କଟକ: ନାରୀଙ୍କୁ ସମ୍ମାନ ଦେବା ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା। ଏହି ସମାବେଶର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡ଼ିଶାର ନାରୀଶକ୍ତିକୁ ଆମର ସବୁଠାରୁ ଶ୍ରେଷ୍ଠ ଶକ୍ତି କରି ଗଢ଼ି ତୋଳିବା। ସରକାରର ଏକ ବର୍ଷ ପୂରଣ ପରେ ଦ୍ୱିତୀୟ ବର୍ଷର ପ୍ରଥମ କାର୍ଯ୍ୟକ୍ରମ ହେଉଛି, ଆମର ଏହି ନାରୀ ଶକ୍ତି ସମାବେଶ। କାରଣ ଆମେ ବିଶ୍ବାସ କରୁ ଯେ ଯେତେଦିନ ପର୍ଯ୍ୟନ୍ତ ଅଧା ଜନସଂଖ୍ୟାର ବିକାଶ ହୋଇନାହିଁ, ରାଜ୍ୟ କେବେ ବି ବିକଶିତ ହୋଇ ପାରିବ ନାହିଁ। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଶୁକ୍ରବାର କଟକର ଐତିହାସିକ ବାଲିଯାତ୍ରା ପଡ଼ିଆଠାରେ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକର ଭାଇଚାରା ଅନନ୍ୟ। କଟକ ମାଟିକୁ ରମାଦେବୀ, ମାଳତୀ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣାଙ୍କ ଭଳି ମହାମନିଷୀ ସେମାନଙ୍କ ସଂଗ୍ରାମଭୂମି କରିଛନ୍ତି। ଏଭଳି ଐତିହାସିକ ମାଟିରେ ମହିଳାମାନଙ୍କ ସଶକ୍ତୀକରଣ ପାଇଁ ଏହି ସମାବେଶ କରାଯାଇଛି। ‘ସୁଭଦ୍ରା’କୁ ଯୁଗାନ୍ତକାରୀ ଯୋଜନା ଭାବେ ବର୍ଣ୍ଣନା କରିବା ସହ ଘରକୁ ଘର ବୁଲି ଅଧିଂକାଶ ପରିବାର ସହ ଆମେ ଯୋଗାଯୋଗ କରିଛୁ। ବିଶେଷ କରି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ତଥ୍ୟ ଅଣାଯାଇ ସେଠାକାର ମହିଳାମାନଙ୍କୁ ଏହି ଯୋଜନାରେ ଯୋଡ଼ାଯାଇଛି। ‘ସୁଭଦ୍ରା’ ଯୋଜନାର ସଫଳତା ଆମ ବଳିଷ୍ଠ ସଂକଳ୍ପର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ ‘ସୁଭଦ୍ରା’ ସହାୟତା ହେଉଛି ମା’ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାର ଏକ ଲମ୍ବା ଯାତ୍ରା। ଏହାଛଡ଼ା ମହିଳାଙ୍କୁ ଆର୍ଥିକସ୍ତରରେ ସ୍ବାବଲମ୍ବୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ‘ଲକ୍ଷପତି ଦିଦି’ ଯୋଜନାର ପରିକଳ୍ପନା କରିଥିଲେ। ଏହା ଆମ ରାଜ୍ୟର ମା’ମାନଙ୍କ ପାଇଁ ଖୁସିର ବିଷୟ ଯେ ଓଡ଼ିଶା ବର୍ତ୍ତମାନ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ସମଗ୍ର ଭାରତରେ ପ୍ରଥମ ସ୍ଥାନରେ ଅଛି। ଆମେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛୁ। ଚଳିତବର୍ଷ ବଜେଟ୍ରେ କେବଳ ମହିଳାଙ୍କ ପାଇଁ ୮୯ ହଜାର ୮୬୧ କୋଟି ଟଙ୍କାର ବ୍ୟବସ୍ଥା ସେମାନଙ୍କ ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। କଟକରେ ଲକ୍ଷପତି ଦିଦି ନୁହନ୍ତି, ବରଂ ୪ଲକ୍ଷପତି ତିଆରି ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ନାରୀଶକ୍ତିର ଅମୃତ ଚେତନାରେ ଉଦ୍ଦୀପିତ ହୋଇ ଏକ ବିକଶିତ, ସମୃଦ୍ଧ ଏବଂ ଗର୍ବିତ ଓଡ଼ିଶା ଗଢ଼ିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ ଆଜିର ଉତ୍ସବ କେବଳ ସମ୍ମାନର ନୁହେଁ, ବରଂ ଓଡ଼ିଶାକୁ ସମାନତା, ସମୃଦ୍ଧି ଓ ପ୍ରଗତିର ରାଜ୍ୟ ଭାବେ ଗଠନ କରିବାର ଏକ ସଂକଳ୍ପ ଉତ୍ସବ। ଆଗାମୀ ବର୍ଷରେ ଆମେ ପ୍ରତି ପରିବାରର ଜଣେ ଲକ୍ଷପତି ଦିଦି ଓ ପ୍ରତି ପଞ୍ଚାୟତରେ ଜଣେ କରୋଡ଼ପତି ଦିଦି ସୃଷ୍ଟି କରିବୁ। ରାକ୍ଷୀ ପୂର୍ଣ୍ଣିମାରେ ‘ସୁଭଦ୍ରା’ ଯୋଜନାର ୩ୟ କିସ୍ତି ଟଙ୍କା ସମସ୍ତଙ୍କୁ ଆକାଉଣ୍ଟକୁ ଯିବ ବୋଲି ଶ୍ରୀମତି ପରିଡା କହିଥିଲେ।
କଟକ ସାଂସଦ ଭର୍ତ୍ତୃହରି ମହାତାବ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ କେନ୍ଦ୍ର ସରକାରଙ୍କ ୧୧ବର୍ଷ ପୂର୍ତ୍ତି ଓ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ସଫଳତାର କାହାଣୀ ବଖାଣିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପୋଷଣ ଅଭିଯାନରେ ତୃଣମୂଳସ୍ତରରୁ ରାଜ୍ୟସ୍ତରର ବିଭିନ୍ନ ଲିଖିତ ଓ ଫଟୋଚିତ୍ର ସମ୍ବଳିତ ଏକ କଫି ଟେବୁଲ ବୁକ୍ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏଥିସହିତ ମହିଳା ସଶକ୍ତୀକରଣ ବିଭାଗ ଦ୍ୱାରା ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଙ୍ଗନବାଡ଼ି କର୍ମୀ, ‘ସୁଭଦ୍ରା’ ଯୋଜନା ହିତାଧିକାରୀ, ଲକ୍ଷପତି ଦିଦି ଓ ସଫଳ ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଜିଲ୍ଲାସ୍ତରୀୟ ବିକାଶ ମେଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ସହ ବିକାଶ ସଚେତନତା ରଥର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ଧନ୍ୟବାଦ ଦେଇଥିଲେ।
ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଆୟୋଜିତ ଏହି ସମାବେଶରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, କଟକ ସଦର ବିଧାୟକ ପ୍ରକାଶଚନ୍ଦ୍ର ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।