ସୂଚନା ଅଧିକାର ଆଇନ ଖୋଲୁଛି ଦୁର୍ନୀତିର ଫର୍ଦ୍ଦ: ଭେଣ୍ତର୍‌ଙ୍କ ଆକାଉଣ୍ଟକୁ ଯାଇଛି ୫୧ କୋଟି ୨୭ ଲକ୍ଷ!

ଭାପୁର : ଭାପୁର ବ୍ଲକ୍‌ରେ ଗତ ୫ ବର୍ଷରେ ବ୍ଲକ୍‌ ପ୍ରଶାସନର ସରକାରୀ ବାବୁ, ନେତା ଏବଂ ବିଭିନ୍ନ ଗ୍ରାମରେ ନିୟୋଜିତ ଭେଣ୍ତର୍‌ମାନଙ୍କ ମିଳିତ ଉଦ୍ୟମରେ ମନରେଗା ଯୋଜନାରେ ୫୧ କୋଟି ୨୭ ଲକ୍ଷ ୪୪ ହଜାର ୩୧୯ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନ ବଳରେ ଏଭଳି ତଥ୍ୟ ମିଳିଛି। ବିଭିନ୍ନ ଗ୍ରାମରେ ନିୟୋଜିତ ହୋଇଥିବା ନେତା, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ, କିଛି ହାତଗଣତି ଭେଣ୍ତରଙ୍କ ଆକାଉଣ୍ଟ୍‌କୁ ଏହି ଟଙ୍କା ଯାଇଛି। ଏହା ଜଣାପଡ଼ିବା ପରେ ବିଡିଓଙ୍କ ନିକଟରେ ପ୍ରତିଦିନ ଅଭିଯୋଗର ଫର୍ଦ୍ଦ ଲମ୍ବିଚାଲିଥିବା ଦେଖିବାକୁ ମିଳିଛି। ତେବେ ସମସ୍ତ ଅଭିଯୋଗର ତଦନ୍ତ ହେବ ବୋଲି ବିଡିଓ ଡ ଜନ୍ମେଜୟ ସାହୁ କହିଛନ୍ତି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଅଖିଳ କାଠୁଆଙ୍କ ଆକାଉଣ୍ଟ୍‌ ୨୧ ଲକ୍ଷ ୧୬ ହଜାର ୮୫୫ ଟଙ୍କା, ଖଗେଶ୍ବର ସ୍ବାଇଁଙ୍କ ଆକାଉଣ୍ଟ୍‌କୁ ୨ କୋଟି ୫୫ ଲକ୍ଷ ୧୧ ହଜାର ୭୮୮ ଟଙ୍କା, ଯୋଗେନ୍ଦ୍ର ସ୍ବାଇଁଙ୍କ ଆକାଉଣ୍ଟ୍‌କୁ ୮ କୋଟି ୫୭ ଲକ୍ଷ ୮୮ ହଜାର ୯୧୪ ଟଙ୍କା, ବ୍ରଜକିଶୋର ଆଳୁକଙ୍କୁ ୫ କୋଟି ୬୧ ଲକ୍ଷ ୭୬ ହଜାର ୩୯୯ ଟଙ୍କା ଯାଇଛି। ସେହିପରି ପ୍ରଶାନ୍ତ କୁମାର ଗୋଚ୍ଛିଙ୍କ ଆକାଉଣ୍ଟ୍‌କୁ ୧ କୋଟି ୪୩ ଲକ୍ଷ ୫୦ ହଜାର ୪୨୯ ଟଙ୍କା, ସୁରେଶ ପ୍ରସାଦ ରାଉତଙ୍କ ଆକାଉଣ୍ଟ୍‌କୁ ୧୪ ଲକ୍ଷ ୧୪ ହଜାର ୩୬୬, ସୂର୍ଯ୍ୟକାନ୍ତ ସାହୁଙ୍କ ଆକାଉଣ୍ଟ୍‌କୁ ୧୭ ଲକ୍ଷ ୧୧ ଟଙ୍କା, ଟୁକୁନା ନାୟକଙ୍କ ଆକାଉଣ୍ଟ୍‌କୁ ୩ ଲକ୍ଷ ୧୬ ହଜାର ୭୧୧ ଟଙ୍କା, ଭଗବାନ ବେହେରାଙ୍କ ଆକାଉଣ୍ଟ୍‌କୁ ୨୦ ଲକ୍ଷ ୫୫ ହଜାର ୩୧୯ ଟଙ୍କା, ଜୟଜଗନ୍ନାଥ ଏଣ୍ଟରପ୍ରାଇଜେସ୍‌ ଆକାଉଣ୍ଟ୍‌କୁ ୫୫ ଲକ୍ଷ ୨୭ ହଜାର ୩୧୯ ଟଙ୍କା ଯାଇଛି।

ପୁନଶ୍ଚ ବିଭୂତି ଭୂଷଣ ସାହୁଙ୍କ ଆକାଉଣ୍ଟ୍‌କୁ ୧୧ ଲକ୍ଷ ୩୧ ହଜାର ୯୧୪, ଶିବନାରାୟଣ ନାଥଙ୍କ ଆକାଉଣ୍ଟ୍‌କୁ ୧୦ କୋଟି ୪୪ ଲକ୍ଷ ୬୦ ହଜାର ୬୧୧, ରବୀନ୍ଦ୍ର କୁମାର ସାହୁଙ୍କ ଆକାଉଣ୍ଟ୍‌କୁ ୩ କୋଟି ୫୬ ଲକ୍ଷ ୫୧ ହଜାର ୯୬୬, ବସନ୍ତ କୁମାର ନାୟକଙ୍କ ଆକାଉଣ୍ଟ୍‌କୁ ୧୧ କୋଟି ୬୩ ଲକ୍ଷ ୩୧ ହଜାର ୬୭୭, ପ୍ରତାପ କୁମାର ସାହୁଙ୍କ ଆକାଉଣ୍ଟ୍‌କୁ ୩ କୋଟି ୫୫ ଲକ୍ଷ ୬୬ ହଜାର ୭୧୮, ନାରାୟଣ ମହାରଣା ଆକାଉଣ୍ଟ୍‌କୁ ୩ ଲକ୍ଷ ୫୬ ହଜାର ୬୧୬, ଦୀନବନ୍ଧୁ ସାହୁଙ୍କ ଆକାଉଣ୍ଟ୍‌କୁ ୧୪ ଲକ୍ଷ ୧୧ ଟଙ୍କା, ନବକିଶୋର ଧଳଙ୍କ ଆକାଉଣ୍ଟ୍‌କୁ ୮୫ ଲକ୍ଷ ୬୧ ହଜାର ୧୩୦, ମା’ ନାରାୟଣୀ କନ୍‌ଷ୍ଟ୍ରକ୍ସନ ଆକାଉଣ୍ଟ୍‌କୁ ୧ କୋଟି ୩୩ ଲକ୍ଷ ୫୫ ହଜାର ୩୧୯ ଟଙ୍କା, ଧର୍ମରାଜ କୃଷକ ସେବା କେନ୍ଦ୍ର ଆକାଉଣ୍ଟ୍‌କୁ ୪୧ ଲକ୍ଷ ୩୧୮ ଟଙ୍କା। ବ୍ଲକ୍‌ ପ୍ରଶାସନର ମନରେଗା ଆକାଉଣ୍ଟ୍‌ରୁ ଏହି ସବୁ ବ୍ୟକ୍ତିମାନଙ୍କ ଆକାଉଣ୍ଟ୍‌କୁ ଟଙ୍କା ପଠାଯାଇଥିବା ସୂଚନା ମିଳିଛି।

ଆଶ୍ଚର୍ଯ୍ୟର କଥା ହେଲା, ଏହି ସବୁ ପ୍ରକଳ୍ପ କାର୍ଯ୍ୟ ଆଦୌ ହୋଇନାହିଁ। ଏହିସବୁ ପ୍ରକଳ୍ପ ବାବଦକୁ ସିଧାସଳଖ ଭେଣ୍ତର୍‌ମାନେ କିଭଳି ସିମେଣ୍ଟ୍‌, ଛଡ଼, ଗୋଡ଼ି, ପଥର, ବାଲି ଯୋଗାଇ ଦେଇଥିବା କାଗଜପତ୍ରରେ ଦେଖାଇ ଅର୍ଥ ହଡ଼ପ କରାଯାଇଛି। ଏହି ଦୁର୍ନୀତି ସବୁ ଖାଲି ଭାପୁର ବ୍ଲକ୍‌ କିମ୍ବା ଜିଲ୍ଲାରେ ନୁହେଁ, ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର