ଚାଉଳ ଲଢ଼େଇ ଥମୁନି: ସାମ୍ନାକୁ ଆସିଲେ ରାଜ୍ୟ ସରକାର, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମନ୍ତ୍ରୀ

ମିଲରଙ୍କ ପାଇଁ ସବୁ ଫିକର: ବିଜେପି

ଭୁବନେଶ୍ବର: ଚାଷୀଙ୍କୁ ସାମ୍ନାରେ ରଖି ବିଜେଡି ଉଷୁନା ଚାଉଳ ପ୍ରସଙ୍ଗରେ ସୋମବାର କେନ୍ଦ୍ରକୁ ଶାଣିତ ଆକ୍ରମଣ କରିବା ପରେ ଆଜି ରାଜ୍ୟ ସରକାର ସାମ୍ନାକୁ ଆସିଛନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ସହିତ ଚାଉଳ ଉଠାଣ ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି। କେବଳ ସେତିକି ନୁହେଁ, ସବ୍‌ସିଡି ବାବଦ ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବା ଲାଗି ମଧ୍ୟ ସେ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଜଣାଇଛନ୍ତି। ଶ୍ରୀ ସ୍ବାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାରଙ୍କଠାରୁ ଧାନ ସଂଗ୍ରହ ବାବଦକୁ ସବ୍‌ସିଡ଼ି ଅର୍ଥ ଠିକ୍‌ ସମୟରେ ପାଉ ନଥିବାରୁ ରାଜ୍ୟ ସରକାର ସମସ୍ୟାରେ ପଡ଼ିଛନ୍ତି। ପ୍ରତିବର୍ଷ ନିଗମ ୧୫, ୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ କରିଥାଏ। ହେଲେ ସବ୍‌ସିଡି ବାବଦକୁ ପ୍ରାପ୍ୟ ୬୦୩୯ କୋଟି ଟଙ୍କା ଠିକ୍‌ ସମୟରେ ନ ପାଇବା ଦ୍ୱାରା ନିଗମ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି।

ଧାନ କିଣା ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଗତ ବର୍ଷ ଆଜିର ତାରିଖ ତୁଳନାରେ ଏବର୍ଷ ୨୨ ପ୍ରତିଶତରୁ ଅଧିକ ଖରିଫ ଧାନ ସଂଗ୍ରହ କରାଯାଇସାରିଲାଣି। ଅଧିକ ସଂଖ୍ୟାରେ ଚାଷୀ ଧାନ ବିକ୍ରିର ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇ ପାରିଛନ୍ତି। ରାଜ୍ୟରେ କୃଷି କ୍ଷେତ୍ରରେ ସର୍ବାଧିକ ଲୋକ ନିୟୋଜିତ ହୋଇଥିବା ବେଳେ ଏହା ଲକ୍ଷ ଲକ୍ଷ ଚାଷୀଙ୍କ ଆୟବୃଦ୍ଧି ଓ କୃଷି ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ପାରୁଛି। କୋଭିଡ୍‌-୧୯ ଭଳି ଅସ୍ୱାଭାବିକ ସ୍ଥିତିରେ ମଧ୍ୟ ରାଜ୍ୟ ସରକାର ଦୂରଦୂରାନ୍ତ ଏବଂ ଅଗମ୍ୟ ଅଞ୍ଚଳଗୁଡ଼ିକର ଚାଷୀମାନଙ୍କଠାରୁ ଧାନସଂଗ୍ରହ କରି ପାରିଛନ୍ତି ବୋଲି ଦର୍ଶାଇ ଶ୍ରୀ ସ୍ବାଇଁ କହିଛନ୍ତି, ଦେଶର ଅର୍ଥନୀତିରପୁନରୁଦ୍ଧାର ଦିଗରେ କୃଷି ବିଶେଷ ଭୂମିକା ରହିଥିବାରୁ କେନ୍ଦ୍ର ସରକାର କୃଷି କ୍ଷେତ୍ରକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବା ଉଚିତ୍।

ହେଲେ ଭାରତୀୟ ଖାଦ୍ୟ ନିଗମ ଚଳିତ ଖରିଫ୍‌ ଋତୁ ୨୦୨୦-୨୧ରେ ରାଜ୍ୟରୁ ଗତବର୍ଷ ତୁଳନାରେ ୫୦ ପ୍ରତିଶତ ଉଷୁନା ଚାଉଳ ଉଠାଣ ଏବଂ ରବି ଋତୁରେ କେବଳ ଅରୁଆ ଚାଉଳ ସଂଗ୍ରହ କରିବ ବୋଲି ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି, ଓଡ଼ିଶା ମୁଖ୍ୟତଃ ଏକ ଉଷୁନା ଚାଉଳ ବ୍ୟବହାରକାରୀ ରାଜ୍ୟ ଅଟେ। ରାଜ୍ୟର ୩୦ଟି ଜିଲ୍ଲାରୁ ମାତ୍ର ୬ଟି ଜିଲ୍ଲାର ଲୋକମାନେ ଅରୁଆ ଚାଉଳ ଖାଇ ଥାଆନ୍ତି। ରାଜ୍ୟରେ ଅଧିକାଂଶ ଧାନ ମିଲ କେବଳ ଉଷୁନା ଚାଉଳ ପ୍ରସ୍ତୁତ କରିଥାଆନ୍ତି। ଏଭଳି ସ୍ଥିତିରେ ରବି ଋତୁରେ ଭାରତୀୟ ଖାଦ୍ୟ ନିଗମ କେବଳ ଅରୁଆ ଚାଉଳ ଉଠାଣ ଓ ଚଳିତ ଖରିଫ୍‌ରେ ଗତବର୍ଷ ତୁଳନାରେ କେବଳ ୫୦ ଭାଗ ଉଷୁନା ଚାଉଳ ଉଠାଣ ବ୍ୟବସ୍ଥା ରାଜ୍ୟକୁ ବିଶେଷ ଭାବରେ କ୍ଷତିଗ୍ରସ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ଦର୍ଶାଇଛନ୍ତି।

