ପୁରୀ: ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେଲାଣି ରତ୍ନଭଣ୍ଡାର ମରାମତି କାମ। ଭଙ୍ଗା ଓ ଫାଟିଯାଇଥିବା ପଥର ସବୁକୁ କଢ଼ାଯାଇ ନୂଆ ଖୋଣ୍ଡଲାଇଟ୍ ଓ ଖିଚିଂର କଳା ମୁଗୁନିପଥର (ବାସଲ୍ଟ ଷ୍ଟୋନ୍) ଲଗାଯାଉଛି। ଗ୍ରାଉଟିଂ କାମ ବି ଜାରି ରହିଛି। ମରାମତି କାମ ସରିବା ପରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ହେବ। କିନ୍ତୁ ନୀତିକାନ୍ତି ବିଳମ୍ବ କାରଣରୁ ମରାମତି କାମରେ ସେତେଟା ଅଗ୍ରଗତି ଦେଖିବାକୁ ମିଳୁନି। ଦୁଇ ମାସରେ ସରିବା କଥା, ଦେଢ଼ ମାସ ବିତିଥିଲେ ବି ୨୫ ପ୍ରତିଶତ କାମ ସରିନି। ଦିନକୁ ଅତିବେଶିରେ ୨ ଘଣ୍ଟା ମରାମତି ପାଇଁ ମିଳୁଛି। ଅପରପକ୍ଷେ ରତ୍ନଭଣ୍ଡାର କାନ୍ଥରେ ମୂଷା ଗାତ ସବୁ ରହିଛି। ଏହାର ବି ମରାମତି କରାଯିବ।
ଆହୁରି ବଦଳିବ ୧୧୦ରୁ ୧୫୦ ପଥର
ଚଟାଣରେ ପଡ଼ିବ ଖିଚିଂ ବାସଲ୍ଟ ଷ୍ଟୋନ୍
୨ ମାସରେ ସରିବା କଥା, ଦେଢ଼ ମାସ ପରେ ବି ସରିନି ୨୫ ପ୍ରତିଶତ କାମ
ଆଗକୁ ରଥଯାତ୍ରା। ଏହା ପୂର୍ବରୁ ରଥଯାତ୍ରାର ଅନେକ ନୀତିକାନ୍ତି ଚାଲିବ। ଶୀଘ୍ର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ଯଦି ଏଭଳି ବିଳମ୍ବିତ ପ୍ରକ୍ରିୟାରେ ରତ୍ନଭଣ୍ଡାର ମରାମତି କାମ ଚାଲେ, ରଥଯାତ୍ରା ପୂର୍ବରୁ ବି ମରାମତି କାମ ସରିବା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଏଏସ୍ଆଇ। ଯଦି ଆମକୁ ଅଧିକ ସମୟ ମିଳନ୍ତା, ଆମେ ସମୟ ଅନୁସାରେ କାମ ସାରି ପାରନ୍ତୁ ବୋଲି ମତ ଦେଇଛନ୍ତି। ନୀତିକାନ୍ତିରେ ଶୃଙ୍ଖଳା ଆଣି ମରାମତି ପାଇଁ ଅଧିକ ସମୟ ଦେବା ଦିଗରେ ପ୍ରଶାସନ ଗୁରୁତ୍ବ ଦେବାକୁ ସେବାୟତ ଓ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଦାବି କରିଛନ୍ତି।
ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ମାର୍ଗଦର୍ଶିକା ଅନୁସାରେ ପ୍ରତିଦିନ ଜିଲ୍ଲା ଟ୍ରେଜେରିରୁ ରତ୍ନଭଣ୍ଡାର ଚାବି ଅଣାଯାଇ ରତ୍ନଭଣ୍ଡାର ଖୋଲି ମରାମତି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତିଦିନ ରାତି ୨ଟାରେ ଦ୍ବାରଫିଟା ନୀତି ସଂପନ୍ନ କରି ଅପରାହ୍ଣ ସାଢ଼େ ୧ଟାରୁ ୨ଟା ଭିତରେ ଅପରାହ୍ଣ ପ୍ରାୟ ୨ଟାରେ ଦ୍ବିତୀୟ ଭୋଗମଣ୍ଡମ ଶେଷ ପରେ ଏଏସ୍ଆଇର ବୈଷୟିକ ଦଳଙ୍କୁ ରତ୍ନଭଣ୍ଡାର ମରାମତି କରିବାକୁ ଛଡ଼ାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରତିଦିନ ପ୍ରାୟ ୪ରୁ ୫ ଘଣ୍ଟା ରତ୍ନଭଣ୍ଡାର ମରାମତି କାମ କରିବାକୁ ଯୋଜନ କରାଯାଇଥିଲା।
ଏଏସ୍ଆଇ ସହକାରୀ ସଂରକ୍ଷଣ ଅଧିକାରୀ ଜ୍ୟୋତିରଂଜନ ପ୍ରଧାନ କହିଛନ୍ତି, ଏଏସ୍ଆଇ ପକ୍ଷରୁ ଇତିମଧ୍ୟରେ ରତ୍ନଭଣ୍ଡାର କାନ୍ଥ ସଂଯୋଗସ୍ଥଳ ଗ୍ରାଉଟିଂ ଓ ଅନ୍ୟାନ୍ୟ ମରାମତି କାର୍ଯ୍ୟ ଶେଷ କରାଯାଇଛି। ଛାତ ଉପରି ଭାଗ, କାନ୍ଥ, ଚଟାଣ ମରାମତି କାର୍ଯ୍ୟ ଜାରି ରହିଛି। ରତ୍ନଭଣ୍ଡାର ଚଟାଣରେ ଖିଚିଂରୁ ଆସୁଥିବା ଉନ୍ନତମାନର ବାସଲ୍ଟ ଷ୍ଟୋନ ଲଗାଯିବ। ଭଣ୍ଡାର ଘର ବାହାର କାନ୍ଥ ମରାମତି ପାଇଁ ବି ଭାରା ବନ୍ଧା ହୋଇଛି। ଶୀଘ୍ର ବାହାର କାନ୍ଥ ମରାମତି କାର୍ଯ୍ୟ ଆରମ୍ଭ ହେବ। ଭଣ୍ଡାର ଘର ଉପରିଭାଗରେ ଥିବା ଫାଟ ମରାମତି କାମ ଜାରି ରହିଛି। ଏବେ ସୁଦ୍ଧା ରତ୍ନଭଣ୍ଡାର କାନ୍ଥରେ ୪୦ଟି ପ୍ରଭାବିତ ପଥରକୁ ବଦଳାଇ ନୂଆ ଖୋଣ୍ଡଲାଇଟ୍ ପଥର ଲଗାଯାଇଛି। ଆହୁରି ୧୧୦ରୁ ୧୫୦ ପଥର ଲଗାଇବାକୁ ଯୋଜନା କରାଯାଇଛି। ପଥରକୁ ଯୋଡ଼େଇ କରି ରଖିଥିବା କ୍ଲାମ୍ପ୍ରେ ବି କଳଙ୍କି ଲାଗିଯାଇଛି। ବିଭିନ୍ନ ଖୋଦେଇ ପଥର ସବୁ ଲଗାଇ ରତ୍ନଭଣ୍ଡାରର ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ, ଡିସେମ୍ବର ୧୭ରୁ କାମ ଆରମ୍ଭ ହୋଇଥିବାବେଳେ ଇତିମଧ୍ୟରେ ନୀତିକାନ୍ତି କାରଣରୁ ୧୩ ଦିନ କାମ ବନ୍ଦ ରହିଛି। ମାତ୍ର ୩୦ ଦିନ କାମ କରି ପାରିଛନ୍ତି। ଆଗକୁ ଆଉ ୪ ଦିନ ବନ୍ଦ ରହିବ।