ସୁନ୍ଦରଗଡ଼: ଗତ ୬ ତାରିଖ ସୁନ୍ଦରଗଡ଼ ଜନଗହଳିପୂର୍ଣ୍ଣ ରାସ୍ତାରୁ ଝାଡ଼ଖଣ୍ଡ ରାଜ୍ୟର ୨ ନିବସ୍ତ୍ର ମହିଳା ଉଦ୍ଧାର ପରଠାରୁ ଗୋଟିଏ ପରେ ଗୋଟିଏ ଛାତିଥରା ତଥ୍ୟ ପଦାକୁ ଆସୁଛି। ଆସ୍ଥାଗୃହରେ କାଉନ୍ସେଲିଂ ପରେ ମହିଳା ନିଜ ପରିଚୟ ଦେବା ସହ କହିଛନ୍ତି ଯୌନ ନିର୍ଯାତନାର ବୀଭତ୍ସ କାହାଣୀ। ମା’ ଓ ତାଙ୍କ ୩ ଝିଅଙ୍କୁ ଗଁାର ମିଥୁନ ନାମକ ଜଣେ ଯୁବକ ବାରମ୍ବାର ଦୁଷ୍କର୍ମ କରୁଥିବା କଥା ଶନିବାର ସୂଚନା ମିଳିଥିଲା। ୨ ଦିନର ଚିକିତ୍ସା ଓ ଏକ ବିଶେଷଜ୍ଞ ଦଳର କାଉନ୍ସେଲିଂ ପରେ ରବିବାର ମହିଳା ଯେଉଁ ଅଭିଯୋଗଟି ଆଣିଛନ୍ତି, ତାହା ଯେତିକି ଅମାନୁଷିକ, ସେତିକି ବର୍ବର। ମହିଳାଙ୍କ କହିବା ଅନୁସାରେ, ଯୌନରାକ୍ଷସ ମିଥୁନ ହେଉଛି ତାଙ୍କ ଦିଅର। ସେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ପରେ ଝିଅମାନଙ୍କ ଇଜ୍ଜତ ଉପରେ ମଧ୍ୟ ହାତ ଦେଇଥିଲା।
ମୂକ ସାନଝିଅକୁ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିବା ପରେ ସେ ତାକୁ ନେଇ ଘରଛାଡ଼ି ଚାଲିଆସିଲେ। ଅନ୍ୟ ଦୁଇଝିଅ କେମିତି ଅଛନ୍ତି, ସେ ସମ୍ପର୍କରେ ସେ କିଛି ଜାଣି ନଥିବା କହିଛନ୍ତି। ତେବେ ଝାଡ଼ଖଣ୍ଡର ନିଜ ଗାଁରୁ ସୁନ୍ଦରଗଡ଼ ପ୍ରାୟ ଶହେ କିଲୋମିଟର ବାଟ କେମିତି ଆସିଲେ, କେଉଁ ଅବସ୍ଥାରେ ଉଲଗ୍ନ ହେଲେ, ବାଟରେ କୌଣସି ଅଘଟଣ ଘଟିଲା କି ସେ ସମ୍ପର୍କରେ କିଛି କହି ନଥିବା ପ୍ରକାଶ କରିଛନ୍ତି ଆସ୍ଥାଗୃହ ସମ୍ପାଦିକା ସ୍ନେହଲତା ପଟେଲ। ଗତ ୬ ତାରିଖ ମଧ୍ୟାହ୍ନ ୧୨ଟାରେ ସୁନ୍ଦରଗଡ଼ ଜନଗହଳିପୂର୍ଣ୍ଣ କଲେଜରାସ୍ତାରେ ସମ୍ପୂର୍ଣ୍ଣ ଉଲଗ୍ନହୋଇ ଚାଲିଥିଲେ। ସେମାନେ ପ୍ରାୟ ୧ କିଲୋମିଟର ଚାଲିଥିଲେ ବି ରାସ୍ତାରେ ଲୋକମାନେ ନିରୁଦ୍ବିଗ୍ନ ଦେଖଣାହାରୀ ସାଜିଥିଲେ। ଏହି ସମୟରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଲିଥିବା ଆଦିବାସୀ ମେଳିରେ ସାମିଲ ହେବାକୁ ସେହିବାଟ ଦେଇ ଆସୁଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ। ନିଜ ଉତ୍ତରୀୟ ଆଣି ସେମାନଙ୍କୁ ପିନ୍ଧାଇବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ପରେ ସଦରଥାନା ପୁଲିସ ଓ ଆସ୍ଥାଗୃହର ସମ୍ପାଦିକା ସ୍ନେହଲତା ପଟେଲ ପହଞ୍ଚିବା ପରେ ସେମାନଙ୍କୁ ଆସ୍ଥାଗୃହକୁ ନିଆଯାଇଥିଲା। ଦୁଇ ମହିଳାଙ୍କୁ ଆସ୍ଥା ଗୃହରେ ସମ୍ପାଦିକା ସ୍ନେହଲତା ପଟେଲଙ୍କ ତତ୍ତ୍ବାବଧାନରେ ରଖାଯାଇଛି।
