ବିଛିନ୍ନାଞ୍ଚଳର ଓଡ଼ିଆଙ୍କୁ ଭେଟିଲେ ‘ସମ୍ୱାଦ’ ସାହିତ୍ୟଘର ପ୍ରତିନିଧିମଣ୍ଡଳୀ

ବାଲେଶ୍ବର: ‘ସମ୍ୱାଦ’ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ଝାଡ଼ଖଣ୍ଡର ଷଢେଇକଳା ଯାଇ ସେଠାକାର ଓଡ଼ିଆମାନଙ୍କୁ ଭେଟିଥିଲେ। ପୂର୍ବରୁ ଷଢେଇକଳା, ଖରସୁଆଁ ଓ ସିଂହଭୂମି ଓଡ଼ିଶାରେ ଅନ୍ତର୍ଭୁକ୍ତ ଥିଲେ ମଧ୍ୟ ତତ୍କାଳୀନ ରାଜନୈତିକ ଚକ୍ରାନ୍ତରେ ଶିକାର ହୋଇ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ଯାଇଥିଲା। ଏହି ଅଞ୍ଚଳ ଏବେ ଝାଡ଼ଖଣ୍ଡ ରାଜ୍ୟରେ ରହିଛି। ଝଡ଼ଖଣ୍ଡରେ ଓଡ଼ିଆ ଭାଷା ଦ୍ୱିତୀୟ ରାଜଭାଷାର ମାନ୍ୟତା ପାଇଛି। ତଥାପି ଏ ପର୍ଯ୍ୟନ୍ତ ଓଡ଼ିଆମାନେ ଶିକ୍ଷା କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି। ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଉଦ୍ୟମରେ ଯେଉଁ ଓଡ଼ିଆ ବିଦ୍ୟାଳୟମାନ ସେ ଅଞ୍ଚଳରେ ଗଢି ଉଠିଥିଲା ସେ ସବୁ ଏବେ ଅବହେଳିତ ଅବସ୍ଥାରେ ରହିଛି। ତଥାପି ଏଠାକାର ଓଡ଼ିଆମାନେ ସେମାନଙ୍କ ଭାଷା, ସଂସ୍କୃତି ଓ କଳାକୁ ଭୁଲିପାରି ନାହାନ୍ତି। ଆଜି ବି ଏଠାକାର ପ୍ରତ୍ୟେକ ଓଡ଼ିଆ ଘର ସାମ୍ନାରେ ଓଡ଼ିଆରେ ନାମଫଳକ, ଓଡ଼ିଆ ସଂସ୍କୃତି ତଥା ଜୀବନଚର୍ଯ୍ୟା ଦେଖି ଗସ୍ତରେ ଯାଇଥିବା ପ୍ରତିନିଧିମଣ୍ଡଳ ଅଭିଭୂତ ହୋଇ ପଡ଼ିଥିଲେ।

ଏହି ପ୍ରତିନିଧିମଣ୍ଡଳୀ ନିକଟରେ ପ୍ରବୀଣ ସାମ୍ୱାଦିକ କାର୍ତ୍ତିକଚନ୍ଦ୍ର ପରିଚ୍ଛା, ବ୍ୟବସାୟୀ ସନ୍ତୋଷ କୁମାର କର, ଛଉ ନୃତ୍ୟଗୁରୁ ଗଣେଶ ଚନ୍ଦ୍ର ମହାନ୍ତ, ବିମଳା ମହାନ୍ତ ପ୍ରମୁଖ ବିଛିନ୍ନାଞ୍ଚଳ ଓଡ଼ିଆଙ୍କ ଦୁଃଖ ବଖାଣିଥିଲେ। ପ୍ରତିନିଧିମଣ୍ଡଳୀର ଅନ୍ୟତମ ସଦସ୍ୟ ଇଂ ମନୋଜ ଦଳବେହେରା, ଶିଉଲାଲ ମହାନ୍ତ, ଶତ୍ରୁଘ୍ନ ସାହୁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଝାଡ଼ଖଣ୍ଡର ଓଡ଼ିଆମାନଙ୍କ ସମସ୍ୟା ପାଇଁ କେବଳ ସେଠାକାର ଓଡ଼ିଆ ନୁହେଁ ଓଡ଼ିଶାରେ ବସବାସ କରୁଥିବା ଓଡ଼ିଆମାନେ ମଧ୍ୟ ବ୍ୟଥିତ ବୋଲି ଡ. ଲେଙ୍କା ଜଣାଇଥିଲେ। ଏଥର ଦୁଇ ରାଜ୍ୟର ଓଡ଼ିଆଙ୍କ ଭିତରେ ସଂପର୍କର ସେତୁ ଭାବରେ ‘ସମ୍ୱାଦ’ ସାହିତ୍ୟଘର କାର୍ଯ୍ୟ କରିବ ବୋଲି ସେ ଆଶା ପ୍ରକଟ କରିଥିଲେ। ପ୍ରାରମ୍ଭରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ଆଲୋଚନା ଶେଷରେ ଝାଡ଼ଖଣ୍ଡର ଅନ୍ୟ ଏକ ଓଡ଼ିଆପ୍ରଧାନ ଅଞ୍ଚଳ ଖରସୁଆଁ ଅଭିମୁଖେ ପ୍ରତିନିଧିମଣ୍ଡଳ ଯାତ୍ରା କରିଥିଲେ।

ସମ୍ବନ୍ଧିତ ଖବର