ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ରିମୋଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ହାତରେ। ତେଣୁ ବିଜେଡି ଦଳ ସବୁ କଥାରେ ବିଜେପି ସହିତ ରହିଛି। ମିଛରେ ନାଟକ କରୁଛନ୍ତି। ଓଡ଼ିଶାରେ ଏକ ଗଣତାନ୍ତ୍ରିକ ଶାସନ ଚାଲିନାହିଁ। ଏଠି ଅମଲାତାନ୍ତ୍ରିକ ସରକାର ଚାଲିଛି। ତୃତୀୟ ମହଲାରୁ ଏ ସରକାରକୁ ପରିଚାଳନା କରାଯାଉଛି। ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ପାଖରେ କିଛି କ୍ଷମତା ନାହିଁ। ଜନସାଧାରଣ କାହାକୁ ଦୁଃଖ ଜଣାଇବେ ତାହାକୁ ନେଇ ଦ୍ବନ୍ଦ୍ବରେ ବୋଲି କହିଛନ୍ତି ଅଖିଳ ଭାରତ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ଜିତେନ୍ଦ୍ର ସିଂହ।
ଶନିବାର ଦିନ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଥିଲେ ଯେ ଖଣି ଓ ଚିଟଫଣ୍ଡ ଦୁର୍ନୀତିରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ। ମହିଳା ହିଂସା, ଅତ୍ୟାତାର କ୍ଷେତ୍ରରେ ବହୁ ଆଗରେ ରହିଛି। କଂଗ୍ରେସ ସରକାର ସମୟରେ ରାଜ୍ୟରେ ଯେଉଁ କିଛି ଶିଳ୍ପ ପ୍ରତିଷ୍ଠା ହୋଇଥିଲା ତାହା ସଂପୂର୍ଣ୍ଣଭାବେ ବନ୍ଦ ହୋଇଯାଇଛି। ୨୩ବର୍ଷର ଏ ସରକାର କୃଷକ, ଛାତ୍ର, ମହିଳା, ଆଦିବାସୀ ଓ ଅନୁସୂଚିତ ଜାତି ଓ ଜନଜାତି ବିରୋଧୀ। ହଜାର ହଜାର ସରକାରୀ ପଦବି ଖାଲି ପଡ଼ିଥିବା ବେଳେ ତାହାକୁ ପୂରଣ କରାଯାଉନାହିଁ।
ସେହିପରି କେନ୍ଦ୍ରର ମୋଦୀ ସରକାରଙ୍କ ୯ବର୍ଷର ଶାସନର ୯ଟି ମୁଖ୍ୟ ଅପାରଗତାକୁ ନେଇ ଶ୍ରୀ ସିଂହ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ୨୦୧୪ ମସିହାରେ ଗ୍ୟାସ ସିଲିଣ୍ଡର ଦାମ ୪୧୦ ଟଙ୍କା ଥିବା ବେଳେ ଏବେ ତାହା ୧୧୦୩କୁ ବୃଦ୍ଧି ପାଇଛି। ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଗତ ୯ବର୍ଷରେ ୫୭ ଓ ୭୮ ପ୍ରତିଶତ ବୃଦ୍ଧି ପାଇଛି। ଦେଶର କୃଷକ ପରିବାର ଆୟ ଦିନକୁ ମାତ୍ର ୨୭ ଟଙ୍କା କାହିଁକି ରହିଛି। କୃଷକଙ୍କ ଆୟ ଦୁଇଗୁଣିତ କରିବାର ପ୍ରତିଶ୍ରୁତି କେବେ ପାଳନ ହେବ ? ଦେଶର ଲକ୍ଷ ଲକ୍ଷ ନିମ୍ନ ମଧ୍ୟବିତ୍ତ ଏଲଆଇସି ବୀମାଧାରୀ ଓ ଏସ୍ବିଆଇର ଜମାକାରୀଙ୍କ ଟଙ୍କା କାହିଁକି ଓ କାହା ସ୍ବାର୍ଥରେ ଆଦାନି ଗ୍ରୁପ୍ କମ୍ପାନିରେ ବିନିଯୋଗ ହୋଇଛି। ଚୀନ୍ ଦେଶର ୧୫ଶହ ବର୍ଗ କି.ମି ସୀମାକୁ ଅକ୍ତିଆର କରିନେଇଛି। ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଚୁପ୍ ବସିଛନ୍ତି। ୯ବର୍ଷ ଭିତରେ ଦେଶର କୌଣସି ଜାତୀୟ ନିରାପତ୍ତା ନିୟମ ନାହିଁ। ବିଜେପି ସରକାର ସମୟରେ ଦେଶରେ ଘୃଣାର ବଜାର ସୃଷ୍ଟି କରାଯାଇଛି। ଦିଲ୍ଲୀ, ମଣିପୁର ଓ ଅନ୍ୟ ସ୍ଥାନରେ ଯେଉଁ ଦଙ୍ଗା ହେବା ଫଳରେ ଦେଶ ଦୁର୍ବଳ ହୋଇଯାଇଛି। ସେହିପରି ୨୦୧୪ ମସିହା ପରେ ବିରୋଧୀ ରାଜନୈତିକ ନେତୃବର୍ଗଙ୍କ ଉପରେ ୯୫ ପ୍ରତିଶତ ସିବିଆଇ, ଇଡି ମାମଲା କରାଯାଇଛି। ତ୍ରୁଟିପୂର୍ଣ୍ଣ ବିମୁଦ୍ରୀକରଣ ଓ ଜିଏସ୍ଟି ପାଇଁ ଦେଶର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। ଜିଏସ୍ଟି ଆୟର ପ୍ରାୟ ୬୦ ପ୍ରତିଶତ କେବଳ ଗରିବ, ନିମ୍ନ ମଧ୍ୟବିତ୍ତ ବର୍ଗଠାରୁ ଆଦାୟ କରାଯାଉଥିବା ଶ୍ରୀ ସିଂହ କହିଥିଲେ।
ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, ନୂଆ ସଂସଦ ଭବନ ଉଦ୍ଘାଟନ ହେବ। ମାତ୍ର ରାଷ୍ଟ୍ରପତିଙ୍କ ଗାରିମା, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ନୀତି ନିୟମକୁ ଭ୍ରୁକ୍ଷେପ ନ କରି ବିଜେଡି ଦଳ ବିଜେପିକୁ ସମର୍ଥନ ଦେଇଛି। ଓଡ଼ିଶାର ଝିଅ ଓ ଆଦିବାସୀ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଅପମାନିତ କରୁଥିବା ବେଳେ ବିଜେଡି କିପରି ସମର୍ଥନ ଦେଉଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜୟ ପଟ୍ଟନାୟକ ଓ ଗଣେଶ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।