ଲୋକସେବା ଭବନରେ ଏଏସ୍‌ଓ ନିଯୁକ୍ତି ସବୁ ବର୍ଷ ହେବ ନାହିଁ, କ୍ୟାବିନେଟ୍‌ରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ

ସରକାରୀ ସଂସ୍ଥାର ବକେୟା ବିଜୁଳି ବିଲ୍‌ ରଫାଦଫା ହେଲା, ଯାନ୍ତ୍ରିକ ସେବା କ୍ୟାଡର୍‌ରେ ପୁନର୍ବିନ୍ୟାସ

ଭୁବନେଶ୍ବର: ଲୋକସେବା ଭବନରେ ସହାୟକ ଉପ ବିଭାଗ ଅଧିକାରୀ (ଏଏସ୍‌ଓ) ପଦବି ପାଇଁ ସବୁ ବର୍ଷ ଆଉ ନିଯୁକ୍ତି ପରୀକ୍ଷା ହେବ ନାହିଁ। ଯେତେବେଳେ ଆବଶ୍ୟକତା ପଡ଼ିବ, ସେତେବେଳେ ଓପିଏସ୍‌ସି ଏହି ପଦବି ପାଇଁ ନିଯୁକ୍ତି ପରୀକ୍ଷା କରାଇବ। ଆଜି ଏପରି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛି। ଏହା ପଛରେ ସରକାର ଯୁକ୍ତି ରଖିଛନ୍ତି ଯେ ପ୍ରଚଳିତ ନିୟମାବଳୀରେ ପ୍ରତି ବର୍ଷ ନିଯୁକ୍ତି ନିମନ୍ତେ ବ୍ୟବସ୍ଥା ଥିବା ସତ୍ତ୍ବେ ପଦବି ଖାଲି ନ ଥିବା, ପଦବି ଉଚ୍ଛେଦ, ଆର୍ଥିକ ସଙ୍କଟ ଆଦି ବିଭିନ୍ନ କାରଣ ପାଇଁ ପ୍ରତି ବର୍ଷ ନିଯୁକ୍ତି ପ୍ରକ୍ରିୟା ହୋଇପାରେ ନାହିଁ। ପରବର୍ତ୍ତୀ ସମୟରେ ଯେତେବେଳେ ନିଯୁକ୍ତି ପରୀକ୍ଷା ହୁଏ, ସେତେବେଳେ ପୂର୍ବ ବର୍ଷ ବଞ୍ଚିତ ହୋଇଥିବା ଆଶାୟୀମାନେ ସର୍ବୋଚ୍ଚ ବୟସସୀମା କୋହଳ କରିବାକୁ ଦାବି କରନ୍ତି। ଏହା ଦ୍ବାରା ଆଇନଗତ ସମସ୍ୟା ଉପୁଜୁଛି। ତେଣୁ ପ୍ରତି ବର୍ଷ ପରୀକ୍ଷା କରାଇବା ପାଇଁ ଥିବା ନିୟମ ବଦଳରେ ଆବଶ୍ୟକତା ଅନୁସାରେ ନିଯୁକ୍ତି ପରୀକ୍ଷା କରାଗଲେ ଏହି ଆଇନଗତ ସମସ୍ୟା ଉପୁଜିବ ନାହିଁ। ବିଭିନ୍ନ ସରକାରୀ ସଂସ୍ଥା ଉପରେ ପାଖାପାଖି ୨୫୦ କୋଟି ଟଙ୍କାର(ବିଳମ୍ବିତ ସରଚାର୍ଜ ଦେୟ ସହିତ) ବିଜୁଳି ଦେୟ ବକେୟା ପଡ଼ିଛି। ଦୀର୍ଘ ଦିନ ଧରି ତାହା ସୁଝା ହେଉ ନାହିଁ। ଏହି ବାକି ସୁଝିବା ପାଇଁ ସରକାର ଏକ ବାଟ ବାହାର କରିଛନ୍ତି। ରାଜ୍ୟ ସରକାର ଗ୍ରିଡ୍‌କୋ ଓ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାଗୁଡ଼ିକୁ ପ୍ରଦାନ କରିଥିବା ଋଣର ସୁଧ ହାର ଏହି ବକେୟା ଦେୟ ସହ ପ୍ରାୟ ସମାନ। ଏଣୁ ସରକାର ଏହି ସୁଧ ନେବେନି କିମ୍ବା ସରକାରୀ ବିଭାଗ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାଗୁଡ଼ିକୁ ବକେୟା ଦେୟ ଦେବେନି। ଫଳରେ ୨୦୨୦ ମାର୍ଚ୍ଚ ତାରିଖ ସୁଦ୍ଧା ଆଉ କୌଣସି ସରକାରୀ ସଂସ୍ଥା ଉପରେ ବିଜୁଳି ଦେୟ ବାକି ରହିବ ନାହିଁ। ଆଜି ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ସ୍ବୀକୃତି ଦେଇଛି। ଏଣିକି ୩୧.୦୩.୨୦୨୦ ପର ଠାରୁ ସରକାରୀ ବିଭାଗଗୁଡ଼ିକ ଠିକ୍ ସମୟରେ ବିଜୁଳି ଦେୟ ପ୍ରଦାନ କରିବେ।

ସହାୟକ କୃଷି ଅଧିକାରୀ ପଦ ପାଇଁ ଉଦ୍ୟାନ କୃଷି ସ୍ନାତକ ବି ଯୋଗ୍ୟ

ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ଫି’ ନିର୍ଦ୍ଧାରଣ କରିବା ପାଇଁ ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଫି ଷ୍ଟ୍ରକ୍ଚର୍‌ କମିଟି ଗଠନ ହେବ। ବିପିୟୁଟି କୁଳପତି ଆଉ କମିଟିର ଅଧ୍ୟକ୍ଷ ରହିବେ ନାହିଁ। ହାଇକୋର୍ଟର ମୁଖ୍ୟ ବିଚାରପତି ଦ୍ବାରା ସଂପୃକ୍ତ ଅବସରପ୍ରାପ୍ତ ବିଚାରପତି ମନୋନୀତ ହେବେ। ଏଥି ପାଇଁ ପ୍ରଫେସ୍‌ନାଲ୍‌ ଏଜୁକେସନ୍‌ ଇନ୍‌ଷ୍ଟିଚ୍ୟୁସନ୍‌ସ୍‌ ଆକ୍ଟ,୨୦୦୭ରେ ଥିବା ଆବଶ୍ୟକ ସଂଶୋଧନ କରାଯାଇଛି। ଏହି ସଂଶୋଧନ ପ୍ରସ୍ତାବ ଆଜି କ୍ୟାବିନେଟ୍‌ରେ ମଞ୍ଜୁରି ଲାଭ କରିଛି। ଓଡ଼ିଶା ଯାନ୍ତ୍ରିକ ସେବା କ୍ୟାଡର୍‌ର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ୍‌ ସ୍ବୀକୃତି ‌େଦଇଛି। ଏହି କ୍ୟାଡର୍‌ର ମୋଟ୍‌ ମଞ୍ଜୁରିପ୍ରାପ୍ତ ପଦବି ସଂଖ୍ୟା ଅପରିବର୍ତ୍ତିତ ରହିବ। ଉପନିର୍ବାହୀ ଯନ୍ତ୍ରୀ ପଦବି ଉଚ୍ଛେଦ କରାଯାଇ ବର୍ତ୍ତମାନ ଅଧୀକ୍ଷଣ ଯନ୍ତ୍ରୀ(ସ୍ତର-୧) ଓ ଅଧୀକ୍ଷଣ ଯନ୍ତ୍ରୀ(ସ୍ତର-୨) ପଦବିର ଏକତ୍ରୀକରଣ କରି ଅଧୀକ୍ଷଣ ଯନ୍ତ୍ରୀ ପଦବି ଓ ନୂଆ ଭାବେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପଦବି ସୃଷ୍ଟି କରାଯିବ। ଓଡ଼ିଶା ଯାନ୍ତ୍ରିକ ସେବା କ୍ୟାଡର୍‌ର କନିଷ୍ଠ ଯନ୍ତ୍ରୀମାନଙ୍କ ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ପଦବି ସଂଖ୍ୟା ୩୩ ପ୍ରତିଶତରୁ ବୃଦ୍ଧି କରି ୪୦ ପ୍ରତିଶତ କରାଯିବ। ଡିଗ୍ରିଧାରୀ ମେଧାବୀ ଯନ୍ତ୍ରୀମାନଙ୍କୁ ଏହି କ୍ୟାଡର୍‌ରେ ସିଧାସଳଖ ନିଯୁକ୍ତି ଦେବା ପାଇଁ ସେମାନଙ୍କ ଗ୍ରାଜୁଏଟ୍‌ ଆପ୍ଟିଚ୍ୟୁଡ୍‌ ଟେଷ୍ଟ୍‌ ଇନ୍‌ ଇଞ୍ଜିନିୟରିଂ(ଗେଟ୍‌) ସ୍କୋର୍‌ ମାଧ୍ୟମରେ ଚୟନ କରାଯିବ।

