ସୁନ୍ଦରଗଡ଼: ବୁଧବାର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଆର୍ଥିକ ସଂସ୍ଥାର କ୍ଷତିଗ୍ରସ୍ତ ଶହ ଶହ ଜମାକାରୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣସତ୍ୟାଗ୍ରହ କରିଥିଲେ। ଏହା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ପରିପକ୍ବ ଜମା ଟଙ୍କା ଅବିଳମ୍ବେ ଫେରସ୍ତ ପାଇଁ ଦାବି କରିଥିଲେ। ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ନେତୃତ୍ବରେ ଅନୁଷ୍ଠିତ ଏହି ଗଣସତ୍ୟାଗ୍ରହରେ ଜିଲ୍ଲାର ଜିଏନD ଗୋଲ୍ଡ, ସାଇପ୍ରସାଦ, ସାଇପ୍ରକାଶ, ପିଏସିଏଲ୍, ପିଆଇସିଏଲ୍, ମାଇକ୍ରୋ ଫାଇନାନ୍ସ, ଗୋଲଡେନ୍ ଲ୍ୟାଣ୍ଡ, ଗ୍ରିନରେ, ରୋଜଭ୍ୟାଲି, ସାରଦା, ସାହାରା, ଅର୍ଥତତ୍ତ୍ବ, ସିସୋର ଆଦି କମ୍ପାନିରେ କ୍ଷତିଗ୍ରସ୍ତ ଜମାକାରୀ ଯୋଗ ଦେଇ ସରକାରଙ୍କ ଉପରେ ବର୍ଷିଥିଲେ। ଅତୀତରେ ଜମାକାରୀଙ୍କୁ କମ୍ପାନିମାନେ ଚୂନ ଲଗାଇଥିବାବେଳେ ଏବେ ସରକାର ଜମାକାରୀଙ୍କ ଅର୍ଥରେ ସୃଷ୍ଟ କମ୍ପାନି ସମ୍ପତ୍ତି ନିଲାମ କରି ହଡ଼ପ କରୁଛନ୍ତି ବୋଲି କହିଥିଲେ।
ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ୨୦୧୨ରୁ ବିଭିନ୍ନ ତହସିଲ, ଜିଲ୍ଲା ସଦରମହକୁମା ଓ ଭୁବନେଶ୍ବରଠାରେ ଜମା ଟଙ୍କାର ପରିପକ୍ବ ରାଶି ଦାବି କରିଥିଲେ ମଧ୍ୟ ସରକାର କେବଳ ପ୍ରତିଶ୍ରୁତି ଦେଇ ଟଙ୍କା ଫେରସ୍ତ କରୁ ନଥିବା ଅଭିଯୋଗ ରହିଛି। ସେହିପରି ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମାଇକ୍ରୋ ଫାଇନାନ୍ସ, ଜିଏନ ଗୋଲ୍ଡ ସଂସ୍ଥାର ମୂଲ୍ୟବାନ କୋଠାବାଡ଼ି ସମ୍ପତ୍ତି ଥିଲେ ମଧ୍ୟ ସରକାର ତାକୁ ଜବତ କଲେ ନାହିଁ। ସ୍ବତନ୍ତ୍ର କୋର୍ଟ ଓପିଡା ଆଇନ ଅନୁଯାୟୀ ଗୋଲ୍ଡେନ ଲ୍ୟାଣ୍ଡ ସଂସ୍ଥାର ସମ୍ପତ୍ତି ବିକ୍ରି କରି ଜମାକାରୀଙ୍କୁ ଟଙ୍କା ଫେରସ୍ତ ଆଦେଶ କରିଥିଲେ। କିନ୍ତୁ ସରକାର ସର୍ବସାଧାରଣରେ ଅବଗତ ନକରି ଇ-ଅକ୍ସନ ଓ ଇ-ବିଡିଂ କରି ବଜାର ଦରର ଏକ ଦଶମାଂଶ ଦାମରେ ଅଭାବୀ ବିକ୍ରି କରାଇ ଜମାକାରୀଙ୍କ ଟଙ୍କା ଫେରସ୍ତ ରାସ୍ତା ସଂକୁଚିତ କରାଯାଇଛି ଏବଂ ସରକାର ବିକ୍ରି ଅର୍ଥକୁ ଚଳୁ କରି ଦେଇଛନ୍ତି। ସରକାର ଟଙ୍କା ରଖିଥିଲେ ମଧ୍ୟ ଫେରସ୍ତ କରୁ ନାହାନ୍ତି।