ଉଦ୍ଧାର ସମୟରେ ଦୁଇଜଣଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା, ସେମାନଙ୍କ ମୁହଁରୁ କୌଣସି କଥା ବି ବାହାରୁନଥିଲା। ଚିକିତ୍ସା ପରେ ମା’ ମୁହଁ ଖୋଲିଛନ୍ତି। ଜଣାପଡ଼ିଛି, ଏମାନେ ସମ୍ପର୍କରେ ମା’ ଓ ଝିଅ। ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟରେ ସେମାନଙ୍କ ଘର। ସେମାନଙ୍କ ନାମ ବି କହିଛନ୍ତି। ପରିବାରରେ ମା’ ଓ ତିନିଝିଅ ରହିଛନ୍ତି। ୨ ଜଣ ଚାଲି ଆସିଥିବାବେଳେ ଅନ୍ୟ ୨ ଝିଅ କେମିତି ଅଛନ୍ତି ସେ କଥା ମା’ଙ୍କୁ ଜଣାନାହିଁ। ଗଣମାଧ୍ୟମରେ ଏହି ସମ୍ବେଦନଶୀଳ ଖବରଟି ପ୍ରକାଶ ପାଇବା ପରେ ଶନିବାର ସଦରଥାନା ପୁଲିସ ଆସ୍ଥାଗୃହକୁ ଯାଇ ମହିଳାଙ୍କ ବୟାନ ନେଇଛି। ଏହି ବର୍ବର ଘଟଣାର ସତ ସାମ୍ନାକୁ ଆଣି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟିକା ଶ୍ରୀମତୀ ଟେଟେ ଦାବି କରିଛନ୍ତି। ଆସ୍ଥାଗୃହରେ ଥିବା ଦୁଇ ମହିଳାଙ୍କୁ ଚିହ୍ନଟ ପାଇଁ ପୁଲିସର ପ୍ରୟାସ ଆରମ୍ଭ ହୋଇଛି। ପୁଲିସ ଜିଲ୍ଲା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ର ସୀମାନ୍ତ ନିକଟବର୍ତ୍ତୀ ଥାନାକୁ ମା’ ଓ ଝିଅଙ୍କ ଫଟୋ ପଠାଇଛି। ସେମାନଙ୍କୁ ଚିହ୍ନଟ କରିବା ପରେ ଆଗାମୀ ପଦକ୍ଷେପ ନିଆଯିବ। କାଲିଠାରୁ ସ୍ୱତନ୍ତ୍ର ଟିମ୍ ଆସ୍ଥାଗୃହ ଯାଇ ତଦନ୍ତ କରିବ। ମା ଓ ଝିଅଙ୍କ ସହ କ’ଣ ଘଟିଥିଲା ସେ ନେଇ ପଚରାଉଚରା କରିବ ବୋଲି ପୁଲିସ କହିଛି।
୮୯% ମାମଲାରେ ଚିହ୍ନା- ପରିଚିତଙ୍କ ସମ୍ପୃକ୍ତି ଥାଏ
ଦେଶରେ ଘଟୁଥିବା ଦୁଷ୍କର୍ମ ମଧ୍ୟରୁ ପ୍ରାୟ ୮୯% ମାମଲାରେ ଚିହ୍ନାପରିଚିତଙ୍କ ସମ୍ପୃକ୍ତି ରହିଥାଏ। ସେମାନେ ପରିବାର, ପଡ଼ୋଶୀ, ସମ୍ପର୍କୀୟ, ଦୂର ସମ୍ପର୍କୀୟ, ଆଖପାଖ ଅଞ୍ଚଳର ଲୋକ ହୋଇପାରନ୍ତି। ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି) ତଥ୍ୟ ଅନୁସାରେ, ୨୦୨୧ରେ ଦେଶରେ ୩୧ ହଜାର ୬୭୭ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ସେଥିରୁ ୨୮ ହଜାର ୧୪୭ରେ ଚିହ୍ନାପରିଚିତଙ୍କ ସମ୍ପୃକ୍ତି ଥିଲା। ସମାଜସେବୀ ନମ୍ରତା ଚଢ଼ାଙ୍କ କହିବା ଅନୁସାରେ, ମହିଳାଙ୍କୁ ପରିବାରର ଦୁର୍ବଳ ଶ୍ରେଣୀର ବୋଲି ଗ୍ରହଣ କରି ନିଆଯାଉଛି। ସମ୍ପର୍କୀୟ, ଚିହ୍ନାପରିଚିତ ବ୍ୟକ୍ତି ଯୌନ ନିର୍ଯାତନା ଦେଲେ ସେମାନେ ମୁହଁ ଖୋଲିପାରିବେ ନାହିଁ ବୋଲି ଭାବନ୍ତି। ଅଧିକାଂଶ କ୍ଷେତ୍ରରେ ସେମାନଙ୍କୁ ଡରାଇ, ଧମକାଇ ମୁହଁ ବନ୍ଦ କରିଦିଅନ୍ତି। ପରିବାରର ସମ୍ମାନ ତଳେ ପଡ଼ିଯିବ ବୋଲି ଭାବି ପରିବାର ଲୋକ ମଧ୍ୟ କେତେକ ଘଟଣା ସମ୍ପର୍କରେ ଜାଣିଲେ ବି ମୁହଁ ଖୋଲନ୍ତି ନାହିଁ। ସେଥିପାଇଁ ଅନେକ ଘଟଣା ଲୁଚିଯାଏ। ଶ୍ରୀମତୀ ଚଢ଼ା କହିଛନ୍ତି, ଏଭଳି ଘଟଣାକୁ ଶୂନ୍ୟ ସହନଶୀଳତା (ଜିରୋ ଟଲରାନ୍ସ) ଭାବେ ଗ୍ରହଣ କରାଯିବା ଦରକାର। ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳା ଥାନାକୁ ଆସିବା ଦରକାର। ପରିବାର ଲୋକ ମଧ୍ୟ ଆଇନର ଆଶ୍ରୟ ନେବା ଜରୁରି।