡ଼କୁ ପ୍ରଥମେ ଦଶପଲ୍ଲା ଏନ୍ଏସି ଅଧୀନ ୧୪ ନମ୍ବର ୱାର୍ଡ ଜରିପାଟଣା ଗ୍ରାମର ବିଦ୍ୟାଧର ସାହୁ ପ୍ରସ୍ତୁତ କରିଥିଲେ। ବିଦ୍ୟାଧରଙ୍କ ଉତ୍ତରାଧିକାରୀ ତଥା ସାହିରେ ବସବାସ କରୁଥିବା ବରିଷ୍ଠ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ, ବିଦ୍ୟାଧର ଏଠାରେ ଏକ ଜଳଖିଆ ଦୋକାନ ଦେଇଥିଲେ। ଦୋକାନକୁ କ୍ଷୀର ଓ ଛେନା ଆସୁଥିବା ବେଳେ ଦିନେ ଛେନା ବଳି ଯାଇଥିଲା। ବିଦ୍ୟାଧରଙ୍କ ଧର୍ମପତ୍ନୀ ଜେମାମଣି ସେହି ଛେନାରେ ଚିନି ଗୋଳାଇ ଏକ ପାତ୍ରରେ ରଖି ଚୁଲି ନିଆଁରେ ଘୋଡ଼ାଇ ଦେଇଥିଲେ। ପରଦିନ ସକାଳୁ ଏହାକୁ ନିଆଁରୁ କାଢ଼ି ଖାଇବା ପରେ ତାହା ଖୁବ୍ ସୁସ୍ବାଦୁ ଲାଗିଥିଲା। ଧୀରେ ଧୀରେ ଏଭଳି ଛେନା ଓ ଚିନିକୁ ମିଶାଇ ବିଦ୍ୟାଧର ଛେନାପୋଡ଼ ପ୍ରସ୍ତୁତ କରିବାକୁ ଲାଗିଲେ। ଜଳଖିଆ ଖାଇବାକୁ ଆସୁଥିବା ଗ୍ରାହକ ମଧ୍ୟ ଏହାକୁ ବେଶ୍ ପସନ୍ଦ କଲେ। କ୍ରମଶଃ ଦଶପଲ୍ଲାରେ ଏହି ମିଠାର ଆଦୃତି ବଢ଼ିଥିଲା।
ବିଦ୍ୟାଧରଙ୍କ ୩ ପୁଅ ଗୌରଚନ୍ଦ୍ର, ସୁଦର୍ଶନ ଓ ଭଗବାନ। ଦିନେ ଦିନେ ଯାହା ପୋଡ଼ ବଳକା ହୁଏ ତାକୁ ଧରି ସୁଦର୍ଶନ ନୟାଗଡ଼କୁ ବ୍ୟବସାୟ କରିବା ପାଇଁ ଚାଲି ଯାଆନ୍ତି। କାଳକ୍ରମେ ଦୁଇପୁଅ ସୁଦର୍ଶନ ଓ ଭଗବାନ ନୟାଗଡ଼ ଚାଲି ଯାଇଥିଲେ। ନୟାଗଡ଼ କଚେରି ଛକରେ ସୁଦର୍ଶନ ନିଜର ବ୍ୟବସାୟ ଆରମ୍ଭ କରିବା ସହ ଛେନାପୋଡ଼ ତିଆରି କରୁଥିଲେ। ବାପା ବିଦ୍ୟାଧର ଏହାର ଉଦ୍ଭାବନ କରିଥିବା ବେଳେ ପରବର୍ତ୍ତୀ ସମୟରେ ସୁଦର୍ଶନ ନୟାଗଡ଼ରେ ଛେନାପୋଡ଼ର ବହୁଳ ପ୍ରସାର କରିଥିଲେ। ଯାହାକୁ ନେଇ ସୁଦର୍ଶନ ପୂର୍ବରୁ ନିଜ ପ୍ରତିକ୍ରିୟା ଓ ସାକ୍ଷାତକାରରେ କହିଥିବା ବିଭିନ୍ନ ପୁସ୍ତକରେ ଉଲ୍ଲେଖ ରହିଛି। ହେଲେ ଆଜି ସୁଦର୍ଶନଙ୍କ ଜନ୍ମଦିନ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି, ଯାହା ସମ୍ପୂର୍ଣ୍ଣ ନିରାଧାର ଓ କପୋଳକଳ୍ପିତ ବୋଲି ବିଦ୍ୟାଧର ସାହୁ ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ପ୍ରକୃତ ସତ୍ୟକୁ ଅନୁସନ୍ଧାନ କରି ଡିସେମ୍ବର ୩୧ ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିବା ପାଇଁ ଦାବି ଉଠିଛି। ଆଜି ଏହି ଦିବସକୁ ବିରୋଧ କରି ଦଶପଲ୍ଲାରେ ଚାରିଟେବୁଲ ଟ୍ରଷ୍ଟ ସମେତ ମହାବୀର ବଣିକ ମହାସଂଘ, ପ୍ରେସ୍ କ୍ଲବ୍ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ଦିଆଯାଇଛି।