‘ସ୍ବୀକୃତି’ କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ: ମନ୍ତ୍ରୀ

କିନ୍ନର କଲ୍ୟାଣ ନେଇ ପୂର୍ବାଞ୍ଚଳ କର୍ମଶାଳା

ଭୁବନେଶ୍ବର : କିନ୍ନରମାନଙ୍କ ଜୀବନଧାରାରେ ଉନ୍ନତି ସାଙ୍ଗକୁ ସମତା ଓ ନ୍ୟାୟ ସୁରକ୍ଷିତ କରିବାକୁ ରାଜ୍ୟ ସରକାର ‘ସ୍ବୀକୃତି’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଯାହାକି ଦେଶରେ ଏକ ମାଇଲଖୁଣ୍ଟ ପଦକ୍ଷେପ ବୋଲି ମତବ୍ୟକ୍ତି କରିଛନ୍ତି ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ, ନୀତି ଆୟୋଗ, ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କିନ୍ନର କଲ୍ୟାଣ ସଂପର୍କିତ ପୂର୍ବାଞ୍ଚଳ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପଣ୍ଡା ଏହା କହିଛନ୍ତି।

ଗତ ଫେବ୍ରୁଆରି ମାସରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ‘ସ୍ମାଇଲ୍’ କାର୍ଯ୍ୟକ୍ରମ, କିନ୍ନର କଲ୍ୟାଣ ପାଇଁ ପ୍ରାୟୋଜିତ ଜାତୀୟ ପୋର୍ଟାଲ ଓ ସଂପୃକ୍ତ ଆଇନଗୁଡ଼ିକର ସଫଳ ଅନୁପାଳନ ପାଇଁ ମତ, ପ୍ରସ୍ତାବ ଓ ପରାମର୍ଶ ଆହରଣ ପାଇଁ ଏହି ପୂର୍ବାଞ୍ଚଳ କର୍ମଶାଳା ଅନୁଷ୍ଠିତ ହେଉଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପଣ୍ଡା କହିଥିଲେ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ କିନ୍ନରମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି। ପ୍ରତି ଜିଲ୍ଲାରେ ସେମାନଙ୍କ ପାଇଁ ସୁରକ୍ଷା ପ୍ରକୋଷ୍ଠ ଖୋଲାଯିବା ସହିତ ୮୬ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ, ଜାତୀୟ ପୋର୍ଟାଲରେ ପ୍ରାୟ ୧୬ଶହ କିନ୍ନର ପଞ୍ଜିକୃତ ହୋଇ ପ୍ରମାଣପତ୍ର ପାଇଛନ୍ତି। ରାଜ୍ୟରେ କିନ୍ନରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା, ସେମାନଙ୍କୁ ସ୍ବଚ୍ଛସାଥୀ ଭାବେ ନିଯୁକ୍ତି ଦେବା ଓ ପାର୍କିଂ ଫି’ ଓ ଅନ୍ୟାନ୍ୟ ଟିକସ ସଂଗ୍ରହରେ ନିୟୋଜିତ କରାଯିବା ଭଳି ପଦକ୍ଷେପ ନିଆଯାଇଛି। ପ୍ରତି ଜିଲ୍ଲାରେ କିନ୍ନରମାନଙ୍କ ପାଇଁ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଥିବା ଶ୍ରୀ ପଣ୍ଡା ସୂଚନା ଦେଇଥିଲେ।

ବିଭାଗୀୟ ସଚିବ ଭାସ୍କରଜ୍ୟୋତି ଶର୍ମା, ଯୋଜନା କମିସନଙ୍କ ସାମାଜିକ ନ୍ୟାୟ ବିଭାଗର ପୂର୍ବତନ ବରିଷ୍ଠ ପରାମର୍ଶଦାତା ଜି.ବି ପଣ୍ଡା, ମିଳିତ ଜାତସଂଘ ବିକାଶ କାର୍ଯ୍ୟକ୍ରମର ଜାତୀୟ ପ୍ରବନ୍ଧକ ଚିରଞ୍ଜୀବ ଭଟ୍ଟାଚାର୍ଯ୍ୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟର ସହକାରୀ ନିର୍ଦେଶକ ଶାନ୍ତନୁ ଦୀକ୍ଷିତ ସ୍ମାଇଲ କାର୍ଯ୍ୟକ୍ରମ ଓ ଜାତୀୟ ପୋର୍ଟାଲ ଉପରେ ଆଲୋକପାତ କରିଥିଲେ। ବିଭାଗୀୟ ନିର୍ଦେଶିକା ବ୍ରତତୀ ହରିଚନ୍ଦନ ସ୍ବାଗତ ଭାଷଣ ଓ ଆଭା ମିଶ୍ର ଧନ୍ୟବାଦ ଦେଇଥିଲେ।

ଗତ ୭ଦିନ ଧରି କିନ୍ନର କଲ୍ୟାଣ ଓ ସଂପର୍କିତ କ୍ଷେତ୍ରଗୁଡ଼ିକ ଉପରେ ଦଳଗତ ଆଲୋଚନା ହୋଇଥିଲା। ନୀତି ଆୟୋଗର ସହକାରୀ ପରାମର୍ଶଦାତା ମୁନିରାଜୁ ଏସ୍‌.ବି ଦଳଗତ ଆଲୋଚନାର ନେତୃତ୍ବ ନେଇଥିଲେ। ।

ସମ୍ବନ୍ଧିତ ଖବର