ବ୍ରହ୍ମପୁର: ୨୦୧୪ରେ ମାଓନେତା ସବ୍ୟସାଚୀଙ୍କ ଗିରଫଦାରି ପରେ ଗଲା ପ୍ରାୟ ୧୦ବର୍ଷ ଭିତରେ ଓଡ଼ିଶା ମାଓବାଦୀ ପାର୍ଟିର ସତ୍ତା ହଜିଯାଇଛି। ଏହାପରେ ପର୍ଯ୍ୟାୟ କ୍ରମେ ଜଣେ ପରେ ଜଣେ ମାଓବାଦୀ ପୁଲିସ କବ୍ଜାରେ ପଡ଼ିଥିଲେ। ଏବେ ଲାଲ୍ବାହିନୀ ଦିନକୁ ଦିନ ବଳହୀନ ହେବାରେ ଲାଗିଛି। ଗତ ୫ବର୍ଷ ମଧ୍ୟରେ ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ୍ ଅଧୀନ ଗଞ୍ଜାମ, ଗଜପତି ଓ କନ୍ଧମାଳଜିଲ୍ଲା ଜଙ୍ଗଲରେ ୧୦ଟି ଏନ୍କାଉଣ୍ଟର୍ରେ ୧୫ଜଣ ମାଓବାଦୀ ଟଳିଛନ୍ତି। କନ୍ଧମାଳ ପୁଲିସ ସର୍ବାଧିକ ୧୩ଜଣଙ୍କୁ ଏନ୍କାଉଣ୍ଟର୍ କରିଥିବା ବେଳେ ବୌଦ୍ଧ ପୁଲିସ ଦୁଇଜଣଙ୍କୁ ଏନ୍କାଉଣ୍ଟର୍ କରିଛି। ସେହିପରି ୨୦୧୯ରୁ ୨୦୨୪ ମଧ୍ୟରେ ମୋଟ ୧୮ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏବେ ଓଡ଼ିଶା ସୀମାନ୍ତ ଇଲାକାରେ ଛତିଶଗଡ଼ି କ୍ୟାଡର୍ ମାଓବାଦୀଙ୍କ ଗତିବିଧି ରହିଛି। ସେମାନଙ୍କୁ ଦମନ କରିବା ପାଇଁ ଓଡ଼ିଶା ଏବଂ ଛତିଶଗଡ଼ ପୁଲିସର ମିଳିତ ଅପରେସନ୍ ଜାରି ରହିଛି।
ଓଡ଼ିଶା ମାଓବାଦୀ ପାର୍ଟି ବିଶେଷ କରି ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ ଅନ୍ତର୍ଗତ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ଦୁର୍ଗମ ଇଲାକାରେ ସକ୍ରିୟ ଥିଲା। ପରବର୍ତ୍ତୀ ସମୟରେ ବୌଦ୍ଧ ଜିଲ୍ଲାରେ ମାଓ ଗତିବିଧି ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଗଞ୍ଜାମ ଓ ଗଜପତି ଜିଲ୍ଲା ମାଓମୁକ୍ତ ହୋଇଛି। କେବଳ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଦୁର୍ଗମ ଇଲାକାରେ ମାଓବାଦୀ ତାଙ୍କର ସ୍ଥିତି ଜାହିର କରୁଛନ୍ତି। ୨୦୧୪ରେ ସବ୍ୟସାଚୀ ଗିରଫ ହେବା ପରେ ସେ ଗଢ଼ିଥିବା ଓଡ଼ିଶା ମାଓବାଦୀ ପାର୍ଟି ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ସାରିଛି। ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡ଼ା ଓ ଫିରିଙ୍ଗିଆ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ମନମୁଣ୍ଡାର ଦୁର୍ଗମ ଇଲାକାରେ ମାଓବାଦୀଙ୍କ ଗତିବିଧି ରହିଛି। ସେହି ମାଓ ସଂଗଠନରେ ଅଧିକାଂଶ ଛତିଶଗଡ଼ି କ୍ୟାଡର୍ ମାଓବାଦୀ ରହିଛନ୍ତି। ଓଡ଼ିଶା କ୍ୟାଡର୍ ମାଓବାଦୀଙ୍କ ସଂଖ୍ୟା ଖୁବ୍ କମ୍। ଛତିଶଗଡ଼ି କ୍ୟାଡର୍ ମାଓ ସଂଗଠନର ନେତୃତ୍ବ ନେଉଛି ବିକେଶ। ତାକୁ କାବୁ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରହିଛି। ମାଓ ଗତିବିଧି ଖବର ଆସିଲେ କମ୍ବିଂ ଅପରେସନ୍ ଆରମ୍ଭ କରାଯାଉଛି ବୋଲି ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଡ. ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ମାଓ ସଂଗଠନ ସଦସ୍ୟ ଥିବା ପୁରୁଷ ଓ ମହିଳାମାନେ ନାନା ନିର୍ଯାତନାର ଶିକାର ହୋଇଥାନ୍ତି। ଦିନ ଦିନକୁ ଓଡ଼ିଶା ମାଓବାଦୀ ପାର୍ଟି ଦୁର୍ବଳ ହୋଇ ଚାଲିଥିଲା। ବିଦ୍ରୋହ କରି ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ଇଚ୍ଛା ପ୍ରକାଶ କରି ବହୁ ମାଓନେତା ଆତ୍ମସମର୍ପଣ କରିଛନ୍ତି।
୫ ବର୍ଷରେ ଏନ୍କାଉଣ୍ଟର୍ରେ ଟଳିଲେଣି ୧୫
ଦକ୍ଷିଣାଞ୍ଚଳ ରେଞ୍ଜ୍ରେ ୧୮ ଜଣଙ୍କ ଆତ୍ମସମର୍ପଣ
୨୦୧୫ ଜାନୁଆରି ୫ତାରିଖରେ ଦକ୍ଷିଣାଞ୍ଚଳ ପୁଲିସ ରେଞ୍ଜ୍ର ତତ୍କାଳୀନ ଆଇଜି ଅମିତାଭ ଠାକୁରଙ୍କ ନିକଟରେ ଓଡ଼ିଶା ମାଓବାଦୀ ପାର୍ଟିର ସେକେଣ୍ଡ୍ ଇନ୍ କମାଣ୍ଡ୍ କୁହାଯାଉଥିବା ପ୍ରମୋଦ ମାଝୀ ଓରଫ୍ ସାଗର ଆତ୍ମସମର୍ପଣ କରିଥିଲେ। ତାଙ୍କର ବୟାନକୁ ଭିତ୍ତି କରି ପୁଲିସ ସେ ସମୟରେ ସୋରଡ଼ା ଥାନା ଆଡ଼ିପଙ୍କା ନିକଟରେ ଥିବା ଖାଡ଼ିସରୁ ଜଙ୍ଗଲରେ ପୋତା ଯାଇଥିବା ଏସ୍ଏଲ୍ଆର୍, ବ୍ୟାପକ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ସେହିପରି ଗତ ୨୦୧୯ରୁ ୨୦୨୪ ମଧ୍ୟରେ ୫ଜଣ ଏସିଏମ୍ (ଏରିଆ କମାଣ୍ଡିଂ ମେମ୍ବର୍) ରୢାଙ୍କର ମାଓବାଦୀ ଆତ୍ମସମର୍ପଣ କରି ସାରିଛନ୍ତି। ୨୦୨୪ ମେ ମାସରେ କେକେବିଏନ୍ ଡିଭିଜନ୍ର ଡିସିଏମ୍ (ଡିଭିଜନାଲ୍ କମାଣ୍ଡିଂ ମେମ୍ବର) ସମୟ ମଡ଼କାମ୍ ଓରଫ୍ ନରେଶ ଓରଫ୍ ରୂପେଶ ଓରଫ୍ ଅମିତ ଓରଫ୍ ପିଣ୍ଟୁ ଆତ୍ମସମର୍ପଣ କରିଥିଲା। ଯାହାକି ପୁଲିସ ପାଇଁ ଏକ ବଡ଼ ସଫଳତା ଥିଲା। ସେତେବେଳେ ସେ ଡିଭିଜନ୍ର ଅଷ୍ଟମ କମ୍ପାନି ପ୍ରଥମ ବାଟାଲିଅନ୍ର ପ୍ରଥମ ପ୍ଲାଟୁନ୍ର କମାଣ୍ଡର୍ ଭାବେ ଦାୟିତ୍ବ ତୁଳାଉଥିଲା। ସେହିପରି ୨୦୧୯ରୁ ୨୦୨୪ ମଧ୍ୟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ୨୫ଥର ଗୁଳି ବିନିମୟ ହୋଇଥିଲା। ବୌଦ୍ଧ ଜିଲ୍ଲାରେ ମଧ୍ୟ ୪ଥର ଗୁଳି ବିନିମୟ ହୋଇଛି।
୨୦୨୦ରେ କନ୍ଧମାଳ ଜିଲ୍ଲାରେ ୮ଜଣ ମାଓବାଦୀ ଏନ୍କାଉଣ୍ଟର୍ରେ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୫ଜଣ ଏସିଏମ୍ ରୢାଙ୍କ ମାଓବାଦୀ ରହିଥିଲେ। ୨୦୨୨ରେ ୩ଜଣ ଏନ୍କାଉଣ୍ଟର୍ରେ ପଡ଼ିଥିବା ବେଳେ ୨୦୨୪ରେ ଦୁଇଜଣ ଶିକାର ହୋଇଥିଲେ। ୨୦୨୪ ଫେବ୍ରୁଆରି ୩ତାରିଖରେ କନ୍ଧମାଳ ପୁଲିସ ଡିସିଏମ୍ ଦାଶରୁ ଓରଫ୍ ଲକ୍ମା ମଣ୍ଡାଭିକୁ ନିହତ କରିଥିଲା। ସେହିପରି ୨୦୨୪ରେ ବୌଦ୍ଧ ଜିଲ୍ଲାରେ ଦୁଇଜଣ ମାଓବାଦୀ ପୁଲିସ ଏନ୍କାଉଣ୍ଟର୍ର ଶିକାର ହୋଇଥିଲେ।