ରେଢ଼ାଖୋଲ ଏନ୍‌ଏସି ନିବାର୍ଚନରେ  ବିଜେପିର ଉତ୍‌ଥାନ

ଅନ୍ତର୍ଦ୍ବନ୍ଦ୍ବ ବିଜେଡି ପାଇଁ ପରାଜୟର କାରଣ ସାଜିଲା

ରେଢ଼ାଖୋଲ: ରେଢ଼ାଖୋଲ ଏନ୍‌ଏସି ନିର୍ବାଚନରେ ଚଳିତ ଥର ବିଜେପିର ଉତ୍‌ଥାନ ଦେଖିବାକୁ ମିଳିଥିବା ଥିବା ବେଳେ ବିଜେଡିର ଅନ୍ତର୍ଦ୍ବନ୍ଦ୍ବ ପଦାରେ ପଡିଛି। ଦଳୀୟ ଗୋଷ୍ଠୀ କନ୍ଦଳ ସାଙ୍ଗକୁ ଅନ୍ତର୍ଦ୍ବନ୍ଦ୍ବ ଯୋଗୁଁ ଚଳିତ ନିର୍ବାଚନରେ ବିଜେଡି ଅଧ୍ୟକ୍ଷ୍ୟ ପ୍ରାଥୀଙ୍କ ସମେତ ୬ ଜଣ ୱାର୍ଡ କାଉନ୍ସିଲର ପ୍ରାର୍ଥୀଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ଗତ ୨୦୦୦ ମସିହାରୁ ଏହି ଏନ୍‌ଏସି ୩ ଥର ବିଜେଡି ଦଖଲରେ ଥିବା ବେଳେ ଥରେ ମାତ୍ର ବିଜେପି ଦଖଲକୁ ଯାଇଥିଲା। ହେଲେ ଚଳିତ ନିର୍ବାଚନରେ ବିଜେପିର ଅଧ୍ୟକ୍ଷ୍ୟ ପ୍ରାର୍ଥୀ ସିଧାସଳଖ ବିଜୟୀ ହୋଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ବେଳେ ଏନଏସି ଅଞ୍ଚଳରେ ବିଜେଡି, ବିଜେପି ଆଗ ପଛ ହୋଇ ଚାଲୁଥିବା ବେଳେ କଂଗ୍ରେସ ବହୁ ପଛରେ ପଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ଉକ୍ତ ନିବାର୍ଚନରେ ଏନଏସି ଅଞ୍ଚଳରେ ବିଜେଡି ବିଧାୟକ ପ୍ରାର୍ଥୀ ଇଂ. ରୋହିତ ପୂଜାରୀ ୨୯୭୩ ଖଣ୍ଡ, ବିଜେପିର ‌ଦେବେନ୍ଦ୍ର ମହାପାତ୍ର ୨୯୫୩ ଖଣ୍ଡ ଓ କଂଗ୍ରେସର ଆସଫ ଅଲୀ ଖାଁ ୧୬୬୧ ଖଣ୍ଡ ଭୋଟ ପାଇଥିଲେ। ସେହିପରି ଲୋକସଭା ନିବାର୍ଚନରେ ବିଜେଡିର ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ୨୯୨୮ ଖଣ୍ଡ, ବିଜେପିର ନିତେଶ ଗଙ୍ଗଦେବ ୩୮୫୭ ଖଣ୍ଡ ଓ କଂଗ୍ରେସର ଶରତ ପଟ୍ଟନାୟକ ୧୨୦୮ ଖଣ୍ଡ ଭୋଟ୍‌ ପାଇଥିଲେ। ଭୋଟ ହାର ଦେଖିବାକୁ ଗଲେ ଗତ ସାଧାରଣ ନିର୍ବାଚନ ତୁଳନାରେ ପୌର ନିର୍ବାଚନରେ ରେଢ଼ାଖୋଲ ଏନ୍‌ଏସିରେ ଭୋଟିଂ ବୃଦ୍ଧି ପାଇଛି। ବିଜେପିର ସନ୍ତୁଷ୍ଟ, ଅସନ୍ତୁଷ୍ଟ ସବୁ ଗୋଷ୍ଠୀ ଏକାଠି ହୋଇ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ଏଠାରେ ପରସ୍ପରର ପ୍ରତିଦ୍ବନ୍ଦ୍ବୀ ଥିବା ବିଜେପିର ଦୁଇ ନେତା ଦେବେନ୍ଦ୍ର ମହାପାତ୍ର ଏବଂ ଗୋବିନ୍ଦ ଅଗ୍ରୱାଲ୍ କିନ୍ତୁ ପୌର ନିବାର୍ଚନରେ ଦୀଳୟ ପ୍ରାର୍ଥୀଙ୍କ ପାଇଁ ଏକାଠି ପ୍ରଚାର କରିଥିଲେ।

ମାତ୍ର ବିଜେଡି ଠିକ ଓଲଟା ନୀତି ଅବଲମ୍ବନ କରିଥିଲା। ଟିକଟ ବଣ୍ଟନ ଦିନଠୁ ଗୋଷ୍ଠୀ ବିବାଦ ଆରମ୍ଭ ହୋଇ ଯାଇଥିଲା। ଅଧ୍ୟକ୍ଷ ପଦ ପାଇଁ ସୁନୀଲ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରଠାରୁ ସେ ଦଳରେ ବିରୋଧର ସମ୍ମୁଖୀନ ହୋଇଥିଲେ। ଟିକଟରୁ ବଞ୍ଚିତ ଅଧ୍ୟକ୍ଷ ଆଶାୟୀମାନଙ୍କୁ ଆଉ ପ୍ରଚାର ବେଳେ ଦେଖିବାକୁ ମିଳି ନଥିଲା। ଏପରିକି ସେମାନଙ୍କ ସମର୍ଥକମାନେ ମଧ୍ୟ ପ୍ରଚାରରୁ ଓହରି ଯାଇଥିଲେ। କିଛି ସ୍ଥାନରେ ବିଜେଡିର ନେତାମାନେ ଅନ୍ତର୍ଘାତୀ କାର୍ଯ୍ୟ କରିବାକୁ ପଛାଇଲେ ନାହିଁ। ତେବେ ଏ ସବୁ ସମସ୍ୟାକୁ ବିଧାୟକ ଇଂ. ପୂଜାରୀ ଗୁରୁତ୍ବ ଦେଲେ ନାହିଁ କି ସମାଧାନ କଲେ ନାହିଁ। ଫଳରେ ଏନ୍‌ଏସିରେ ଦଳକୁ ଏଭଳି ଅବସ୍ଥା ‌ଭୋଗିବାକୁ ପଡ଼ିଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

୨୦୧୭ ପୌର ନିବାର୍ଚନରେ ବିଜେଡି ୧୩ ୱାର୍ଡ ବିଶିଷ୍ଟ କାଉନସିଲ୍‌ରେ ଅଧ୍ୟକ୍ଷ ପଦ ହାତେଇ ଥିଲା। ହେଲେ ସହରରେ ଧିମା ବିକାଶ ଓ ପଡ଼ି ରହିଥିବା ଅସଂପୂର୍ଣ୍ଣ କାର୍ଯ୍ୟକୁ ନେଇ ଭୋଟର୍‌ମାନେ ଅସନ୍ତୁଷ୍ଟ ଥିଲେ। ବିଶେଷ କରି ଅଧପନ୍ତରିଆ ପଡ଼ିଥିବା ଫରେଷ୍ଟ ପାର୍କ, ନୂଆ ବସଷ୍ଟାଣ୍ଡ, ଆଦର୍ଶ ବିଦ୍ୟାଳୟ ସମେତ ମହାନଦୀରୁ ସବୁ ୱାର୍ଡକୁ ପାନୀୟ ଜଳ ପହଞ୍ଚିପାରି ନଥିବାରୁ ଅସନ୍ତୋଷ ଦାନା ବାନ୍ଧିଥିଲା। ବସ୍ତି ବାସିନ୍ଦାମାନେ ଘର ଡିହ ପାଇ ନଥିବା ମଧ୍ୟ ଅସନ୍ତୋଷର ଆଉ ଏକ କାରଣ। ତେଣୁ ଆଗାମୀ ଦିନରେ ବିଧାୟକ କିଭଳି ଏହି ସବୁ ସମସ୍ୟାର ସମାଧାନ ସହ ସମସ୍ତଙ୍କୁ ସାଥୀରେ ନେଇ ଦଳକୁ ଅଧିକ ମଜଭୁତ କରିବେ ତାହା ଦେଖିବାକୁ ବାକି ରହିଲା।

ଚଳିତ ନିର୍ବାଚନରେ ବିଜୟୀ ବିଜେପି ଅଧ୍ୟକ୍ଷ୍ୟ ପ୍ରାର୍ଥୀ ଶିବରାମ ସାହୁ ୪୮୨୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ସୁନୀଲ ପ୍ରଧାନ ୪୦୦୦ ଖଣ୍ଡ ଭୋଟ୍‌ ପାଇଥିଲେ। କଂଗ୍ରେସ ସଜଲକାନ୍ତ ପାଲଙ୍କୁ ମିଳିଥିଲା କେବଳ ୧୫୦ ଖଣ୍ତ ଭୋଟ। ଅନ୍ୟପଟେ କାଉନ୍‌ସିଲର୍‌ ପଦ ପାଇଁ ୧୩ଟି ୱାର୍ଡରେ ବିଜେଡିକୁ ମୋଟ୍‌ ୪୩୬୦ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୪୨୬୪, କଂଗ୍ରେସକୁ ୧୫୦ ଓ ଆପ୍‌କୁ ମାତ୍ର ୬୫ ଖଣ୍ଡ ଭୋଟ୍‌ ମିଳିଥିଲା। ଅବଶ୍ୟ ଭୋଟି ହାର ବୃଦ୍ଧି ତଥା କଂଗ୍ରେସ୍‌ ଭୋଟ୍‌ର ଏକପ୍ରକାର ମୂଳପୋଛ ହୋଇଯିବାରୁ ଗତ ସାଧାରଣ ନିର୍ବାଚନ ତୁଳନାରେ ପୌର ନିର୍ବାଚନରେ ଉଭୟ ବିଜେପି ଓ ବିଜେଡିର ଭୋଟ୍‌ ସଂଖ୍ୟା ବଢ଼ିଥିଲା।

ସମ୍ବନ୍ଧିତ ଖବର