ବରଗଡ଼: ଶନିବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପଜନିତ ବର୍ଷାର ପୂର୍ବାନୁମାନ କରାଯାଇଛି। ହେଲେ ଗତ ଗୁରୁବାରଠାରୁ ବରଗଡ଼ ଜିଲ୍ଲାରେ ପାଗ କୋହଲା ଥିବାବେଳେ ଶୁକ୍ରବାର ଅପରାହ୍ନରେ ବିଭିନ୍ନ ସ୍ଥାନରେ ସାମାନ୍ୟ ଧରଣର ବର୍ଷା ବି ହୋଇଛି। ବର୍ଷା ହେବ ବୋଲି ଚାଷୀମାନେ ଯେଉଁ ଆଶଙ୍କା କରିଥିଲେ ତାହା ସତ ହୋଇଛି। ଚାଷୀମାନେ ଅମଳ କରି ଖଳାରେ ରଖିଥିବା ଧାନ ବର୍ଷାରେ ଭିଜିଯାଇଛି। ସଅଳ ଧାନ ସଂଗ୍ରହ କରିବାକୁ ଚାଷୀମାନେ କହୁଥିବାବେଳେ ଏହାକୁ ପ୍ରଶାସନ ଅଣଦେଖା କରିବାରୁ ପୁଣି କ୍ଷତି ସହିବା ସମ୍ଭାବନା ଦେଖାଦେଇଛି।
ଆସନ୍ତା ୨୫ ତାରିଖରୁ ଜିଲ୍ଲାରେ ଧାନ ସଂଗ୍ରହ ହେବ ବୋଲି ନିଷ୍ପତ୍ତି ହୋଇଛି। ବିଳମ୍ବରେ ଧାନ ସଂଗ୍ରହକୁ କୃଷକ ସଂଗଠନମାନେ କଡ଼ା ବିରୋଧ କରିଥିଲେ। କାରଣ ଜିଲ୍ଲାରେ ବର୍ତ୍ତମାନ ୪୦% ଧାନ ଅମଳ ହୋଇ ଖଳାରେ ପଡ଼ିଛି। କାକରରେ ଧାନ ଭିଜୁଥିବାବେଳେ ଏବେ କୋହଲା ପାଗ ପୁଣି ଦାଉ ସାଜିଛି। ବିଳମ୍ବରେ ଧାନ କିଣା ହେଲେ ଧାନ ସମ୍ପୂର୍ଣ୍ଣ ନଷ୍ଟ ହେବ ବୋଲି ଚାଷୀମାନେ ପ୍ରଶାସନକୁ ଚେତାଇ ଦେଇଥିଲେ। ଜିଲ୍ଲାରେ କେତେ ଧାନ ଅମଳ ହୋଇସାରିଲାଣି ପ୍ରଶାସନ ପାଖରେ ଖବର ନାହିଁ। ତେଣୁ ଉପର ଠାଉରିଆ ଆକଳନ କରି ପ୍ରଶାସନ ୨୫ ତାରିଖରୁ ଧାନ କିଣାଯିବ ବୋଲି ସ୍ଥିର କରିଛି। ଗତବର୍ଷ ନଭେମ୍ବର ୨୫ ତାରିଖ ସୁଦ୍ଧା ଜିଲ୍ଲାରେ ୫ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇ ସାରିଥିଲା। ତେଣୁ ପୁରୁଣା ପରିସଂଖ୍ୟାନ ଆଧାରରେ ଧାନ ସଂଗ୍ରହ ପ୍ରଥମ ସପ୍ତାହରୁ ହିଁ ହେବା କଥା। କିନ୍ତୁ ପ୍ରଶାସନ ଚାଷୀଙ୍କ ଏହି ଯୁକ୍ତିକୁ ସମ୍ପୂର୍ଣ୍ଣ ଅଣଦେଖା କରିଛି। ଯଦ୍ବାରା ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।