ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ୯୩୨ ଜଣ ମାଟ୍ରିକ୍ ପରୀକ୍ଷାର୍ଥୀ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି। ସାରା ରାଜ୍ୟରେ ଏହି ଅନୁପସ୍ଥିତି ହାର ଉଦ୍‌ବେଗଜନକ। ସରକାର ଏହାକୁ ଅତି ଗୁରୁତ୍ବର ସହ ନେଇଛନ୍ତି। କେମିତି ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ସ୍କୁଲ୍‌କୁ ଫେରାଇ ଅଣାଯିବ, ‌ଯେମିତି ସେମାନେ ମାଟ୍ରିକ୍ ପରୀକ୍ଷାରେ ବସିବେ ସେନେଇ ସମସ୍ତେ ମିଳିତ ଉଦ୍ୟମ କରିବା ଦରକାର ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି। ସମ୍ବଲପୁର ଗସ୍ତରେ ଆସିଥିବା ଶ୍ରୀ ଦାସ ବୁଧବାର ଜିଲ୍ଲା ଶିକ୍ଷା ବିଭାଗର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ପିଲାଙ୍କ ପ୍ରଦର୍ଶନକୁ ଭିତ୍ତି କରି ହେଉଥିବା ଜାତୀୟ ଉପଲବ୍‌ଧି ସର୍ବେକ୍ଷଣ (ନାସ୍‌)ରେ ସମ୍ବଲପୁର ମୋଟ ଉପରେ ସାରା ରାଜ୍ୟରେ ଶେଷ ସ୍ଥାନରେ ରହିଛି।

Advertisment

୩୦ ଜିଲ୍ଲା ମଧ୍ୟରୁ ତୃତୀୟ ଶ୍ରେଣୀରେ ୨୯, ପଞ୍ଚମ‌େର ୩୦ ଓ ଅଷ୍ଟମରେ ୨୯ତମ ସ୍ଥାନରେ ରହିବା ସମ୍ବଲପୁର ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ଉଦ୍‌ବେଗଜନକ ସ୍ଥିତି ଦର୍ଶାଉଛନ୍ତି। ଏହା ମଧ୍ୟ ସମଗ୍ର ଦେଶର ନିମ୍ନ ପ୍ରଦର୍ଶନକାରୀ ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି। ଏ ନେଇ ଉଦ୍‌ବେଗ ପ୍ରକଟ କରିବା ସହ ଏଥିରେ କିଭଳି ଉନ୍ନତି ଆସି ପାରିବ ସେଥି ପ୍ରତି ସରକାର ତତ୍ପର ଅଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ନିମ୍ନ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ସମ୍ବଲପୁରରେ ଯେମିତି ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ସେ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଆମେ ଏହି ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ଉନ୍ନତିକୁ ପ୍ରାଥମିକତା ଦେଉଛୁ ବୋଲି କହିଥିଲେ।

ପାନ୍ଥ ନିବାସରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ କହିଲେ, ଖରା ଦିନେ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପାଠପଢ଼ା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଆପାତତଃ ଅପରିବର୍ତ୍ତିତ ରହିବ। ତେବେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କାରଣରୁ ଏହି ଅଞ୍ଚଳରେ ଛୁଟି ଘୋଷଣା ପାଇଁ ସରକାର ଚିନ୍ତା କରୁଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ସେ ଭୁବନେଶ୍ବର ଫେରିଲା ପରେ ଏ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ବିଶେଷ କରି ପିଲାଙ୍କ ଗଣିତ, ବିଜ୍ଞାନ, ଇଂରାଜୀ ଓ ଓଡ଼ିଆ ଜ୍ଞାନ ବୃଦ୍ଧି ପାଇଁ ଏହି ଖରାଦିନିଆ ପାଠ୍ୟକ୍ରମରେ ଗୁରୁତ୍ବ ଦିଆଯାଉଛି ବୋଲି କହିଥିଲେ। ୫-ଟି ସ୍କୁଲ୍ ଗୁଡ଼ିକ ସଂପର୍କରେ ସମୀକ୍ଷା କରି ସେ ଗୁଡ଼ିକର ସ୍ଥିତି ପଚାରି ବୁଝିଥିଲେ। ମୋ’ ସ୍କୁଲ୍ ଅଭିଯାନରେ କେତେଟି ସ୍କୁଲ୍‌ରେ କମିଟି ଗଠିତ ହୋଇଛି, କେତେ ପ୍ରଜେକ୍ଟ ହେଲାଣି ପଚାରି ବୁଝିବା ପରେ ବର୍ତ୍ତମାନର ସ୍ଥିତି ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅଧିକରୁ ଅଧିକ ପୁରାତନ ଛାତ୍ରଙ୍କ ସ୍କୁଲ୍‌ ସହ ସଂପୃକ୍ତି ଉପରେ ସେ ଗୁରୁତ୍ବ ଦେଇଥିଲେ।

ନବମ ଶ୍ରେଣୀରେ ପିଲାଙ୍କୁ ସାଇକଲ୍ ଦିଆଯାଉଛି। ତେବେ ଯେଉଁ ପିଲାମାନେ ସ୍କୁଲ୍‌କୁ ଆସୁଛନ୍ତି କେବଳ ସେହିମାନଙ୍କୁ ସାଇକଲ୍ ଦେବା ଓ ଏହାକୁ ଜରିଆ କରି ପିଲାଙ୍କ ଉପସ୍ଥାପନ ବୃଦ୍ଧି କରିବାକୁ ସେ ଶିକ୍ଷା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସମୀକ୍ଷା ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ମଞ୍ଚାସୀନ ଥିବାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜୟଶ୍ରୀ ଦୋରା ସଂଯୋଜନା କରିଥିଲେ। ସମସ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ ତଥା ସ୍କୁଲ୍‌ ଓ ଗଣ ଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ଥିଲେ।