ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ପକ୍ଷୀ ଓ କୁମ୍ଭୀର ଗଣନା ତାଲିକା ପ୍ରକାଶ ପାଇଛି। ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ କୁମ୍ଭୀର ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। ଅନ୍ୟପଟେ ପକ୍ଷୀ ସଂଖ୍ୟା କମିଥିବା ବେଳେ ନୂତନ ପ୍ରଜାତି ପକ୍ଷୀ ସାତକୋଶିଆ ଆସି ନଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ଅଭୟାରଣ୍ୟରେ ଥିବା ମହାନଦୀ ଗଣ୍ଡ ସମେତ ଅନ୍ୟ ଜଳାଶୟଗୁଡ଼ିକରେ ଗତ ୧୦ ତାରିଖରେ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଥିଲା। ଜାନୁଆରି ୬ରୁ ୮ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ଓ ୧୦ତାରିଖ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପକ୍ଷୀ ଗଣନା ହୋଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡାଙ୍କ ସୂଚନା ମୁତାବକ, ଚଳିତବର୍ଷ ମହାନଦୀ ଗଣ୍ଡରେ ୯୭ଟି ମଗର ଓ ୧୪ଟି ଘଡ଼ିଆଳ ସହ ମୋଟ୍ ୧୧୧ଟି କୁମ୍ଭୀର ଠାବ କରାଯାଇଛି। ଗତବର୍ଷ ୮୩ଟି ମଗର ଓ ୭ଟି ଘଡ଼ିଆଳ ସହ ମୋଟ୍ ୯୦ଟି କୁମ୍ଭୀର ଥିବା ବେଳେ ଚଳିତବର୍ଷ ୨୧ଟି କୁମ୍ଭୀର ବଢ଼ିଥିବା ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଇଣ୍ଡିଆନ୍ ସ୍କିମର୍, ବ୍ଲାକ୍-ବେଲିଡ୍-ଟର୍ଣ୍ଣ, ଡାର୍ଟର୍ ଓ ଗ୍ରେଟ୍ ଥିକ୍ ନି ଭଳି ୮୧ ପ୍ରଜାତିର ୩ ହଜାର ୩୩୦ଟି ପକ୍ଷୀ ମହାନଦୀ ଗଣ୍ଡକୁ ଆସିଛନ୍ତି। ଏସବୁ ପକ୍ଷୀ ଉତ୍ତର ଗୋଲାର୍ଦ୍ଧ ଅଞ୍ଚଳରୁ ଆସିଥିବା ବେଳେ ଚଳିତ ବର୍ଷ କୌଣସି ନୂଆ ପ୍ରଜାତିର ପକ୍ଷୀ ଆସିନଥିବା ଡିଏଫ୍ଓ ଶ୍ରୀ ପଣ୍ଡା କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ୬୩ଟି ପ୍ରଜାତିର ପକ୍ଷୀ ମଧ୍ୟରେ ୩ ହଜାର ୮୭୮ଟି ପକ୍ଷୀ ସାତକୋଶିଆକୁ ଆସିଥିଲେ। ନୂଆ ପ୍ରଜାତିର ପକ୍ଷୀ ଭାବରେ କମନ୍ ମର୍ଗାନ୍ସର୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ଚଳିତବର୍ଷ ପୂର୍ବବର୍ଷ ଅପେକ୍ଷା ୫୪୮ଟି ପକ୍ଷୀ କମ୍ ଆସିଥିବା ଜଣାପଡ଼ିଛି। ୧୫ଟି ଦଳ ଦେଶୀ ଡଙ୍ଗା ସାହାଯ୍ୟରେ ଏହି ଗଣନାରେ ସାମିଲ୍ ହୋଇଥିଲେ। ଏଥିରେ ବନ କର୍ମଚାରୀଙ୍କ ସମେତ ଓୟୁଏଟି ଛାତ୍ରଛାତ୍ରୀ ଓ ଏନ୍ଜିଓ କାର୍ଯ୍ୟକର୍ତ୍ତା ମଧ୍ୟ ଅଂଶ ଗ୍ରହଣ କରିଥିଲେ।
ସାତକୋଶିଆ ଅଭୟାରଣ୍ୟରୁ ଆସିଲା ରିପୋର୍ଟ: ବଢ଼ିଛନ୍ତି କୁମ୍ଭୀର, କମିଛନ୍ତି ପକ୍ଷୀ
ଏବର୍ଷ ନୂଆ ପ୍ରଜାତିର ପକ୍ଷୀ ଆସିନାହାନ୍ତି, ବଢ଼ିଛନ୍ତି ୨୧ କୁମ୍ଭୀର, ସନ୍ତୋଷଜନକ ନୁହେଁ