ଓଡ଼ିଶା ଡିପ୍ଲୋମା ଯାନ୍ତ୍ରିକ ସେବା କ୍ୟାଡର୍‌ର ମଧ୍ୟ ପୁନର୍ବିନ୍ୟାସ କରାଯାଇଛି। ଏହି କ୍ୟାଡର୍‌ର କନିଷ୍ଠ ଯନ୍ତ୍ରୀମାନଙ୍କ ସହକାରୀ ଯନ୍ତ୍ରୀ ବର୍ଗକୁ ପଦୋନ୍ନତି ନିମନ୍ତେ ଆବାସିକ ଅବଧିକୁ ୪ ବର୍ଷରୁ ୧ ବର୍ଷକୁ ହ୍ର‌ାସ କରିବା‌, ମୋଟ୍‌ ମଞ୍ଜୁରୀପ୍ରାପ୍ତ ପଦବି ସଂଖ୍ୟାକୁ ଅପରିବର୍ତ୍ତିତ ରଖି ସହକାରୀ ଯନ୍ତ୍ରୀ ପଦ ସଂଖ୍ୟାକୁ ୬୦%କୁ ବୃଦ୍ଧି କରିବା, ସହକାରୀ ନିର୍ବାହୀ ଯନ୍ତ୍ରୀ ପଦୋନ୍ନତିକୁ ୩୩%ରୁ ୪୦%କୁ ବୃଦ୍ଧି କରିବା ଓ ଓଡ଼ିଶା ଡିପ୍ଲୋମା ଯାନ୍ତ୍ରିକ ସେବା କ୍ୟାଡର୍‌ ନିଯୁକ୍ତି ପାଇଁ ଜଳସମ୍ପଦ ବିଭାଗକୁ ନୋଡାଲ୍‌ ବିଭାଗ ହିସାବରେ କାର୍ଯ୍ୟ କରିବା ନିମନ୍ତେ ନୂଆ ନିୟମରେ ବ୍ୟବସ୍ଥା କରାଯାଇଛି। ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା (ନିଯୁକ୍ତି ନିୟମ ଓ ଚାକିରି ସର୍ତ୍ତାବଳୀ) ନିୟମ, ୨୦୧୮ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ପ୍ରଚଳିତ ବ୍ୟବସ୍ଥାରେ ସହକାରୀ କୃଷି ଅଧିକାରୀ ପଦବିରେ ନିଯୁକ୍ତି ନିମନ୍ତେ କୃଷିରେ ସ୍ନାତ ଡିଗ୍ରିଧାରୀଙ୍କୁ ସୁଯୋଗ ମିଳୁଛି। କିନ୍ତୁ ଉଦ୍ୟାନ କୃଷିରେ ସ୍ନାତକ ଡିଗ୍ରିଧାରୀଙ୍କୁ ବିବେଚନା କରାଯାଉ ନାହିଁ। ଅପର ପକ୍ଷରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପଦବି ନିମନ୍ତେ ଉଭୟ କୃଷି ଓ ଉଦ୍ୟାନ କୃଷିରେ ସ୍ନାତକ ଡିଗ୍ରିଧାରୀଙ୍କୁ ସୁଯୋଗ ମିଳୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସଂଶୋଧିତ ନିୟମ‌େର ସହକାରୀ କୃଷି ଅଧିକାରୀ ପଦବି ପାଇଁ ମଧ୍ୟ ଏଣିକି ଉଭୟ କୃଷି ଓ ଉଦ୍ୟାନ କୃଷିରେ ସ୍ନାତକ ଡିଗ୍ରିଧାରୀଙ୍କୁ ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର