ପ୍ରକାଶ ପାଇଲା ନବମ ପରୀକ୍ଷାଫଳ: ହାଇସ୍କୁଲରେ ୮୭.୨୦, ମଧ୍ୟମାରେ ୯୧.୪୦% ପାସ୍‌

ଏଫ୍‌-୨ ଗ୍ରେଡ୍‌ ପିଲାଙ୍କ ପାଇଁ ରିମେଡିଆଲ୍ କ୍ଲାସ୍, ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା, ୧୫ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ; ର‌ିପୋର୍ଟ ଦେବେ ଜିଲ୍ଲା ଶିକ୍ଷାଧିକାରୀ

କଟକ: ନବମ ପରୀକ୍ଷାରେ ବି ଏଥର ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଉଦବେଗର କାରଣ ହୋଇଛି। ଚଳିତ ବର୍ଷ ପଂଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାଖାପାଖି ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ନବମ ଶ୍ରେଣୀ(ହାଇସ୍କୁଲ ଓ ମଧ୍ୟମା) ପରୀକ୍ଷାଫଳ ଆଜି ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବା ପରେ ଏଭଳି ତଥ୍ୟ ସାମ୍‌ନାକୁ ଆସିଛି। ପ୍ରକାଶିତ ଫଳାଫଳ ଅନୁଯାୟୀ ନବମ (ହାଇସ୍କୁଲ) ପରୀକ୍ଷାରେ ପାସ୍‌ ହାର ୮୭.୨୦ ପ୍ରତିଶତ ରହିଥିବା ବ‌େଳେ ମଧ୍ୟମା(ସଂସ୍କୃତ ଟୋଲ) ପରୀକ୍ଷା ପାସ୍ ହାର ୯୧.୪୦ ପ୍ରତିଶତ ରହିଛି। ହାଇସ୍କୁଲରେ ମୋଟ ୫,୬୬,୨୬୯ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବ‌େଳେ ୫,୫୧,୩୩୪ ଜଣ ପରୀକ୍ଷା ଦେଇଥିଲେ ଓ ୧୪,୯୩୫ଜଣ ଅନୁପସ୍ଥିତ ଥିଲେ। ଏମାନଙ୍କ ମଧ୍ୟରୁ ଏ-୧‌ ଗ୍ରେଡ୍‌ରେ (୯୦ ପ୍ରତିଶତ ବା ତାହାଠୁ ଅଧିକ) ୯୦୩୯ ଜଣ, ଏ-୨ଗ୍ରେଡ୍‌ରେ (୮୦ରୁ ୮୯)ରେ ୫୮୯୯୧ଜଣ, ବି-୧ରେ (୭୦ରୁ ୭୯) ୧୧୮୭୯୨ଜଣ, ବି-୨ରେ (୬୦ରୁ ୬୯) ୧୪୫୧୬୩ ଜଣ, ସି-ଗ୍ରେଡ୍‌ରେ (୫୦ରୁ ୫୯) ୧୦୯୫୭୩ ଜଣ, ଡି-ରେ (୪୦ରୁ ୪୯) ୪୬୯୭୦ ଜଣ, ଇ-ଗ୍ରେଡ୍‌ରେ (୩୩ରୁ ୩୯) ୫୩୧୦ ଜଣ ପାସ୍ କରିଥିବା ବେଳେ ଏଫ୍‌-୧ ଗ୍ରେଡ୍‌ ୨୭୩୫୮ଜଣ ଓ ଏଫ୍‌-୨ ଗ୍ରେଡ୍‌ ୩୦୧୩୮ ଜଣ ପାଇଛନ୍ତି।

ସେହିପରି ନବମ (ମଧ୍ୟମା)ରେ ମୋଟ ୩୩୯୯ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବ‌େଳେ ୧୨୯ଜଣ ଅନୁପସ୍ଥିତ ଥିଲେ ଓ ୩୨୭୦ ଜଣ ପରୀକ୍ଷା ଦେଇଥିଲେ। ମଧ୍ୟମା(ସଂସ୍କୃତ ଟୋଲ) ପରୀକ୍ଷାରେ ଏ-୧ଗ୍ରେଡ୍‌ରେ ୧୮ଜଣ, ଏ-୨ଗ୍ରେଡ୍‌ରେ ୩୮୪ ଜଣ, ବି-୧ ଗ୍ରେଡ୍‌ରେ ୧୧୮୮ଜଣ, ବି-୨‌ ଗ୍ରେଡ୍‌ରେ ୯୨୦ଜଣ, ସି-ଗ୍ରେଡ୍‌ରେ ୪୫୬ଜଣ, ଡି-ଗ୍ରେଡ୍‌ରେ ୧୩୧ଜଣ, ଇ-ଗ୍ରେଡ୍‌ରେ ୧୨ଜଣ ଉତ୍ତୀର୍ଣ୍ଣ ହୋଇଥିବା ବ‌େଳେ ୧୬୧ଜଣ ଏଫ୍‌-ଗ୍ରେଡ୍‌ ପାଇଛନ୍ତି।

ନବମ (ହାଇସ୍କୁଲ) ପରୀକ୍ଷାରେ ଏଫ୍‌-୧ ଗ୍ରେଡ୍ ପାଇଥିବା ପରୀକ୍ଷାର୍ଥୀଙ୍କୁ ପାସ୍ ଘୋଷଣା କରାଯାଇ ଦଶମ ‌‌ଶ୍ରେଣୀକୁ ଯିବାକୁ ବୋର୍ଡ ପକ୍ଷରୁ ସ୍ବୀକୃତି ଦିଆଯାଇଥିବା ବ‌େଳେ ଏଫ୍-୨ ଗ୍ରେଡ୍ ପାଇଥିବା ୩୦୧୩୮ଜଣ ପରୀକ୍ଷାର୍ଥୀ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା ଦେବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ୪୦ ମିନିଟରେ ୨୦ ନମ୍ବର ପ୍ରଶ୍ନପତ୍ର ବିଶିଷ୍ଟ ଏକ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା ଆସନ୍ତା ଜୁନ୍‌ ୧ ତାରିଖରେ କରାଯିବ। ଏହି ପରୀକ୍ଷାରେ କୃତକାର୍ଯ୍ୟ ନ ହେଲେ ଜୁନ୍‌ ୮ ଓ ଜୁନ୍‌ ୧୬ ତାରିଖରେ ଆଉ ଦୁଇଟି ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା ବିଦ୍ୟାଳୟ ଦ୍ବାରା କରାଯିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏଫ୍‌ ଗ୍ରେଡ୍‌ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଦକ୍ଷତା ବିକାଶ ପାଇଁ ବିଦ୍ୟାଳୟ ପକ୍ଷରୁ ମେ ୩୧ପର୍ଯ୍ୟନ୍ତ ସ୍ବତନ୍ତ୍ର ବ୍ୟବସ୍ଥା (ରିମେଡିଆଲ୍‌ କ୍ଲାସ୍) ବନ୍ଦୋବସ୍ତ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ପରୀକ୍ଷା ପରେ ବୋର୍ଡ କର୍ତ୍ତୃପକ୍ଷ ନବମ(ହାଇସ୍କୁଲ) ପରୀକ୍ଷାରେ ଅନୁପସ୍ଥିତ ରହିଥିବା ୧୪,୯୩୫ ଜଣ ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଏହି ପରୀକ୍ଷାର୍ଥୀମାନେ କଣ ପାଇଁ ଅନୁପସ୍ଥିତ ରହିଛନ୍ତି, ଏ ସଂକ୍ରାନ୍ତରେ ମେ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବୋର୍ଡ ନିର୍ଦ୍ଦେଶ ଦେଇଛି। ହାଇସ୍କୁଲ ପାଇଁ ବିଦ୍ୟାଳୟର ମୁଖ୍ୟମାନେ ପିଲାଙ୍କ ଟାବୁଲେସନ୍ ରେଜିଷ୍ଟ୍ରାରକୁ ବୋର୍ଡ ୱେବ୍ ସାଇଟ୍‌ www.bseodisha.ac.in ରୁ ଡାଉନ୍‌ଲୋଡ୍ କରିପାରିବେ ଓ ମଧ୍ୟମା ଛାତ୍ରଛାତ୍ରୀଙ୍କ ଟାବୁଲେସନ୍ ରେଜିଷ୍ଟ୍ରାର ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ଡେପୁଟି ସେକ୍ରେଟାରିଙ୍କ ପାଖରୁ ସଂଗ୍ରହ କରିବେ। ଟାବୁଲେସନ୍ ରେଜିଷ୍ଟ୍ରାର ମିଳିବାପରେ ଶିକ୍ଷାନୁଷ୍ଠାନମାନେ ପିଲାଙ୍କୁ ମାର୍କସିଟ୍ ପ୍ରଦାନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର