ଭୁବନେଶ୍ବର : ମେ’ ୨୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ହେବ। ଗତବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ରିପୋର୍ଟ କାର୍ଡ ଦେଇଥିବା ବେଳେ ଏହା ପରବର୍ତ୍ତୀ ବର୍ଷରେ ସେମାନଙ୍କ ବିଭାଗ କ’ଣ କାର୍ଯ୍ୟ କରିଛି ତାହାର ରିପୋର୍ଟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ। ମେ’ ୨୨ରୁ ଜୁନ୍ ୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।
ସୋମବାର ପୂର୍ବାହ୍ନ ୧୧ଟାରୁ ମନ୍ତ୍ରୀଙ୍କ କାର୍ଯ୍ୟ ସମୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ଦିନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସେମାନଙ୍କ ବିଭାଗର ରିପୋର୍ଟ କାର୍ଡ ଦେବେ। ମନ୍ତ୍ରୀମାନେ ସେମାନଙ୍କ ବିଭାଗର ସଚିବଙ୍କ ଉପସ୍ଥିତିରେ ଏହି ରିପୋର୍ଟ ପ୍ରଦାନ କରିବେ। ସେମାନଙ୍କ ବିଭାଗ ପକ୍ଷରୁ କ’ଣ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି, ଆଗାମୀ ଦିନରେ କ’ଣ କରିବାକୁ ଯୋଜନା ଅଛି ସେନେଇ ରିପୋର୍ଟ ଦେବେ।
ହେଲେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବାରୁ ଏହାପରେ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହେବ। ତେଣୁ କେଉଁ ବିଭାଗର ମନ୍ତ୍ରୀ କେଉଁ ଦିନ ତାଙ୍କ ରିପୋର୍ଟ କାର୍ଡ ଉପସ୍ଥାପନ କରିବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁନଃସୂଚୀ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ବିଭିନ୍ନ ବିଭାଗର ମନ୍ତ୍ରୀ ପୂର୍ବାହ୍ନ ୧୧ଟା, ୧୧ଟା ୪୫ ଏବଂ ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିବାକୁ ସମୟ ଧାର୍ଯ୍ୟ ହୋଇଛି।
ଅପରପକ୍ଷେ ପ୍ରଥମ ଦିନରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରିପୋର୍ଟ କାର୍ଡ ଉପସ୍ଥାପନ କରିବାକୁ ଥିଲେ ହେଁ ବିଭାଗୀୟ ସଚିବ ଅରବିନ୍ଦ ପାଢ଼ୀ ଏବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ସହ ଥିବାରୁ କୃଷି ବିଭାଗର କାର୍ଯ୍ୟ ସମୀକ୍ଷା ପରବର୍ତ୍ତୀ ସମୟରେ ହେବ ବୋଲି ଜଣାପଡ଼ିଛି।
ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିବା ପରେ ଗୀତଗୋବିନ୍ଦ ସଦନ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ କରି ସେମାନଙ୍କ ବିଭାଗର ସଫଳତା ଓ ଆଗାମୀ ଯୋଜନା ବିଷୟରେ କହିବେ। ମୁଖ୍ୟମନ୍ତ୍ରୀ କ’ଣ ପଚାରିଲେ, କ’ଣ ଉତ୍ତର ରଖିଲେ ତାହା ମଧ୍ୟ ଜଣାଇବେ ବୋଲି ଜଣାପଡ଼ିଛି।