ଏହି କଟକଣା ସଂପର୍କରେ ପୁନର୍ବିଚାର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦାବି କରିଛନ୍ତି। ସେପଟେ ବିଜେପି କିନ୍ତୁ ଆଜି ରାଜ୍ୟ ସରକାରଙ୍କ ଉଷୁନା ଚାଉଳକୁ ବିରୋଧ କରି ଅରୁଆ ଚାଉଳ ପ୍ରସଙ୍ଗରେ ଅକଳରେ ପକାଇବାକୁ ଚେଷ୍ଟା କରିଛି। ଦଳ କହିଛି ଯେ ଅନ୍ୟ ରାଜ୍ୟରେ ଅରୁଆ ଚାଉଳର ଚାହିଦା ଅଧିକ ଥିବାରୁ ଏଫ୍‌ସିଆଇ ଏହି ଚାଉଳ ମାଗିଛି। ସରକାର ଏହି ଚାଉଳ ଦେବାରେ ଅସୁବିଧା କଣ? ମିଲର୍‌ଙ୍କ ପାଇଁ ସରକାରଙ୍କ ଚିନ୍ତା ଅଧିକ, ରାଜ୍ୟ ବା ଚାଷୀଙ୍କ ପାଇଁ ନୁହେଁ ବୋଲି ବିଜେପି ସାଂଘାତିକ ଅଭିଯୋଗ ଆଣିଛି। ବିଜେପି ପକ୍ଷରୁ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ପୁଣି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ରାଜ୍ୟ ସରକାର ମିଲର ମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି। ଉଷୁନା ଚାଉଳ ଉତ୍ପାଦନ କଲେ ମିଲରମାନେ ଲାଭବାନ ହୁଅନ୍ତି। ଓଡିଶାର ମିଲରଙ୍କ ପାଖରେ ଉଷୁନା ଚାଉଳ ଗଚ୍ଛିତ ହୋଇଥିବାରୁ ସେମାନେ ଏହାକୁ ଆଗ ଖାଲି କରିବାକୁ ଚାହୁଁଛନ୍ତି। ସେହିଭଳି ଏକ କ୍ବିଣ୍ଟାଲ ଧାନରୁ ଅରୁଆ ଅପେକ୍ଷା ଉଷୁନା ଚାଉଳ କଲେ ୫ ରୁ ୭ ପ୍ରତିଶତ ଅଧିକ ଚାଉଳ ହୁଏ। ଉଷୁନା ଚାଉଳ କୁଣ୍ଡାରେ ୭ ରୁ ୮ ପ୍ରତିଶତ ଅଧିକ ତେଲ ରହିଛି ଯେଉଁଥିରୁ ରାଇସ ବ୍ରାନ ତେଲ ପ୍ରସ୍ତୁତ ହେଉଛି। ଏହା ମିଲରଙ୍କ ପାଇଁ ଲାଭଦାୟକ। ଅରୁଆ ଚାଉଳ ଶୀଘ୍ର ଭାଙ୍ଗିଯିବା ଯୋଗୁଁ ଉଷୁନା ଚାଉଳକୁ ମିଲର ମାନେ ପ୍ରାଧାନ୍ୟ ଦିଅନ୍ତି। ଯେଉଁ ମିଲର ଉଷୁନା ତିଆରି କରୁଛନ୍ତି ସେମାନେ ଏହି ସବୁ ଲାଭ ପାଉଛନ୍ତି।

ଅନ୍ୟପଟେ ମିଲର ମାନେ ଅରୁଆ ଚାଉଳ କଲେ ସମସ୍ତ ଚାଉଳ କିଣିବାକୁ ଏଫସିଆଇ ପ୍ରସ୍ତୁତ ରହିଛି ବୋଲି ଡିସେମ୍ବର ମାସରୁ ଏକ ଚିଠିରେ ଜଣାଇଛି। ଏହି ଚିଠି ପାଇବା ସତ୍ତ୍ବେ ରାଜ୍ୟ ସରକାର ଏହାର ସ୍ପଷ୍ଟୀକରଣ ରାଜ୍ୟବାସୀଙ୍କୁ ଦେଇନାହାନ୍ତି କି ମିଲରମାନଙ୍କୁ ଅରୁଆ ଚାଉଳ କରିବା ପାଇଁ ନିର୍ଦ୍ଦେଶ ଦେଇ ନାହାଁନ୍ତି। ବିଜେପି କହିଛି ଯେ ମିଲରମାନେ ଉଷୁନା ଚାଉଳ କି ଅରୁଆ ଚାଉଳ କରିବେ ରାଜ୍ୟସରକାର ନିଷ୍ପତ୍ତି ନିଅନ୍ତୁ। ଚାଷୀ ଧାନ ବିକେ, ଅରୁଆ ଉଷୁନା ବୁଝେ ନାହିଁ। ସେହି ରାଜନୀତିରେ ଚାଷୀ ପେଷି ହେଉଛନ୍ତି ବୋଲି ବିଜେପି କହିଛି। ଦଳ ଆହୁରି କହିଛି ଯେ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି। ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁନାହାନ୍ତି। କେନ୍ଦ୍ର ସରକାର ଧାନ ମଣ୍ଡିଗୁଡିକରେ ଭିତ୍ତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବା ବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡିରହିଛି । ଏହି ଅର୍ଥ କାହିଁକି ଖର୍ଚ୍ଚ କରାଯାଉନାହିଁ ରାଜ୍ୟ ସରକାର ଓଡିଶାବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି। ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର