ସମ୍ବଲପୁର : ଓଡ଼ିଶାର ତିନିଟି ପ୍ରମୁଖ ସହର କଟକ, ବ୍ରହ୍ମପୁର ଓ ସମ୍ବଲପୁରକୁ ମୁଖ୍ୟାଳୟଭାବେ ଆଖିରେ ରଖି ତିନିଟି ରାଜସ୍ବ ଡିଭିଜନ୍ ଗଠନ ହୋଇଛି। ତେବେ ଏହି ତିନି ଡିଭିଜନ୍‌ର ସୀମା ଚିହ୍ନଟ ବେଳେ ଓଡ଼ିଶା ମାନଚ୍ଚିତ୍ର ପକାଇ ତିନିଭାଗ କରି ଦିଆ ଯାଇଥିବା ମନେହୁଏ। ସେହି ଅନୁଯାୟୀ ସମ୍ବଲପୁରକୁ ଉତ୍ତର, ବ୍ରହ୍ମପୁରକୁ ଦକ୍ଷିଣ ଓ କଟକକୁ କେନ୍ଦ୍ରାଞ୍ଚଳ ଡିଭିଜନ୍‌ର ମୁଖ୍ୟାଳୟ କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶାର ସ˚ପୂର୍ଣ୍ଣ ଉତ୍ତରରେ ଥିବା ଦୁଇଟି ଜିଲ୍ଲା ଉତ୍ତରାଞ୍ଚଳ ଡିଭିଜନ୍‌ର ଅନ୍ତର୍ଗତ ନୁହେଁ। ଓଡ଼ିଶାର କେନ୍ଦ୍ରରେ ଥିବା ୩ଟି ଜିଲ୍ଲା କେନ୍ଦ୍ରାଞ୍ଚଳ ଡିଜିଜନ୍‌ରେ ନାହିଁ। ଦକ୍ଷିଣାଞ୍ଚଳ ଡିଭିଜନ୍‌ର ମୁଖ୍ୟାଳୟ ଭୌଗୋଳିକ ଦୃଷ୍ଟିରୁ ଏହାର ଏକ କୋଣରେ ଅବସ୍ଥିତ। ତେଣୁ ବିଭିନ୍ନ କାର୍ଯ୍ୟ ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି।

Advertisment

ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ୍‌ ଅଧୀନରେ କେନ୍ଦୁଝର, ସୁନ୍ଦରଗଡ଼, ଢେ଼ଙ୍କାନାଳ, ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁର ଆଦି ୧୦ଟି ଜିଲ୍ଲା ରହିଛି। ତେବେ ଓଡ଼ିଶାର ସବୁଠୁ ଉତ୍ତରରେ ଥିବା ଦୁଇଟି ଜିଲ୍ଲା ମୟୂରଭଞ୍ଜ ଓ ବାଲେଶ୍ବର ଉତ୍ତରାଞ୍ଚଳ ଡିଭିଜନ୍‌ରେ ନାହିଁ। ଉତ୍ତରାଞ୍ଚଳ ଡିଭିଜନ୍‌ରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁର ଆଦି ଜିଲ୍ଲା ରହିଛି। ଅନୁଗୁଳର ଆଠମଲ୍ଲିକ ଉପଖଣ୍ଡ ମଧୢ ପଶ୍ଚିମ ଓଡ଼ିଶାର ଅଂଶ ବିଶେଷ। ତେବେ ପଶ୍ଚିମ ଓଡ଼ିଶାର ଅନ୍ୟ ୩ଟି ଜିଲ୍ଲା କଳାହାଣ୍ତି, ନୂଆପଡ଼ା ଓ ବୌଦ୍ଧ ସମ୍ବଲପୁର ରାଜସ୍ବ ଡିଭିଜନ୍‌ ଅଧିନରେ ଆସୁନାହିଁ। କିନ୍ତୁ, ଏହି ତିନି ଜିଲ୍ଲାର ଲୋକେ ନିଜ ଯାବତୀୟ କାର୍ଯ୍ୟ ପାଇଁ ସମ୍ବଲପୁର ସହରକୁ ଆସିଥା’ନ୍ତି ଓ ସେମାନେ ବ୍ରହ୍ମପୁର ତୁଳନାରେ ସମ୍ବଲପୁର ସହ ଯଥେଷ୍ଟ ଅଧିକ ଅଭ୍ୟସ୍ତ। କେବଳ ସେତିକି ନୁହେଁ, ଦୂରତା କଥା ବିଚାର କଲେ ବି ସେମାନେ ସମ୍ବଲପୁର ଡିଭିଜନ୍‌ ଅଧୀନରେ ରହିବା କଥା। ବୌଦ୍ଧରୁ ସମ୍ବଲପୁରର ଦୂରତା ୧୦୦ କିଲୋମିଟର‌୍‌ ହୋଇଥିଲାବେଳେ ବ୍ରହ୍ମପୁର ୨୩୦ କିଲୋମିଟର‌ ଦୂର। ନୂଆପଡ଼ାରୁ ବ୍ରହ୍ମପୁର ୩୮୦ କିଲୋମିଟର‌୍‌ ଦୂର ହୋଇଥିଲାବେଳେ ସମ୍ବଲପୁରର ଦୂରତା ୨୨୪ କିଲୋମିଟର‌। ଭବାନୀପାଟଣାରୁ ବ୍ରହ୍ମପୁର ୨୮୩ କିମି ଓ ସମ୍ବଲପୁର ୨୩୧ କିମି ଦୂର। ଏହି ସବୁ ଜିଲ୍ଲାବାସୀଙ୍କ ବାରମ୍ବାର ଦାବି ସତ୍ତ୍ବେ ସେମାନଙ୍କୁ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ୍‌ରେ ରଖାଯିବା ଫଳରେ ସେମାନେ ବିଭିନ୍ନ କାମ ପାଇଁ ସମସ୍ୟାର ସମ୍ମୁଖୀନ ହୁଅନ୍ତି।

କେନ୍ଦ୍ରାଞ୍ଚଳ ରାଜସ୍ବ ଡିଭିଜନ୍‌ର ଅବସ୍ଥା ବି ସେହିଭଳି। ଓଡ଼ିଶାର କେନ୍ଦ୍ରରେ ଥିବା ତିନିଟି ଜିଲ୍ଲା ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ କେନ୍ଦ୍ରାଞ୍ଚଳ ଡିଭିଜନ୍‌ ଅନ୍ତର୍ଗତ ନୁହେଁ। ଢେଙ୍କାନାଳରୁ କଟକର ଦୂରତା ମାତ୍ର ୫୫ କିଲୋମିଟର‌୍‌ ହୋଇଥିଲାବେଳେ ଏହା ୨୨୮ କିଲୋମିଟର‌୍‌ ଦୂର ସମ୍ବଲପୁର ଡିଭିଜନ୍‌ ଅନ୍ତର୍ଗତ। କେନ୍ଦୁଝର ଏହାର ରାଜସ୍ବ ମୁଖ୍ୟାଳୟ ସମ୍ବଲପୁରଠାରୁ ୨୨୩ କିଲୋମିଟର‌୍‌ ଦୂର ହୋଇଥିଲାବେଳେ କେନ୍ଦ୍ରାଞ୍ଚଳ ଡିଭିଜନ୍‌ ମୁଖ୍ୟାଳୟ କଟକଠାରୁ ୧୭୫ କିଲୋମିଟର‌୍‌ ଦୂରରେ। ଢେ଼ଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲାବାସୀ ସମ୍ବଲପୁର ତୁଳନାରେ କଟକ ଡିଭିଜନ୍‌ ଅଧୀନରେ ଆସିଲେ ଅଧିକ ସୁବିଧାରେ ନିଜ କାମ କରିପାରିବେ। ଏପରିକି ଅନୁଗୁଳ ଜିଲ୍ଲାକୁ ମଧୢ କଟକ ଡିଭିଜନ୍‌ ଅଧୀନରେ ରଖାଯାଇ ପାରିବ।

ତେଣୁ ସମ୍ବଲପୁରରେ ଥିବା ରାଜସ୍ବ ଡିଭିଜନ୍‌ର ନାମ ଉତ୍ତରାଞ୍ଚଳରୁ ପଶ୍ଚିମାଞ୍ଚଳ ଡିଭିଜନ୍‌, କଟକରେ ଥିବା ଡିଭିଜନ୍‌ର ନାମ କେନ୍ଦ୍ରାଞ୍ଚଳରୁ ପୂର୍ବାଞ୍ଚଳ ରାଜସ୍ବ ଡିଭିଜନ୍‌କୁ ପରିବର୍ତନ କରିବାକୁ ଦାବି ହୋଇ ଆସୁଛି। ଏହାଛଡ଼ା ଭୌଗଳିକ କାରଣରୁ ସମ୍ବଲପୁର ଡିଭିଜନ୍‌ରୁ କେନ୍ଦୁଝର, ଢେଙ୍କାନାଳକୁ ବାଦ ଦେଇ ବୌଦ୍ଧ, ନୂଆପଡ଼ା, କଳାହାଣ୍ତି ଆଦି ଜିଲ୍ଲାକୁ ସାମିଲ କରିବାକୁ ଅନେକ ଦାବି କରନ୍ତି। ତେବେ କେନ୍ଦୁଝର, ଅନୁଗୁଳ ଆଦି ଅଧିକ ରାଜସ୍ବ ଆୟ କରୁଥିବା ଜିଲ୍ଲା ହୋଇଥିବାରୁ ଏଗୁଡ଼ିକ ବାଦ ପଡ଼ିଲେ ସମ୍ବଲପୁର ଡିଭିଜନ୍‌ର ଆୟ ହ୍ରାସ ପାଇବାର ଆଶଙ୍କା ରହିଛି।