ରେଙ୍ଗାଳି ଡ୍ୟାମ୍‌ରେ ହେବ ଦେଶର ସବୁଠୁ ବଡ଼ ସୋଲାର ପ୍ଲାଣ୍ଟ: ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ ଓ ଜାତୀୟ ଜଳ ବିଦ୍ୟୁତ ନିଗମ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ଏବେ ତିନି ଡ୍ୟାମରେ ସ୍ଥାପନ ହେବ ଭାସମାନ ସୋଲାର ପ୍ଲାଣ୍ଟ

ଭୁବନେଶ୍ବର: ରାଜ୍ୟରେ ଥିବା ବିଭିନ୍ନ ଜଳଭଣ୍ଡାରରେ ଭାସମାନ ସୋଲାର ଶକ୍ତି ପ୍ଲାଣ୍ଟ ସ୍ଥାପନ ହେବ। ଏନ୍‌ଏଚ୍‌ପିସି ସହାୟତାରେ ରାଜ୍ୟରେ ଖୁବ୍‌ ଶୀଘ୍ର ୫୦୦ ମେଗାୱାଟ ସୌର ଶକ୍ତି ଉତ୍ପାଦନ କରାଯିବ। ପ୍ରଥମ ପର୍ଯ୍ୟାୟରେ ରେଙ୍ଗାଳି ଜଳ ବିଦ୍ୟୁତ ଯୋଜନାର ଜଳ ଭଣ୍ଡାରରେ ୩୦୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରାଯିବ। ଏଥିପାଇଁ ପ୍ରାୟ ୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏହା ଦେଶର ସର୍ବବୃହତ୍ତ ଏକକ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ହେବ। ଏହାପରେ ହୀରାକୁଦ, ଇନ୍ଦ୍ରାବତୀ ସମେତ ବିଭିନ୍ନ ଜଳ ଭଣ୍ଡାରରେ ଏହି ପ୍ରକଳ୍ପ ନିର୍ମା‌ଣ କରାଯିବ। ଆଜି ଏନେଇ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ (ଜେଡ୍‌କୋଲ) ଏବଂ ଜାତୀୟ ଜଳ ବିଦ୍ୟୁତ ନିଗମ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି।

ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଓଡ଼ିଶା ଜଳ ବିଦ୍ୟୁତ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ତଥା ଜେଡ୍‌କୋଲ ସିଏମ୍‌ଡି ବିଷ୍ଣୁପଦ ସେଠୀ ଓ ଜାତୀୟ ଜଳ ବିଦ୍ୟୁତ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଭୟ କୁମାର ସିଂହ ଏହି ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ। ଜାତୀୟ ଜଳ ବିଦ୍ୟୁତ ନିଗମର ସିଏମ୍‌ଡି ଅଭୟ କୁମାର ସିଂହ କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ଅର୍ଥର କୌଣସି ସମସ୍ୟା ରହିବନି। ଏହା ୭୪:୨୬ ଅନୁପାତ ଆର୍ଥିକ ସହଯୋଗରେ ନିର୍ମାଣ ହେବ। ଏଠାରୁ ବାର୍ଷିକ ୬୦୦ ମିଲିଅନ ୟୁନିଟ ବିଦ୍ୟୁତ ଉତ୍ପାଦନ ହେବ ବୋଲି ପ୍ରାରମ୍ଭିକ ଆକଳନ ହୋଇଛି। ଏଭଳି ପ୍ରକଳ୍ପ ରାଜ୍ୟରେ ପ୍ରଥମ କରି ହେବାକୁ ଥିବାବେଳେ ଏହା ବାହାର ପୁଞ୍ଜିନିବେଶକୁ ଆକର୍ଷିତ କରିବ।ଶକ୍ତି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ,ଓଡ଼ିଶାରେ ସୌରଶକ୍ତି ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି। ତେଣୁ ଆଗାମୀ ଦିନରେ ଏହିଭଳି ପ୍ରକଳ୍ପ ବିଭିନ୍ନ ଜଳଭଣ୍ଡାରରେ ହେବ। ଓଡ଼ିଶାକୁ ଏକ ସବୁ ଶକ୍ତି ହବ୍‌ରେ ପରିଣତ କରିବାକୁ ସମସ୍ତେ ଆଗେଇ ଆସିବା ଦରକାର। ଏହି କାର୍ଯ୍ୟକ୍ରମରେ ଏନ୍‌ଏଚ୍‌ପିସିର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବଜିତ ବସୁ, ସାଧାରଣ ପରିଚାଳକ ହିମାଂଶୁ ଶାହା, ପରିଚାଳନା ନିର୍ଦ୍ଦେଶକ ଅମରେଶ କୁମାର, ଜେଡ୍‌କୋଲ ସିଇଓ ଏଚ୍‌.ପି ମହାପାତ୍ର, ନିର୍ଦ୍ଦେଶକ (ଅର୍ଥ) ପ୍ରଭାକର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର