ବାଲେଶ୍ବର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେକର୍ଡ ରୁମ୍ରେ ଥିବା ଅନେକ ନଥିପତ୍ର ହଜିଗଲାଣି। ଅଧିକାଂଶ ନଥିପତ୍ର ମିଳୁନାହିଁ। କେଉଁଠି ଖତ ହୋଇ ପଡ଼ିଛି ତ ଆଉ କେଉଁଠି ଚିରିଗଲାଣି। ନଥିପତ୍ର ସବୁ ଅଳନ୍ଧୁ, ଧୂଳିରେ ଭର୍ତ୍ତି ହୋଇ ରହିଛି। କେଉଁ ସ୍ଥାନରେ କେଉଁ ନଥିପତ୍ର ଅଛି, ତାହାର କିଛି ତାଳମେଳ ନାହିଁ। ପରିସ୍ଥିତି ଏମିତି ହୋଇଛି-ଗୋଟିଏ ନଥିପତ୍ର ଖୋଜି ପାଇବାକୁ ଦିନଦିନ ଲାଗିଯାଉଛି। ବେଳେ ବେଳେ ତ ନଥିପତ୍ର ମିଳୁନାହିଁ। ଯଦି ବି ମିଳୁଛି, ସବୁତକ ମିଳୁନି। ପରିସ୍ଥିତି ଏମିତି ହୋଇଛି ନଥିପତ୍ର ସମ୍ଭାଳି ରଖିବା ମୁସ୍କିଲ୍ ହୋଇପଡ଼ିଛି। ରୁମ୍ରେ ପାଦ ପକେଇବାକୁ ଜାଗା ନାହିଁ। ଆବଶ୍ୟକ ରୁମ୍ ନଥିବାରୁ ଅଧିକାଂଶ ନଥିପତ୍ର ତଳେ ଗଦା ହୋଇ ରହିଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିଥିବା ରେକର୍ଡ ରୁମ୍ରେ ୧୯୨୨ ମସିହାଠାରୁ ନଥିପତ୍ର ସବୁ ରହିଛି। ବିଭିନ୍ନ ପ୍ରକାର ମାମଲାର ନଥିପତ୍ର ସହ ସିଏସ୍ (କରେଣ୍ଟ ସେଟେଲ୍ମେଣ୍ଟ), ଏମ୍ଏସ୍ (ମେଜର ସେଟେଲ୍ମେଣ୍ଟ), ବିଭିନ୍ନ ପ୍ରକାର ଫାଇଲ୍, ରିଭିଜନ୍ ସେଟେଲ୍ମେଣ୍ଟ, ଆରଏମ୍ଏସ୍ (ରଘୁପତି ମେଜର ସେଟେଲ୍ମେଣ୍ଟ) ଆଦିର ନଥିପତ୍ର ରହିଛି। ନଥିପତ୍ରକୁ ବ୍ୟବସ୍ଥିତ କରି ଭାବେ ରଖିବା ପାଇଁ ଯେଉଁଠି ୧୫ ଜଣ କର୍ମଚାରୀ ଆବଶ୍ୟକ, ସେଠାରେ ମାତ୍ର ୩ ଜଣ କର୍ମଚାରୀ ଅଛନ୍ତି। ତହସିଲ କାର୍ଯ୍ୟାଳୟ ଭଳି ଭୂ-ଲେଖ ସଫ୍ଟୱେୟର ହୋଇ ନଥିବାରୁ ସବୁ ନଥିପତ୍ର ଧୀରେଧୀରେ ନଷ୍ଟ ହେବାକୁ ବସିଲାଣି। ଯାହା ଜଣାପଡ଼ିଛି, ପାଖାପାଖି ୬୦ ପ୍ରତିଶତ ନଥିପତ୍ର ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଛି।
ନିୟମ ଅନୁସାରେ, କେହି ନଥିପତ୍ର ନେବାକୁ ଚାହିଁଲେ ଦରଖାସ୍ତ ସହ ୬/୭ ଟଙ୍କାର କୋର୍ଟ ଫି’ ଦାଖଲ କରିବେ। ନଥିପତ୍ରକୁ ଜେରକ୍ସ କରି ନେବାକୁ ଚାହିଁଲେ; ସେହି ଅନୁସାରେ ଖର୍ଚ୍ଚ ବହନ କରିବାକୁ ପଡ଼ିଥାଏ। ଆବେଦନ କରିବାର ୫ ଦିନ ଭିତରେ ନଥିପତ୍ର ପ୍ରଦାନ କରିବାର ନିୟମ ରହିଛି। ତେବେ ବହୁ ନଥିପତ୍ର ନଷ୍ଟପ୍ରାୟ ଥିବାରୁ ଜେରକ୍ସ ପାଇବାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ୁଛି। ସମସ୍ତ ନଥିପତ୍ର ବି ମିଳିପାରୁନାହିଁ। ଯାହାଫଳରେ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଯେଉଁ ନଥିପତ୍ର ନଷ୍ଟ ହୋଇଯାଇଛି, ସେସବୁ ନଥିପତ୍ରର ଆଉ ରକ୍ଷଣାବେକ୍ଷ ହେଉନାହିଁ। ସରକାର ଡିଜିଟାଲ୍ ବ୍ୟବସ୍ଥାକୁ ଗୁରୁତ୍ବ ଦେଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେଣୁ ଯେତିକି ନଥିପତ୍ର ରହିଛି, ସେଗୁଡ଼ିକୁ ବ୍ୟବସ୍ଥିତ ଢଙ୍ଗରେ ରଖିବା ସହ ଡିଜିଟାଲ୍ ସଂରକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ବ ଦେବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।