ଅନୁଗୁଳ: ଦିନେ ଅସାମାଜିକ ଲୋକଙ୍କୁ ଦେଖିଲେ ଭୟରେ ଏମାନଙ୍କ ଛ‌ାତି ଥରି ଉଠୁଥିଲା। ନିଜ ସୁରକ୍ଷା ପାଇଁ ଏମାନେ ଆଉ କାହାର ସାହାରା ଲୋଡ଼ୁଥିଲେ। କିନ୍ତୁ ଏବେ ସେମାନଙ୍କ ନାଁ ଶୁଣିଲେ ଅସାମାଜିକଙ୍କ ନିଦ ହଜି ଯାଉଛି। ଆମେ କହୁଛୁ, ଅନୁଗୁଳ ଜିଲ୍ଲାର ୫ ଜଣ ମହିଳା ପୁଲିସ ଅଧିକାରୀଙ୍କ ବିଷୟରେ। ଯେଉଁମାନେ ଅପରାଧୀଙ୍କୁ ସାବାଡ୍‌ କରି ନିଜ ପରିଚୟ ତିଆରି କରିପାରିଛନ୍ତି। ବର୍ତ୍ତମାନ ଏମାନଙ୍କ କାନ୍ଧରେ ରହିଛି ଜିଲ୍ଲାର ୫ ସମ୍ବେଦନଶୀଳ ଥାନାର ଦାୟିତ୍ବ। ଏହି ମହିଳା ଅଧିକାରୀଙ୍କ ଉପରେ ଲକ୍ଷ ଲକ୍ଷ ଲୋକଙ୍କ ସୁରକ୍ଷା ଦାୟିତ୍ବ ରହିଥିଲା ବେଳେ ସେମାନେ ବହୁ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।

Advertisment

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନାର ଭାରପ୍ରାପ୍ତ ଅଧିକାରୀ ଅଛନ୍ତି ଆଇପିଏସ୍‌ ପ୍ରୋବେସନର୍‌ ବର୍ଷିତା ଆଡେପୁ। ଏହି ଶିଳ୍ପ ବହୁଳ ଅଞ୍ଚଳରେ ଜଣେ ମହିଳା ଅଧିକାରୀ ଭାବେ କାମ କରିବା ତାଙ୍କ ପାଇଁ ଆରମ୍ଭରୁ ସହଜ ନ ଥିଲା। ଏକ ବଡ଼ ଡକାୟତି ଘଟଣାର ରହସ୍ୟ ଭେଦିବାର ଚାପ ତାଙ୍କ ମୁଣ୍ଡ ଉପରେ ଥିଲା। ଗତ ଫେବ୍ରୁଆରି ୧୧ ତାରିଖରେ ଭାଗବତପୁର ଗାଁର ଜଣେ ବ୍ୟକ୍ତିଙ୍କ ଘ‌ରେ ଡକାୟତମାନେ ମାରଣାସ୍ତ୍ର ଦେଖାଇ ସାଢ଼େ ୩ ଲକ୍ଷ ନଗଦ ଟଙ୍କା ସହ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହି ଘଟଣାକୁ ଏକ ଆହ୍ବାନ ଭାବେ ଗ୍ରହଣ କରିଥିବା ଏହି ଯୁବ ଆଇପିଏସ୍‌ ଅଧିକାରୀ ସପ୍ତାହକ ଭିତରେ ୭ ଜଣ ଡକାୟତଙ୍କୁ ବାନ୍ଧି ଜେଲ୍‌ ହାଜତକୁ ପଠାଇ ଦେଇଥିଲେ। ଖାଲି ସେତିକି ନୁହେଁ, ଲୁଟ୍‌ ହୋଇଥିବା ଟଙ୍କା ମଧ୍ୟରୁ ପୁଲିସ ୨ ଲକ୍ଷ ୬୬ ହଜାର ସହ ସମସ୍ତ ସୁନାଗହଣା ଉଦ୍ଧାର କରିଥିଲା। ଏହି ଘଟଣା ପରେ ଚର୍ଚ୍ଚାକୁ ଆସିଥିବା ବର୍ଷିତା ଆହୁରି ଅନେକ ପଦକ୍ଷେପ ନେଇ ଅସାମାଜିକଙ୍କୁ ଅଣ୍ଡରଗ୍ରାଉଣ୍ଡ ହେବାକୁ ବାଧ୍ୟ କରିଛନ୍ତି। ସେ କହିଛନ୍ତି, ଜଣେ ମହିଳା ଭାବେ ଥାନା ଦାୟିତ୍ବରେ ରହିବା ତାଙ୍କ ପାଇଁ ବି‌ଶେଷ ଅସୁବିଧା ହେଉନି। ବରଂ, ଜଣେ ଝିଅ ଭାବେ ଅଞ୍ଚଳବାସୀଙ୍କୁ ସେବା ଯୋଗାଇବା ଓ ମହିଳାମାନଙ୍କୁ ସୁରକ୍ଷିତ ରଖିବାରେ ‌ବହୁ ଆତ୍ମସନ୍ତୋଷ ମିଳୁଛି। 
କେବଳ ସେ ଏକା ନୁହଁନ୍ତି, ବନ୍ତଳା ଥାନା ଅଧିକାରୀ ସଙ୍ଗୀତା ମହାପାତ୍ର, ଜରପଡ଼ା ଥାନା ଅଧିକାରୀ ନିର୍ମଳା ଗୋଛାୟତ, ହଣ୍ଡପା ଥାନା ଅଧିକାରୀ ନମିତା ନାୟକ ଓ ବିକ୍ରମପୁର ଥାନା ଅଧିକାରୀ ଲଳିତା ପ୍ରଧାନ ଅପରାଧୀଙ୍କ ପାଇଁ ଦୁଃସ୍ବପ୍ନ ସାଜିଛନ୍ତି। ମହିଳା ଭାବେ ଲଜ୍ଜା ଓ ଭୟକୁ ‌ଭୁଲି ଅପରାଧୀଙ୍କ ପାଇଁ ଏମାନେ କଠୋର ହୋଇଛନ୍ତି।

ଆଉ ସାଧାରଣ ଲୋକଙ୍କ ପାଇଁ ଝିଅ, ବୋହୂ, ମା’ ସାଜିଛନ୍ତି। ନିକଟରେ ବନ୍ତଳା ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ୪ ଦିନ ଭିତରେ ଅପରାଧୀଙ୍କୁ ଧରି ଅସାମାଜିକଙ୍କୁ ସତର୍କ କରାଇ ଦେଇଛନ୍ତି ଇନ୍ସପେକ୍ଟର ସଙ୍ଗୀତ ମହାପାତ୍ର। ସେହିପରି ହଣ୍ଡପା ଥାନା ଅଞ୍ଚଳରେ ହୋଇଥିବା ହାଇ ପ୍ରୋଫାଇଲ୍‌ ଡକାୟତି ଘଟଣାର ସପ୍ତାହକ ଭିତରେ ରହସ୍ୟ ଉନ୍ମୋଚନ କରି ୯ ଅପରାଧୀଙ୍କୁ ବାନ୍ଧି ଚର୍ଚ୍ଚିତ ହୋଇଥିଲେ ଥାନା ଅଧିକାରୀ ନମିତା ନାୟକ। ଇନ୍‌ସପେକ୍ଟର ନିର୍ମଳା ଗୋଛାୟତ ଏହା ଭିତରେ ୧୫ଟି ଥାନାର ଦାୟିତ୍ବ ସମ୍ଭାଳିଲେଣି। ସେମିତି ଗତ ନିର୍ବାଚନ ସମୟରେ ଗୁରୁଦାୟିତ୍ବ ସମ୍ଭାଳିଥିଲେ ଇନ୍ସପେକ୍ଟର ଲଳିତା ପ୍ରଧାନ। ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ସଂପର୍କରେ ଶ୍ରୀମତୀ ପ୍ରଧାନ କହିଛନ୍ତି, ଜଣେ ମହିଳା ଭାବେ ଅପରାଧୀଙ୍କୁ ମୁକାବିଲା କରିବା ସହଜ ନୁହେଁ। କିନ୍ତୁ ପୁଲିସ ପୋଷାକ ପିନ୍ଧିବା ପରେ ଦେହରେ ଆପେ ଆପେ ଶକ୍ତି ଆସିଯାଏ। ସାଧାରଣ ଲୋକଙ୍କୁ ସେବା ଦେବା ପାଇଁ ଯେଉଁ ଶପଥ ନେଇଛୁ କେବଳ ତାହା ହିଁ ମନେ ପଡ଼େ। ନିର୍ମଳା ଗୋଛାୟତଙ୍କ ମତ ହେଲା, ଥରେ ଖାକି ପୋଷାକ ପିନ୍ଧିଲା ପରେ ନିଜକୁ ଅବଳା କି ଦୁର୍ବଳା ଲାଗେନି। ବରଂ, ମହିଷାସୁରକୁ ବଧ କରିବା ପାଇଁ ମା’ ଦୁର୍ଗାଙ୍କ ପ୍ରତିଜ୍ଞା ମନେ ପଡ଼ିଯାଏ। ମା’ ଦୁର୍ଗାଙ୍କୁ ଅନ୍ୟ ଦେବଦେବୀ ଅସ୍ତ୍ରଶସ୍ତ୍ର ଦେବା ଭଳି ଲୋକଙ୍କ ସାହାଯ୍ୟ, ସହଯୋଗ ଆମକୁ ଶକ୍ତି ଦେଇଥାଏ ବୋଲି ସେ କହିଛନ୍ତି।