କଟକ : ଖାଲି ପଡ଼ିଥିବା ଓଡ଼ିଶା ମାନବାଧିକାର କମିସନ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ କରାଯାଇଛି। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ଅଧ୍ୟକ୍ଷ ଓ ଅସୀମ ଅମିତାଭ ଦାଶଙ୍କୁ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଅନ୍ୟପକ୍ଷରେ ମାନବାଧିକାର କମିସନ୍ ସଦସ୍ୟ ଜଷ୍ଟିସ ରଘୁବୀର ଦାଶ ନିଜ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଏହା ଗ୍ରହଣ କରାଯାଇ ନାହିଁ। ଆଜି ହାଇକୋର୍ଟରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଏଭଳି ତଥ୍ୟ ଉପସ୍ଥାପନ କରାଯାଇଛି।
ମାନବାଧିକାର କମିସନରେ ଖାଲି ପଡ଼ିଥିବା ପଦ ଇତିମଧ୍ୟରେ ପୂରଣ ହୋଇ ସାରିଥିବା ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ମାନବାଧିକାର କମିସନରେ ଖାଲି ପଡ଼ିଥିବା ସଦସ୍ୟ ପଦ ପୂରଣ ପ୍ରସଂଗ ନେଇ ଗତ ବର୍ଷ ଏହି ମାମଲା ଦାୟର ହୋଇଥିଲା।