୧୮ରୁ ସଂସଦର ମୌସୁମୀ ଅଧିବେଶନ: ଆସନ୍ତାକାଲି ବିଜେଡି ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ଆସନ୍ତା ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଧିବେଶନରେ ଦଳର ଆଭିମୁଖ୍ୟ କ’ଣ ହେବ ତାକୁ ନେଇ ଆସନ୍ତାକାଲି ସଂଧ୍ୟାରେ ବିଜୁ ଜନତା ଦଳ (ବିଜେଡି)ର ବୈଠକ ଅନୁଷ୍ଠିତ ହେବ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକର ଅଧ୍ୟକ୍ଷତା କରିବେ। ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିଜେଡି ସାଂସଦମାନେ ଯୋଗ ଦେବେ। ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ। ମୌସୁମୀ ଅଧିବେଶନ ଅବଧି ମଧ୍ୟରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ ଘୋଷଣା କରିସାରିଛି। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ‌‌ପାଇଁ ଭୋଟ ଗ୍ରହଣ ହେବ। ବର୍ତ୍ତମାନ ସୁଦ୍ଧା ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ଆସନ୍ତାକାଲି ବିଜେଡି ସଂସଦୀୟ ଦଳ ବୈଠକରେ ଏହି ପ୍ରସଙ୍ଗ ଆଲୋଚନା ହେବା ସମ୍ଭାବନ କମ୍ ଥିବା ସୂଚନା ମିଳିଛି।

ଲୋକସଭା ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ‘ସମ୍ବାଦ’କୁ କହିଛନ୍ତି, ଆସନ୍ତାକାଲି ବୈଠକ ପରେ ଯେଉଁ ସବୁ ପ୍ରସଙ୍ଗ ସଦନରେ ଉପସ୍ଥାପନ କରାଯିବ ସେ ନେଇ ଏକ ସ୍ପଷ୍ଟ ଚିତ୍ର ମିଳିପାରିବ। ଆସନ୍ତ‌ାକାଲି ଲୋକସଭା ବାଚସ୍ପତି ଏବଂ ରବିବାର ସରକାରଙ୍କ ଦ୍ବାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ବିଜେଡି ‌ଯୋଗଦେବ। ଏଥର ରାଜ୍ୟସଭାରେ ବିଜେଡି ନେତା କିଏ ହେବେ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ। ହୁଏତ ଆସନ୍ତାକାଲିର ବୈଠକରେ ନେତାଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି।

ସମ୍ବନ୍ଧିତ ଖବର