ମାଇକ୍ରୋ ଫାଇନାନ୍ସର ହଜାର ହଜାର କୋଟି ଟଙ୍କାର ସମ୍ପତ୍ତିର ମାଲିକାନା ମାଲିକ ଓ ନିର୍ଦ୍ଦେଶକମାନେ ହସ୍ତାନ୍ତର କରିଥିଲେ ମଧ୍ୟ ପୁଲିସ, ପ୍ରଶାସନ, ଅର୍ଥନୈତିକ ଅପରାଧ ଶାଖା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୌଣସି ପଦକ୍ଷେପ ନେଲେ ନାହିଁ। ଅସାଧୁ କମ୍ପାନିମାନଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ଦେଖାଇ ଲକ୍ଷ ଲକ୍ଷ ଜମାକାରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଥିବା ମଞ୍ଚ ଅଭିଯୋଗ କରିଛି। ଏହି ପରିପ୍ରେକ୍ଷୀରେ ସଂସ୍ଥାର ମୁଖ୍ୟମାନଙ୍କୁ ଗିରଫ କରି ତାଙ୍କ ବ୍ୟାଙ୍କ ଜମା, ସମ୍ପତ୍ତି ଜବତ କରିବା ସହ ସେଗୁଡ଼ିକର ନିଲାମ କରି ଜମାକାରୀଙ୍କୁ ସୁଧ ସହ ଟଙ୍କା ଫେରସ୍ତ କରିବା, ଅନାଧିକୃତ ଜମାରାଶି ସଂଗ୍ରହ ମହାଠକେଇର ତଦନ୍ତ କରୁଥିବା କମିସନ ଚୂଡ଼ାନ୍ତ ରିପୋର୍ଟ ଦେବା, ଅନ୍ୟ ସମସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ କରି ଜମାଟଙ୍କା ଫେରସ୍ତ ପାଇଁ ମଞ୍ଚ ଦାବି କରିଛି। ଗଣସତ୍ୟାଗ୍ରହରେ ମଞ୍ଚ ଆବାହକ ଜୟନ୍ତ ଦାସ, ସାଧାରଣସମ୍ପାଦକ ମଧୁସୂଦନ ବିଶ୍ବାଳ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ସାହାରା ଜମାକାରୀ ମଞ୍ଚ ସଭାପତି ବିଜୟ ପାଢ଼ୀ, ଜନ ଆନ୍ଦୋଳନ ନେତା ରାଜେନ୍ଦ୍ର ନାଏକ, ସନ୍ତୋଷ ଆଚାର୍ଯ୍ୟ, ନରେଶ ମେହେର, ପାଉଲ ମେହେର, ରମେଶ ମହାନନ୍ଦିଆ, ସନ୍ତୋଷିନୀ ପଣ୍ଡା, ପ୍ରମୋଦ ସାଏ, ବିତନା ମାଝୀ, ବୈଷ୍ଣବ ସା, ଟୁଲୁ ବାର୍ଲା, ଗିରିଧାରୀ ବାଗ, ବୀରେନ୍ଦ୍ର ଧ୍ରୁପା, ସୁକାନ୍ତି କିସାନ, ଦୁଷ୍ମନ୍ତ ଭୋଇ, ଅହଲ୍ୟା ବଢ଼େଇ ପ୍ରମୁଖ ବକ୍ତବ୍ୟ ରଖି ସରକାରଙ୍କୁ ସମାଲୋଚନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଆନ୍ଦୋଳନସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ।