ଦୁର୍ଗମ ମହୁଲଭଟ୍ଟା ଓ ବଡ଼ିଗୁଡା ଗାଁକୁ ମୌଳିକ ଅଧିକାର ମିଳୁନି

ଜୟପୁର: ଜୟପୁର ବ୍ଲକର ବାରିଣୀପୁଟ ପଂଚାୟତ ଅର୍ନ୍ତଗତ ଦୁର୍ଗମ ମହୁଲଭଟ୍ଟା ଓବଡ଼ିଗୁଡା ଗାଁର ଗ୍ରାମବାସୀଙ୍କୁ ଦେଶ ସ୍ବାଧୀନତାର ୭୫ବର୍ଷ ପରେ ବି ମୌଳିକ ଅଧିକାର ମିଳିନଥିବା ଅଭିଯୋଗ କରିଛନ୍ତି। ଉଭୟ ଗାଁକୁ ଭଲ ରାସ୍ତା ନାହିଁ। ପିଇବାକୁ ମୁନ୍ଦେ ଭଲ ପାଣି ମିଳୁନି। ବିଦ୍ୟୁତ ଖୁଣ୍ଟ ଥିଲେ ହେଁ ମାସର ୨୮ଦିନ ଅନ୍ଧାରରେ ରହୁଥିବା ଅଭିଯୋଗ କରିଛନ୍ତି ଚିତ୍ରସେନ ବଡ଼ନାୟକ, ସୁଶି ନାୟକ, ଦହଣା ମୁଦୁଲି, ସଇତା କରଛି, ରୁକୁଣା ବଡମିଆ, ନିଳା ଜାନୀ, ସୁନ୍ଦରି ନାୟକ, ‌ସନାଇ ପରଜା, ଦହଣା ନାୟକ, ଜଗବନ୍ଧୁ ଜାନୀ, ରାମବଡ଼ ନାୟକ, ଧନର ମୁଦୁଲିଙ୍କ ସହ ଗ୍ରାମବାସୀ। ଆଜି ଏହି ଗ୍ରାମବାସୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ  ଯୁଗ୍ମ ଅଭିଯୋଗ ଶୁଣାଣୀକୁ ଆସି  ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ  ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ରୀ ମାଝୀଙ୍କ ନିକଟରେ ଅବଗତ କରିଥିଲେ।

ଚାଳଛପର ଝାଟିମାଟି ଘରେ ଏମାନେ ମୁଣ୍ଡ ଗୁଜିଂ ରହୁଥିବା ବେଳେ ସାମାନ୍ୟ ବର୍ଷା ଓ ବନ୍ୟଜନ୍ତୁ ଆକ୍ରମଣରେ ଘରର କାନ୍ତ ଭାଙ୍ଗି ଗଲାଣି ବୋଲି ଏମାନେ କହିଛନ୍ତି। ବର୍ଷା ହେଲେ ନାହିଁ ନଥିବା ଅସୁବିଧାରେ ଏମାନେ ରହୁଥିବା ଅଭିଯୋଗ କରିଛନ୍ତି। ସୋଲାର ସିଷ୍ଟମରେ ନାଳ ପାଣିକୁ ଅଟକାଇ ଯୋଗାଯାଉଥିବା ବେଳେ ଏହାକୁ ବିଶୋଧନ ବି ହେଉନି।  ଅଧା ଦିନ ଏହା କାମ କରୁନି। ତେଣୁ ପୂର୍ବ ପରି ନାଳର ପାଣିକୁ ଆଣି ଏମାନେ ପିଉଥିବା ଉଭୟ ଗ୍ରାମବାସୀ ମାନେ କହିଛନ୍ତି। ବିଡିଓ  ରାଜୀବ ଦାଶଙ୍କୁ ଉଭୟ ଗାଁର ସମସ୍ୟାକୁ ତଦାରଖ କରି ସମସ୍ୟା ସୁଧାରିବାକୁ ଅତିରିକ୍ତ ଜିଲ୍ଲାପାଳ , ଉପଜିଲ୍ଲାପାଳ ବେଦବର ପ୍ରଧାନ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର